Breaking News

ଏଏମ୍‌ଏନ୍‌ଏସ୍‌କୁ ୧୫୩ ଏକର ଜମି: ପ୍ରକଳ୍ପ ପାଇଁ ଦରକାର ୭୮୧୮ ଏକର

ରାଜ୍ୟରେ ଶିଳ୍ପାୟନ କ୍ଷେତ୍ରରେ ରହିଥିବା ଏକ ବଡ଼ ପ୍ରତିବନ୍ଧକ ହେଉଛି ଜମି ଅଧିଗ୍ରହଣ। ବୃହତ୍‌ ଶିଳ୍ପ ଲାଗି ଠିକ୍ ସମୟରେ ଜମି ଯୋଗାଇବା କଷ୍ଟକର ବ୍ୟାପାର ହୋଇରହିଛି। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାଠାରେ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ୍‌) ପକ୍ଷରୁ ଏକ ବାର୍ଷିକ ୨୪ ନିୟୁତ...

ଭୁବନେଶ୍ବର: ରାଜ୍ୟରେ ଶିଳ୍ପାୟନ କ୍ଷେତ୍ରରେ ରହିଥିବା ଏକ ବଡ଼ ପ୍ରତିବନ୍ଧକ ହେଉଛି ଜମି ଅଧିଗ୍ରହଣ। ବୃହତ୍‌ ଶିଳ୍ପ ଲାଗି ଠିକ୍ ସମୟରେ ଜମି ଯୋଗାଇବା କଷ୍ଟକର ବ୍ୟାପାର ହୋଇରହିଛି। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାଠାରେ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ୍‌) ପକ୍ଷରୁ ଏକ ବାର୍ଷିକ ୨୪ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ବୃହତ୍‌ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଉଦ୍ୟମ କରାଯାଉଛି। ଏହି ପ୍ରକଳ୍ପ ପାଇଁ ୭୮୧୮ ଏକର ଜମି ଆବଶ୍ୟକ ଥିବା ଇପିକଲ୍‌ ସୁପାରିସ କରିଛି। ସେଥିରୁ ୫୧୩.୬୪ ଏକର ସରକାରୀ, ୧୩୩୭.୩୬ ଏକର ଘରୋଇ ଏବଂ ୨୮୫୯.୯୦ ଏକର ହେଉଛି ଜଙ୍ଗଲ ଜମି।

ଏଏମ୍‌ଏନ୍‌ଏସ୍‌ର କେନ୍ଦ୍ରାପଡ଼ା ପ୍ରକଳ୍ପରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଦେଇଥିବା ସୂଚନା ମୁତାବକ କମ୍ପାନିକୁ ୧୫୩.୬୫ ଏକର ଜମି ହସ୍ତାନ୍ତର କରାଯାଇଛି। ଏନେଇ ଇଡ୍‌କୋ ଓ କମ୍ପାନି ମଧ୍ୟରେ ଲିଜ୍ ଚୁକ୍ତି ହୋଇଛି। ଅବଶିଷ୍ଟ ୩୫୯.୯୯ ଏକର ଜମିର ଲିଜ୍‌ ଅନୁମୋଦନ ଜିଲ୍ଲା ସ୍ତରରେ ଅଟକି ରହିଛି। ମନ୍ତ୍ରୀଙ୍କ ସୂଚନା ଅନୁସାରେ ଏଏମ୍‌ଏନ୍‌ଏସ୍‌ ପକ୍ଷରୁ କେନ୍ଦ୍ରାପଡ଼ା ପ୍ରକଳ୍ପ ପାଇଁ ଜଙ୍ଗଲ ଜମିର କିସମ ପରିବର୍ତ୍ତନ ନିମନ୍ତେ ପ୍ରସ୍ତାବ ଦାଖଲ କରାଯାଇଛି। ୧୧୦.୨୪ ଏକର ଘରୋଇ ଜଙ୍ଗଲ ଜମି ପାଇଁ ଏଫ୍‌ଡିପି ପ୍ରସ୍ତାବ ମଞ୍ଜୁରି ପାଇଁ ଦାଖଲ କରାଯାଇଛି। ମହାକାଳପଡ଼ା ତହସିଲ ଅନ୍ତର୍ଗତ ୬ଟି ଗାଁର ୧୨୮୧.୩୪ ଏକର ଜମି ଅଧିଗ୍ରହଣ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ଅଟକି ରହିଛି। କେନ୍ଦ୍ରାପଡ଼ା ଜିଲ୍ଲାର ଆଉ ୫ଟି ଗାଁରେ ୫୬.୦୨ ଏକର ଘରୋଇ ଜମି ଅଧିଗ୍ରହଣ କରିବା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ତାହା ଜିଲ୍ଲା ସ୍ତରରେ ଅଟକି ରହିଛି।

କମ୍ପାନି ପକ୍ଷରୁ କେନ୍ଦ୍ରାପଡ଼ା ପ୍ରକଳ୍ପରେ ୧,୦୨,୨୭୫ କୋଟି ଟଙ୍କା ବିନିଯୋଗ କରାଯିବ। ପ୍ରକଳ୍ପରେ ୧୬ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ୨୦୨୧ ଡିସେମ୍ବର ୧୭ରେ ୨୭ତମ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍‌ସିଏଲ୍‌ଏ) ବୈଠକରେ ପ୍ରକଳ୍ପକୁ ମଞ୍ଜୁରି ମିଳିଥିଲା। ଏହି ପ୍ରକଳ୍ପ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ। ପ୍ରଥମ ପର୍ଯ୍ୟାୟରେ ବାର୍ଷିକ ୭ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ କାରଖାନା ସ୍ଥାପନ କରାଯିବ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୭ ନିୟୁତ ଟନ୍ କ୍ଷମତା ଯୋଡ଼ାଯିବ। ପ୍ରକଳ୍ପ ଲାଗି ପରିବେଶ ଓ ଜଙ୍ଗଲ ମଞ୍ଜୁରି ତଥା ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପାଇଁ କମ୍ପାନି ପକ୍ଷରୁ ଆବେଦନ କରାଯାଇଛି। ପ୍ରକଳ୍ପକୁ ଲୁଣା ନଦୀରୁ ପାଣି ଆବଣ୍ଟନ କରାଯାଇଛି। କମ୍ପାନିକୁ ପ୍ରଦାନ କରାଯିବାକୁ ଥିବା ରେଳ ସଂଯୋଗର ଡିପିଆର୍‌ ରାଇଟ୍‌ସ ଦ୍ବାରା ପ୍ରସ୍ତୁତ କରାଯାଉଛି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.