Breaking News

ମିନିଟ୍ରକ୍‌ରୁ ୫ କ୍ବିଣ୍ଟାଲ ଗୋ ମାଂସ ଜବତ: ଦୁର୍ଘଟଣା ପରେ ଦୌଡ଼ି ପଳାଇଲେ ଡ୍ରାଇଭର୍‌ ଓ ହେଲ୍‌ପର୍‌

ବାଲେଶ୍ବରରୁ ପଶ୍ଚିମବଙ୍ଗକୁ ବରାବର ଗୋ ଚାଲାଣ ହେଉଥିବା ବେଳେ ଆଜି ଏକ ମିନିଟ୍ରକ୍‌ରୁ ୫ କ୍ବିଣ୍ଟାଲ୍‌ରୁ ଅଧିକ ଗୋ ମାଂସ ଜବତ କରାଯାଇଛି। ସୂଚନା ଅନୁସାରେ; ଏକ ଟ୍ରକ୍‌ ଯୋଗେ ବାଲେଶ୍ବର ସୋର ଅଞ୍ଚଳରୁ ବିପୁଳ ଗୋ ମାଂସ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା।

ବସ୍ତା-୨: ବାଲେଶ୍ବରରୁ ପଶ୍ଚିମବଙ୍ଗକୁ ବରାବର ଗୋ ଚାଲାଣ ହେଉଥିବା ବେଳେ ଆଜି ଏକ ମିନିଟ୍ରକ୍‌ରୁ ୫ କ୍ବିଣ୍ଟାଲ୍‌ରୁ ଅଧିକ ଗୋ ମାଂସ ଜବତ କରାଯାଇଛି। ସୂଚନା ଅନୁସାରେ; ଏକ ଟ୍ରକ୍‌ ଯୋଗେ ବାଲେଶ୍ବର ସୋର ଅଞ୍ଚଳରୁ ବିପୁଳ ଗୋ ମାଂସ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା। ଏନେଇ ଖବର ପାଇଥିଲେ ବସ୍ତା ଅଞ୍ଚଳର ବଜରଙ୍ଗ ଦଳର କର୍ମୀ। ସେମାନେ ମିନିଟ୍ରକ୍‌କୁ ଧରିବା ପାଇଁ ଆଜି ଭୋର୍‌ ୪ଟା ବେଳେ ବସ୍ତା ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର କଟିପୋଲ ନିକଟରେ ଜଗି ରହିଥିଲେ। ମିନିଟ୍ରକ୍‌କୁ ଅଟକାଇବା ପାଇଁ ଚେଷ୍ଟା କରାଯାଇଥିଲେ ବି ଅଟକି ନଥିଲା। ଫଳରେ ସେମାନେ ତାକୁ ଗୋଡ଼ାଇ ଥିଲେ। ଧରାପଡ଼ିଯିବା ଭୟରେ ମିନିଟ୍ରକ୍‌ର ଡ୍ରାଇଭର୍‌ ଜାତୀୟ ରାଜପଥରୁ ଓହ୍ଲାଇ ଗାନ୍ଧୀଛକ-ବାଲିଆପାଳ ରାସ୍ତାରେ ଖସିଯିବାକୁ ଉଦ୍ୟମ କରିଥିଲେ।

ଖବର ପାଇ ବଜରଙ୍ଗ ଦଳର ଅନ୍ୟ କିଛି କର୍ମୀ ସିଂଲା ଥାନା ପୁଟୁରା ଛକ ନିକଟରେ ମିନିଟ୍ରକ୍‌କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହା ଦେଖି ଡ୍ରାଇଭର୍‌ ଜଣକ ଗାଡ଼ିର ଗତି ବଢ଼ାଇଥିଲେ। ତେବେ କୁହୁଡ଼ି ହୋଇଥିବା ଯୋଗୁ ଡ୍ରାଇଭର୍‌ ଠିକ୍‌ ଭାବେ ରାସ୍ତା ଦେଖି ନପାରି ଏକ ଗଛକୁ ଧକ୍କା ଦେଇଥିଲେ। ଦୁର୍ଘଟଣା ପରେ ଡ୍ରାଇଭର୍‌ ଓ ହେଲ୍‌ପର୍‌ ଗାଡ଼ି ଛାଡ଼ି ସେଠାରୁ ଦୌଡ଼ି ପଳାଇଥିଲେ। ଖବର ପାଇ ସିଂଲା ପୁଲିସ ପହଞ୍ଚିଥିଲା। ଯାଞ୍ଚ କରିବାରୁ ଟ୍ରକ୍‌ ଭିତରେ ୫ କ୍ବିଣ୍ଟାଲ୍‌ରୁ ଅଧିକ ଗୋ ମାଂସ ଥିବା ଜଣାପଡ଼ିଥିଲା। ଉକ୍ତ ମାଂସ ଓ ମିନିଟ୍ରକ୍‌ ଜବତ ହୋଇଥିବା ବେଳେ ଥାନାରେ ୩୯/୨୫ ନମ୍ବରର ଏକ ମାମଲା ରୁଜୁ ହୋଇଛି। ସୂଚନା ଥାଉକି; ପ୍ରାୟ ପ୍ରତିଦିନ ଗୋ ମାଂସ ବାଲେଶ୍ବରରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି। ଲୋକେ ଅଭିଯୋଗ କରିଛନ୍ତି ଯେ ଏହା ପଛରେ କିଛି ଅସାଧୁ ପ୍ରାଶାସନିକ ଅଧିକାରୀ ଓ କର୍ମଚାରୀଙ୍କ ହାତ ରହୁଛି। ତେଣୁ ଏନେଇ ତଦନ୍ତ କରାଯିବା ସହ ଦୁର୍ବୃତ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକେ ଦାବି କରିଛନ୍ତି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.