Breaking News

ଟ୍ରମ୍ପଙ୍କ ଦରବାରରେ କିଛି ଗୁପ୍ତ କାରବାର?

ବିଶ୍ବର ସିଂହାସନରେ ଜଣେ ନୂତନ ରାଜା ବସିଛନ୍ତି। ସେ ଭୀଷଣ ଅସଭ୍ୟ, ଖଳ ପ୍ରକୃତିର ଏବଂ ବଦନାମ ହୋଇଥିବା ବ୍ୟକ୍ତି। ତଥାପି ସେ ହେଉଛନ୍ତି ରାଜା। ଚାରିଆଡ଼େ ବିଶୃଙ୍ଖଳା ଦେଖାଯାଉଛି। ମାତ୍ର ରାଜାଙ୍କ ଚିଡ଼ିଚିଡ଼ା ସ୍ବଭାବକୁ ନେଇ ସମସ୍ତେ ଚିନ୍ତିତ...

ଯୋଗେନ୍ଦ୍ର ଯାଦବ

ବିଶ୍ବର ସିଂହାସନରେ ଜଣେ ନୂତନ ରାଜା ବସିଛନ୍ତି। ସେ ଭୀଷଣ ଅସଭ୍ୟ, ଖଳ ପ୍ରକୃତିର ଏବଂ ବଦନାମ ହୋଇଥିବା ବ୍ୟକ୍ତି। ତଥାପି ସେ ହେଉଛନ୍ତି ରାଜା। ଚାରିଆଡ଼େ ବିଶୃଙ୍ଖଳା ଦେଖାଯାଉଛି। ମାତ୍ର ରାଜାଙ୍କ ଚିଡ଼ିଚିଡ଼ା ସ୍ବଭାବକୁ ନେଇ ସମସ୍ତେ ଚିନ୍ତିତ, କାରଣ କେତେବେଳେ କେଉଁ ବିପର୍ଯ୍ୟୟ ଆସିଯିବ, କେହି ଜାଣିନାହାନ୍ତି। ରାଜ୍ୟାଭିଷେକ ପୂର୍ବରୁ ରାଜା ସେ ଉତ୍ସବକୁ କାହାକୁ ନିମନ୍ତ୍ରଣ କରିବେ, ସେ ବିଷୟରେ ପ୍ରତିଯୋଗିତା ହୋଇଥିଲା। ଏବେ ରାଜା କାହାକୁ, କେବେ ଏବଂ କିପରି ଦର୍ଶନ ଦେବେ, ସୁବେଦାର ହୁଅନ୍ତୁ ବା ପ୍ରଜା, ସମସ୍ତେ ଗୋଟିଏ ଧାଡ଼ିରେ ଛିଡ଼ା ହୋଇଛନ୍ତି। ଆମ ପ୍ରଧାନମନ୍ତ୍ରୀ ମଧ୍ୟ ସେହି ଧାଡ଼ିରେ ଥିଲେ। ସେ କେବଳ ନରେନ୍ଦ୍ର ମୋଦୀ ନୁହନ୍ତି, ଭାରତର ପ୍ରଧାନମନ୍ତ୍ରୀ। ସେ ଏମିତି ଦେଶର ପ୍ରଧାନମନ୍ତ୍ରୀ, ଯିଏ ଥରେ ବିଶ୍ବର ସମସ୍ତ ପ୍ରକାର ସାମ୍ରାଜ୍ୟବାଦ ବିରୋଧରେ ସ୍ବର ଉଠାଇଥିଲା, ତୃତୀୟ ବିଶ୍ବକୁ ସଂଗଠିତ କରିବାର ସାହସ ଦେଖାଇଥିଲା। କିନ୍ତୁ ଗତ କିଛି ଦଶନ୍ଧି ମଧ୍ୟରେ ଏହା ଧୀରେ ଧୀରେ ଏ ସବୁକୁ ଛାଡ଼ି ସବୁଠାରୁ ଶକ୍ତିଶାଳୀଙ୍କ ସର୍ତ୍ତରେ ସାଲିସ କରିବାକୁ ଶିଖିଲାଣି।
ନୂଆ ରାଜା ଏଣୁ ତେଣୁ କଥା କହୁଛନ୍ତି, ଯେମିତି କି- ଗ୍ରିନଲ୍ୟାଣ୍ଡ୍‌ କିଣିବେ, କାନାଡାକୁ ଏକ ଆମେରିକୀୟ ପ୍ରଦେଶ କରିବେ, ଗାଜା ଉପରେ ଆମେରିକାର ଦଖଲ ସ୍ଥାପନ କରିବେ। ପୁଣି କେତେବେଳେ କେତେବେଳେ ଧଳା ଲୋକଙ୍କ ପକ୍ଷରେ ରହି ଦକ୍ଷିଣ ଆଫ୍ରିକା ସରକାରଙ୍କୁ ଧମକ ଦେଉଛନ୍ତି। ଏମିତି କେତେ କ’ଣ? ଏଥିରେ ଆମ ପ୍ରଧାନମନ୍ତ୍ରୀଙ୍କର କି ଦେଣ-ନେଣ ରହିଛି? ଆମକୁ ତ ଆମ କାରବାରର ଚିନ୍ତା। ପ୍ରଧାନମନ୍ତ୍ରୀଙ୍କ ପଛରେ ଠିଆ ହୋଇଛନ୍ତି ତାଙ୍କ ଦରବାରର ସଦସ୍ୟମାନେ-ମନ୍ତ୍ରୀ, ରକ୍ଷୀ ଏବଂ ତାଙ୍କ କୋଳରେ ବସିଥିବା ଗଣମାଧ୍ୟମ। ଆମର ପ୍ରଧାନମନ୍ତ୍ରୀ ଯେପରି କୌଣସି ପ୍ରକାରେ ରାଜାଙ୍କ ରାଜ୍ୟାଭିଷେକ ପାଇଁ ନିମନ୍ତ୍ରଣ ପାଇପାରିବେ, ସେଥିପାଇଁ ଅବଶ୍ୟ ଆମ ବୈଦେଶିକ ମନ୍ତ୍ରୀ ଆମେରିକା ଯାଇ କିଛି ଦିନ ଡେରା ପକାଇଥିଲେ। ସୁଯୋଗ ମିଳିଲାନି। କିନ୍ତୁ ତା’ ବଦଳରେ ଗୋଟିଏ ଦିନର ଭ୍ରମଣର ସାନ୍ତ୍ବନା ପୁରସ୍କାର ମିଳିଥିଲା। ଦରବାରକୁ ପ୍ରଚାର କରିବା ପାଇଁ ମଉକା ମିଳିଗଲା। ଗାଁରେ ଜମିଦାରଙ୍କ ଖରାପ ବ୍ୟବହାର ବିଷୟ ପ୍ରସାରିତ ହେବାକୁ ବେଶୀ ସମୟ ଲାଗିଲାନି- “ଠାକୁର ସାହେବ ନିଜେ ମୋତେ ଡାକିଥିଲେ। ସେ କହିଲେ, ତୁମେ ପରିବାରର ଲୋକ, ତୁମେ ଧାଡ଼ିରେ କାହିଁକି ଛିଡ଼ା ହେଉଛ? ଜାଣିଛ, ବାବୁଜୀ ମୋ’ ହାତ ଧରି ମୋତେ ଚଉକିରେ ବସାଇଲେ!’’ ଫାଇଲ୍‌, ଖବରକାଗଜ, ଟି.ଭି. ଓ ହ୍ବାଟ୍‌ସଆପ୍‌ର ପେଟ ଭରିବା ପାଇଁ ପ୍ରଚୁର ସାମଗ୍ରୀ ଥିଲା। ଆମେରିକୀୟମାନେ ଆମ ନେତାଙ୍କ ଦୁର୍ବଳତା ଜାଣିଥିଲେ- ଫଟୋଟି ଭଲ ହେବା ଦରକାର, ତେଣିକି ପକେଟ୍‌ କଟୁ କି ଗଳା କଟୁ!
ଗଳା କଟିବାର ସମୟ ଆସିଲାନି, ଆବଶ୍ୟକତା ବି ନ ଥିଲା। ଚୀନ ଉପରେ ଆମର ନଜର ରହିବା ହିଁ ହେଉଛି ଆମେରିକାର ଆବଶ୍ୟକତା। ସେମାନେ ଆମର ଶସ୍ତା ଯନ୍ତ୍ରୀ ଓ ଆମର ବଜାର ଚାହାନ୍ତି, କିନ୍ତୁ ସବୁ କିଛି ସେମାନଙ୍କ ସର୍ତ୍ତରେ। ଆମେରିକୀୟ ପ୍ରଶାସନ ଏହା ନିର୍ଭୀକତାର ସହ ସ୍ପଷ୍ଟ ଭାବରେ ଘୋଷଣା କଲା। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆମେରିକା ଏମିତି କିଛି କରିଥିଲା, ଯାହା କୂଟନୈତିକ ଶିଷ୍ଟାଚାର ଦୃଷ୍ଟିରୁ ଅଶୋଭନୀୟ ଥିଲା। ସେହି ସମୟରେ ଭାରତର ଅବୈଧ ପ୍ରବାସୀମାନଙ୍କୁ ହାତକଡ଼ି ପିନ୍ଧା ଯାଇଥିଲା, ସେମାନଙ୍କ ପଗଡ଼ି କାଢ଼ି ଦିଆଯାଇଥିଲା ଏବଂ ସେମାନଙ୍କୁ ଖାଲି ହାତରେ ଭାରତ ବିଦା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆମେରିକାରେ ପହଞ୍ଚିବା ଦିନ ହିଁ ଟ୍ରମ୍ପ୍‌ ପ୍ରତିଶୋଧମୂଳ​କ ଶୁଳ୍‌କ ଲଗାଇବାକୁ ଧମକ ଦେଇଥିଲେ। ଇସାରା ସ୍ପଷ୍ଟ ଥିଲା କି- ସାହେବଙ୍କ ମନଃସ୍ଥିତି ଖରାପ ଅଛି, ଏଥର କଥାବାର୍ତ୍ତା କଠୋର ହେବ। ବୈଠକ ପରେ ଜାରି ହୋଇଥିବା ମିଳିତ ଆନୁଷ୍ଠାନିକ ବିବୃତି ଏବଂ ଉଭୟ ପକ୍ଷ ଦ୍ବାରା ପ୍ରଦତ୍ତ ବିବୃତିର ଶବ୍ଦ ଓ ତାତ୍ପର୍ଯ୍ୟ ଆମେ କେବଳ ଶୁଣିଲେ। ଆକ୍ଷରିକ ଅର୍ଥ ଦେଖିଲେ ତ ସବୁ କିଛି ଠିକ୍‌ ଥିଲା ପରି ମନେ ହେଲା, ଯାହା ସର୍ବଦା ବୈଦେଶିକ ନୀତିର ମଧୁର ବିବୃତିରେ ହୋଇଥାଏ। ଭାରତ ଓ ଆମେରିକା ସେମାନଙ୍କର ବାଣିଜ୍ୟ, ନିବେଶ, ସୁରକ୍ଷା, ଶକ୍ତି, ପ୍ରଯୁକ୍ତି ବିଦ୍ୟା, ଅନ୍ତଃରାଷ୍ଟ୍ରୀୟ ସହଯୋଗ ଏବଂ ଜନ ସହଯୋଗ କ୍ଷେତ୍ରରେ ଦ୍ବି-ପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ସଂକଳ୍ପକୁ ଦୋହରାଇଲେ। ଆଗାମୀ କିଛି ମାସ ମଧ୍ୟରେ ଦୁଇ ଦେଶ ଏକ ନୂତନ ବାଣିଜ୍ୟ ନୀତି ଘୋଷଣା କରିବେ, ଯାହା ସେମାନଙ୍କର ପାରସ୍ପରିକ ବାଣିଜ୍ୟକୁ ଦ୍ବିଗୁଣିତ କରିବ। ଅବୈଧ ପ୍ରବାସୀଙ୍କୁ ମୂଳୋତ୍ପାଟନ କରିବା ଏବଂ ଯେ କୌଣସି ଆପରାଧିକ କାର୍ଯ୍ୟକଳାପ ରୋକିବାରେ ସହଯୋଗ କରିବାକୁ ଉଭୟ ପକ୍ଷ ପ୍ରତିଶ୍ରୁତି ଦେଲେ ଇତ୍ୟାଦି, ଇତ୍ୟାଦି।
ତେବେ, ଭାବାର୍ଥରୁ ଏହି ମଧୁର ଶବ୍ଦ ପଛରେ ଥିବା ସଉଦା ବା କାରବାରକୁ ଅନୁମାନ କରାଯାଇପାରିବ। ଭାରତରୁ ଆମଦାନି କରୁଥିବା ଜିନିଷ ଉପରେ ବହୁତ ଅଧିକ ଶୁଳ୍‌କ ଲଗାଇବାକୁ ଆମେରିକା ଧମକ ଦେଲା। ଭାରତ ସେଥି ପାଇଁ କିଛି ସମୟ ମାଗିଲା। ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଥିଲା ଯେ ଆମେରିକାରୁ ଭାରତ ପ୍ରଭୂତ ପରିମାଣର ଅସ୍ତ୍ରଶସ୍ତ୍ର ଓ ପ୍ରାକୃତିକ ଗ୍ୟାସ କିଣିବ। ଛଅ ମାସ ଭିତରେ ଏକ ରାଜିନାମା ହେବ। ଏହା ମଧ୍ୟ ସମ୍ଭବ ହୋଇପାରେ କି, ଆମେରିକା ଉକ୍ତ ଚୁକ୍ତି ପରିସର ଭିତରକୁ କୃଷି ଉତ୍ପାଦଗୁଡ଼ିକୁ ପୂରାଇବାକୁ ଚେଷ୍ଟା କରିବ, ଯାହାର ପ୍ରଭାବ ଭାରତୀୟ ଚାଷୀମାନଙ୍କ ଉପରେ ପଡ଼ିପାରେ। ଅର୍ଥାତ୍‌ ଆମେରିକାର ସର୍ତ୍ତ ଗୃହୀତ ହେବ, କିନ୍ତୁ ସେଥି ଲାଗି ଭାରତକୁ କିଛି ସମୟ ମିଳିଯିବ। ଏହି ବିବୃତିରେ ଭାରତରୁ ଆସୁଥିବା ଅବୈଧ ପ୍ରବାସୀଙ୍କ ପ୍ରତି ଆମେରିକାର ବ୍ୟବହାର ବାବଦରେ ଉଲ୍ଲେଖ ନାହିଁ। ଏହା ସ୍ପଷ୍ଟ ଯେ ଆମେରିକା ନିଜ ଇଚ୍ଛା ମୁତାବକ ସେଭଳି ୨ରୁ ୫ ଲକ୍ଷ ଅବୈଧ ପ୍ରବାସୀଙ୍କୁ ଭାରତକୁ ପଠାଇପାରିବ; ଏବଂ ଏହି କଥାକୁ ଭାରତ ସରକାର ନିରବରେ ଗ୍ରହଣ କଲେ। ଅପରାଧମୂଳକ କାର୍ଯ୍ୟକଳାପ ରୋକିବାରେ ସହଯୋଗ ବାକ୍ୟାଂଶର ଅର୍ଥ ହେଉଛି, ଆଗକୁ ଭାରତୀୟ ସୁରକ୍ଷା ଏଜେନ୍‌ସିଗୁଡ଼ିକ ଆମେରିକାରେ ପ୍ରବେଶ କରି କୌଣସି ଅସୁବିଧା ସୃଷ୍ଟି କରିବେନି। ଆମେ ଏହି ପ୍ରସଙ୍ଗରେ କାନାଡାକୁ ମୁକାବିଲା କରିପାରୁ, କିନ୍ତୁ ଆମେରିକା ଆଗରେ ଚୁପ୍‌ଚାପ୍‌ ବସିରହିବୁ। ଏଠାରେ ମଧ୍ୟ ଆମେରିକା କଥାକୁ ମାନିନେବାକୁ ପଡ଼ିଲା।
ଯଦି ଭାବାର୍ଥ ବାହାରକୁ ଯାଇ ଲୁକ୍କାୟିତ ଅର୍ଥ ଖୋଜାଯାଏ, ତେବେ ସରକାରୀ ବିବୃତି ବଦଳରେ ସାମ୍ବାଦିକ ସମ୍ମିଳନୀର ତର୍ଜମା କରିବା ଠିକ୍‌ ହେବ। ଆମେରିକା ପୁଣି ଥରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥିତ ହେବାକୁ ବାଧ୍ୟ କଲା, ଯାହାକୁ ସେ ଗତ ଦଶ ବର୍ଷ ଧରି ନିଜ ଦେଶରେ ଏଡ଼ାଇ ଆସିଛନ୍ତି। ଯଦିଓ ସାମ୍ବାଦିକ ସମ୍ମିଳନୀ ପାଇଁ ଭାରତରୁ ଯାଇଥିବା କୋଳାଶ୍ରିତ ମିଡିଆର ସା‌ମ୍ବାଦିକଗଣ ଚାଟୁକାର ସାଜି ଭାରତୀୟ ଗଣମାଧ୍ୟମକୁ ଅପମାନିତ କରିଥିଲେ, କିନ୍ତୁ ଆମେରିକୀୟ ସାମ୍ବାଦିକମାନେ ସିଧଧାସଳଖ ପଚାରିଥିଲେ କି ଆମେରିକାରେ ଦୁର୍ନୀତି ମାମଲାରୁ ଅଦାନୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ କୌଣସି ଚୁକ୍ତି ହୋଇଛି କି? ପ୍ରଧାନମନ୍ତ୍ରୀ କୌଣସି ପ୍ରକାରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ, କିନ୍ତୁ ସାରା ବିଶ୍ବ ସେଥିରେ କିଛି ଗଡ଼ବଡ଼ ଥିବା ଦେଖିଲା। ସେପଟେ ଟ୍ରମ୍ପ୍‌ ଏପରି କିଛି କହିଥିଲେ ଯାହା କୌଣସି ବିବୃତିରେ ଉଲ୍ଲେଖ କରାଯାଇନାହିଁ। ଭାରତ ଆମେରିକାଠାରୁ ଏଫ୍‌-୩୫ ଲଢୁଆ ବିମାନ କିଣିବ ବୋଲି ସେ ପ୍ରକାଶ କରିଥିଲେ। ମଜାଦାର କଥାଟି ହେଲା, ସରକାର ଏପରି କୌଣସି କ୍ରୟ ଆରମ୍ଭ କରିନାହାନ୍ତି। ଏହି ବିମାନ ଭାରତୀୟ ବାୟୁସେନାର ଆବଶ୍ୟକତା ପୂରଣ କରୁନାହିଁ ଏବଂ ଏଲନ୍‌ ମସ୍କ ନିଜେ ଏହି ବିମାନକୁ ଅଦରକାରୀ ବୋଲି ଘୋଷଣା କରି ସାରିଛନ୍ତି।
ଡୋନାଲ୍‌ଡ ଟ୍ରମ୍ପ୍‌ କୋଠାବାଡ଼ି ବ୍ୟବସାୟ ସହ ଜଡ଼ିତ ଏବଂ ପ୍ରତ୍ୟେକ କ୍ଷେତ୍ରରେ କାରବାର କରିବା ପାଇଁ ଚାହୁଁଥିବା ଜଣେ ବ୍ୟକ୍ତି ଭାବେ ସେ ପ୍ରସିଦ୍ଧ। ତେବେ ଵାସିଂଟନରେ କ’ଣ କିଛି ଗୋପନ କାରବାର ହୋଇଛି କି? ସେଭଳି କିଛି ଚୁକ୍ତି ଆମେରିକା ସରକାର ଓ ଭାରତ ସରକାରଙ୍କ ମଧ୍ୟରେ ହୋଇଥିଲା ନା ଟ୍ରମ୍ପ୍‌ ଓ ଅଦାନୀ ମଧ୍ୟରେ ହୋଇଥିଲା ନା ମୋଦୀ ଓ ମସ୍କଙ୍କ ମଧ୍ୟରେ ହୋଇଥିଲା? ବର୍ତ୍ତମାନ ପାଇଁ ଆମ ପାଖରେ ସେସବୁର ଉତ୍ତର ନାହିଁ। ଆଉ ଯେଉଁମାନଙ୍କ ପାଖରେ ରହିଛି, ସେମାନେ ଗୁଣୁଗୁଣୁ ହେଉଛନ୍ତି କି, “ଦୁନିଆ ସାରା ଲୋକେ ତ ପଚାରିବେ! ଦେଖା ସାକ୍ଷାତ ବେଳେ କ’ଣ କଥାବାର୍ତ୍ତା ହେଲା, ତାହା କାହାକୁ କୁହ ନାହିଁ।’’
(ମତାମତ ଲେଖକଙ୍କ ନିଜସ୍ବ)
ରାଷ୍ଟ୍ରୀୟ ସଂଯୋଜକ, ଭାରତ ଯୋଡ଼ୋ ଯାତ୍ରା

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.