Breaking News

ଅଷ୍ଟ୍ରେଲିଆରେ ୫ ମହିଳାଙ୍କୁ ଦୁଷ୍କର୍ମ ମାମଲା: ହରିୟାଣା ବ୍ୟକ୍ତିଙ୍କୁ ୪୦ ବର୍ଷ ଜେଲ୍, ୨୦୦୪ରେ ଛାତ୍ର ଭିସାରେ ଅଷ୍ଟ୍ରେଲିଆ ଆସିଥିଲେ

ଅଷ୍ଟ୍ରେଲିଆରେ ଦକ୍ଷିଣ କୋରିଆର ୫ ଜଣ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଜଣେ ଭାରତୀୟ ସମୁଦାୟ ନେତାଙ୍କୁ ୪୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହି ୪୦ ବର୍ଷ ଦଣ୍ଡାଦେଶରୁ ୩୦ ବର୍ଷ ଅଣ-ପାରୋଲ ଅବଧି ରହିଛି।

ସିଡ୍‌ନି: ଅଷ୍ଟ୍ରେଲିଆରେ ଦକ୍ଷିଣ କୋରିଆର ୫ ଜଣ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ  ଜଣେ ଭାରତୀୟ ସମୁଦାୟ ନେତାଙ୍କୁ ୪୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହି ୪୦ ବର୍ଷ ଦଣ୍ଡାଦେଶରୁ ୩୦ ବର୍ଷ ଅଣ-ପାରୋଲ ଅବଧି ରହିଛି। ହରିୟାଣା ରେଵାଡ଼ିର ୪୩ ବର୍ଷୀୟ ବଲେଶ ଧନଖଡ଼ଙ୍କୁ ଶୁକ୍ରବାର ଡାଉନିଂ ସେଣ୍ଟର ଡିଷ୍ଟ୍ରିକ୍ଟ କୋର୍ଟରେ ଦଣ୍ଡିତ କରାଯାଇଛି। ସିଡ୍‌ନିରେ ଥିବା ତାଙ୍କ ଘର ଭିତରେ କିମ୍ବା ନିକଟରେ ମହିଳାମାନଙ୍କୁ ନିଶା ଦ୍ରବ୍ୟ ଦେଇ ଦୁଷ୍କର୍ମ କରିବା ପୂର୍ବରୁ ସେମାନଙ୍କୁ ପ୍ରଲୋଭିତ କରିବା ପାଇଁ ଧନଖଡ଼ ନକଲି ଚାକିରି ବିଜ୍ଞାପନ ପୋଷ୍ଟ କରୁଥିଲେ। ଏହି ନକଲି ବିଜ୍ଞାପନ ଦେଖି ତାଙ୍କ ସହ ଯୋଗାଯୋଗ କରୁଥିବା ମହିଳାମାନଙ୍କୁ ସେ ଦୁଷ୍କର୍ମ କରୁଥିଲେ ବୋଲି ’ଅଷ୍ଟ୍ରେଲିଆନ୍ ଆସୋସିଏଟେଡ୍ ପ୍ରେସ୍’ ରିପୋର୍ଟ କରିଛି। ଭବିଷ୍ୟତରେ ମଧ୍ୟ ଯୌନ ସନ୍ତୁଷ୍ଟି ପାଇଁ ସେ ନିଜ ଅପରାଧର ଭିଡିଓ  ପ୍ରସ୍ତୁତ କରିଥିଲେ  ବୋଲି ରିପୋର୍ଟରେ କୁହାଯାଇଛି। ଶୁକ୍ରବାର ଧନଖଡ଼ଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଇ ଜିଲ୍ଲା ଅଦାଲତ ବିଚାରପତି ମାଇକେଲ୍ କିଙ୍ଗ୍ କହିଛନ୍ତି ଯେ ଅପରାଧୀଙ୍କ ଆଚରଣ ଯୋଜନାବଦ୍ଧ, ଅତ୍ୟନ୍ତ ଷଡ୍‌ଯନ୍ତ୍ରପୂର୍ଣ୍ଣ  ଏବଂ  ହିଂସାତ୍ମକ।   ଯୌନ ସନ୍ତୁଷ୍ଟି ପାଇଁ ତାଙ୍କର ଇଚ୍ଛା ପ୍ରତ୍ୟେକ ପୀଡ଼ିତାଙ୍କ ଜୀବନ ପ୍ରତି ହେୟ ମନୋଭାବକୁ ପରିପ୍ରକାଶ କରୁଛି। ୨୧ରୁ ୨୭ ବର୍ଷ ବୟସର ସମସ୍ତ ମହିଳା ଦୁଷ୍କର୍ମ ସମୟରେ ଅଚେତ କିମ୍ବା ଯଥେଷ୍ଟ ଦୁର୍ବଳ ଥିଲେ ବୋଲି ପୁଲିସ ରିପୋର୍ଟରୁ ପ୍ରମାଣିତ ହୋଇଛି।

୨୦୧୮ରେ ଗିରଫ ହେବା ପର୍ଯ୍ୟନ୍ତ ଧନଖଡ଼ ଭାରତୀୟ-ଅଷ୍ଟ୍ରେଲିଆ ସମ୍ପ୍ରଦାୟ ମଧ୍ୟରେ  ଜଣେ ସମ୍ମାନିତ ବ୍ୟକ୍ତିତ୍ବ ଭାବେ ପରିଚିତ ଥିଲେ।  ‘ହିନ୍ଦୁ କାଉନ୍‌ସିଲ ଅଫ୍ ଅଷ୍ଟ୍ରେଲିଆ’ର ମୁଖପାତ୍ର ଭାବରେ କାର୍ଯ୍ୟ କରୁଥିବା ସମୟରେ ସେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ତାଙ୍କ ସାଂଗଠନିକ ଦକ୍ଷତା ପ୍ରମାଣିତ କରିଥିଲେ। ଧନଖଡ଼ ବିଭିନ୍ନ ଅନ୍ତର୍ଜାତୀୟ କମ୍ପାନିର ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୦୪ରେ ସେ ଷ୍ଟୁଡେଣ୍ଟ ଭିସାରେ ଅଷ୍ଟ୍ରେଲିଆ ଆସିଥିଲେ।  ଅନ୍ୟମାନଙ୍କ ଜୀବନର ଗୁଣାତ୍ମକ ମାନରେ ଉନ୍ନତି ଆଣିବାରେ ସକ୍ରିୟ ଥିବା ଜଣେ  ବ୍ୟକ୍ତିର ଏଭଳି  ହିଂସାତ୍ମକ ଚରିତ୍ର  ସମ୍ପୂର୍ଣ୍ଣ ଅସଙ୍ଗତ  ଏବଂ  ଏହା ତାଙ୍କ ଚରିତ୍ରର ଅନ୍ଧକାର ଦିଗ ବୋଲି ବିଚାରପତି କହିଛନ୍ତି। ଅକ୍ଟୋବର ୨୦୧୮ରେ ପଞ୍ଚମ ପୀଡ଼ିତାଙ୍କୁ ଦୁଷ୍କର୍ମ କରିବା ପରେ ପୁଲିସ ତାଙ୍କର ସିଡନି ସେଣ୍ଟ୍ରାଲ ବିଜନେସ୍ ଡିଷ୍ଟ୍ରିକ୍ଟ ୟୁନିଟ୍ ଉପରେ ଚଢ଼ାଉ କରିଥିଲା ଏବଂ ପ୍ରମାଣ ସହ ତାଙ୍କୁ ଗିରଫ କରିଥିଲା ।   ୨୦୨୩ରେ ଏକ ଜୁରି ତାଙ୍କୁ ୧୩ଟି ଯୌନ ନିର୍ଯାତନା ମାମଲା ସମେତ ୩୯ଟି ଅପରାଧରେ ଦୋଷୀ ସାବ୍ୟସ୍ତ କରିଥିଲେ। ଧନଖଡ଼ଙ୍କ ୪୦ ବର୍ଷର ଦଣ୍ଡାଦେଶ ସରିବା ପରେ ତାଙ୍କୁ ୮୩ ବର୍ଷ ହେବ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.