Breaking News

ପରିବେଶ ଯୋଦ୍ଧା: ଦୀର୍ଘସ୍ଥାୟୀ କୃଷି ଓ ପରିବେଶ ସଂରକ୍ଷଣରେ ସଂଯୋଗ

ଉପକୂଳ ଓଡ଼ିଶାସ୍ଥିତ ଚିଲିକା ବ୍ଲକ୍‌ର ହାଟବରଡ଼ି ଗାଁରେ ବଡ଼ ହୋଇଛନ୍ତି ସଂଯୋଗ ସାହୁ। ପିଲାଦିନୁ ହିଁ ସେ ଚିଲିକାର ଅପରୂପ ସୌନ୍ଦର୍ଯ୍ୟ ଓ ପରିବେଶ ଭିତରେ ଦିନ କାଟିଛନ୍ତି। ତାଙ୍କ ଜେଜେବାପାଙ୍କର ମଧ୍ୟ ଗଛ ଲଗାଇବା...

ଉପକୂଳ ଓଡ଼ିଶାସ୍ଥିତ ଚିଲିକା ବ୍ଲକ୍‌ର ହାଟବରଡ଼ି ଗାଁରେ ବଡ଼ ହୋଇଛନ୍ତି ସଂଯୋଗ ସାହୁ। ପିଲାଦିନୁ ହିଁ ସେ ଚିଲିକାର ଅପରୂପ ସୌନ୍ଦର୍ଯ୍ୟ ଓ ପରିବେଶ ଭିତରେ ଦିନ କାଟିଛନ୍ତି। ତାଙ୍କ ଜେଜେବାପାଙ୍କର ମଧ୍ୟ ଗଛ ଲଗାଇବା, ଯତ୍ନ ନେବା ତଥା ବିଭିନ୍ନ ଗଛ ସମ୍ପର୍କରେ ଜାଣିବାରେ ଆଗ୍ରହ ଥିଲା। ତେଣୁ ପିଲା ଦିନେ ସେ ଜେଜେଙ୍କ ସହ ବୁଲି ପରିବେଶ ଓ ଉଦ୍ଭିଦ ସମ୍ପର୍କରେ ଅନେକ କିଛି ଜାଣିବାର ସୁଯୋଗ ପାଇଛନ୍ତି। ତେବେ ଛୋଟରୁ ବଡ଼ ହେବା ଭିତରେ ଚିଲିକାର ବଦଳୁଥିବା ପରିବେଶ ତାଙ୍କୁ ଚିନ୍ତିତ କରିଛି। ଫଳ‌େର ପରିବେଶ ଓ ଜୀବଜଗତର ସୁରକ୍ଷା ଓ ସଂରକ୍ଷଣ ଦିଗରେ ତାଙ୍କ ମନ ବଳିଛି। ପରିବେଶକୁ ସୁରକ୍ଷା ଦେବାର ଅନ୍ୟ ଏକ ଉପାୟ ହେଉଛି କଠୋର ଆଇନ ଆଣିବା। ଏଣୁ ସେ ଆଇନ ଓ ପରେ ପରିବେଶ ମାନବବିଜ୍ଞାନ ଅଧ୍ୟୟନ କରିଥିଲେ। ଏବେ ସେ ଦୀର୍ଘସ୍ଥାୟୀ ଚାଷ ଜରିଆରେ ପରିବେଶକୁ ସୁରକ୍ଷା ଦେବା ଦିଗରେ କାର୍ଯ୍ୟରତ।

ଶ୍ରୀ ସଂଯୋଗ କହିଛନ୍ତି, ‘୨୦୦୬ ମସିହାରେ ଜଙ୍ଗଲ ଅଧିକାର ଆଇନ ଆସିଥିଲା। ଆଦିବାସୀ, ପାରମ୍ପରିକ ବନବାସୀ ପ୍ରମୁଖଙ୍କୁ ସେତେବେଳେ ଜଙ୍ଗଲ ଉପରେ ଅଧିକାର ଓ ଜଙ୍ଗଲ ସୌନ୍ଦର୍ଯ୍ୟକୁ ଅକ୍ଷୁଣ୍ଣ ରଖିବାର ଏକ ସାମାଜିକ ଦାୟିତ୍ବ ପ୍ରଦାନ କରାଯାଇଥିଲା। ସେହି ସମୟରେ ଲୋକମାନଙ୍କୁ ଜଙ୍ଗଲର କିଭଳି ସଂରକ୍ଷଣ କରିଯିବ; ସେ ନେଇ ସଚେତନ କରାଇବା ସହ କିଭଳି ପଟ୍ଟା ବଣ୍ଟନ ହେବ ସେ ଉପରେ ଦୁଇଟି ଏନ୍‌ଜିଓ ଅଧୀନରେ ରହି ମୁଁ କାମ କରିବା ଆରମ୍ଭ କରିଥିଲି। ଏହି କାମ କରିବା ଭିତରେ ପରିବେଶ ଆଇନ ଉପରେ ମୋର ଜ୍ଞାନ ବଢ଼ିଥିଲା। ବଲାଙ୍ଗୀର, କୋରାପୁଟ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ କାମ କରିବା ସମୟରେ ମୁଁ ଜାଣିବାକୁ ପାଇଥିଲି ଯେ ପରିବେଶ ଏକ ଜଟିଳ ବ୍ୟବସ୍ଥା ଏବଂ ପରିସ୍ଥିତି ଅନୁସାରେ ପରିବେଶର ବ୍ୟାବହାରିକତା ମଧ୍ୟ ବଦଳିଥାଏ। ତେବେ ପରିବେଶର ଜଟିଳତାକୁ ବୁଝିବା ତଥା ପରିବେଶ ଉପରେ ମଣିଷର ପ୍ରଭାବ ସମ୍ପର୍କରେ ଭଲଭାବେ ଜାଣିବାକୁ ମୁଁ ଆରିଜୋନା ବିଶ୍ୱବିଦ୍ୟାଳୟରେ ଇକୋଲୋଜିକାଲ ଆନ୍ଥ୍ରୋପୋଲୋଜିରେ ପିଏଚ୍‌ଡି କରିଥିଲି।’

ସଂଯୋଗ ଯେତେବେଳେ ପିଏଚ୍‌ଡି କରି ଫେରିଥିଲେ, ସେ ଦେଖିଥିଲେ ଯେ ଚାଷୀମାନେ ଅଧିକ ଉତ୍ପାଦନ ପାଇଁ କୀଟନାଶକ ଓ ରାସାୟନିକ ସାରର ଅଧିକ ବ୍ୟବହାର କରୁଥିଲେ, ଯାହାକି ବାୟୁମଣ୍ଡଳ ଓ ମାଟି ପାଇଁ ଅତ୍ୟନ୍ତ ହାନିକାରକ। ଏଥିସହ ଯେଉଁମାନେ ଏସବୁ ବ୍ୟବହାର କରୁନଥିଲେ, ସେମାନେ ଜଙ୍ଗଲ କାଟି ଚାଷ କରୁଥିଲେ। ଫଳରେ ଜଙ୍ଗଲ ନଷ୍ଟ ହେଉଥିଲା। ଏଣୁ ଚାଷ ଯୋଗୁଁ ପରିବେଶ ଉପରେ ପଡୁଥିବା କୁପ୍ରଭାବକୁ ନିୟନ୍ତ୍ରିତ କରିବାକୁ ସେ ୨୦୧୭-୧୮ ମସିହାରେ ‘ମାଟି-ଫାର୍ମ’ ଖୋଲିଥିଲେ। ଚିଲିକାର ନିଜ ଜାଗାରେ ସେ ବିଭିନ୍ନ ବୈଜ୍ଞାନିକ ଉପାୟରେ ପରୀକ୍ଷଣ ଭିତ୍ତିରେ ‘ମଡେଲ୍‌ ଫାର୍ମିଂ’ ଆରମ୍ଭ କରିଥିଲେ। ‘ମଡେଲ ଫାର୍ମିଂ’ର ପରୀକ୍ଷଣ ସଫଳ ହୋଇଥିଲା ଏବଂ ବିଭିନ୍ନ ଅଞ୍ଚଳର କୃଷକମାନଙ୍କୁ ନେଇ ସେ ଏକ ଦୀର୍ଘସ୍ଥାୟୀ ଚାଷ ପ୍ରଣାଳୀ ଶିଖାଇବା ସହ କଣ୍ଟ୍ରାକ୍ଟ ଫାର୍ମିଂ ଜରିଆରେ କୃଷକମାନଙ୍କୁ ସେମାନଙ୍କ ଅମଳର ଭଲ ମୂଲ୍ୟ ମଧ୍ୟ ଦେଇଥିଲେ। ଦୀର୍ଘକାଳୀନ ଚ‌ା‌ଷ ଓ ସାମାଜିକ ନ୍ୟାୟଯୁକ୍ତ ଖାଦ୍ୟ ପ୍ରଣାଳୀକୁ ପ୍ରୋତ୍ସାହିତ କରିବାରେ ସଂଯୋଗଙ୍କର ମାଟି-ଫାର୍ମ ପୂର୍ବ-ଭାରତର କ୍ଷୁଦ୍ର ଚାଷୀମାନଙ୍କ ସହ ଘନିଷ୍ଠ ଭାବରେ ଯୋଡ଼ି ହୋଇ କାର୍ଯ୍ୟ କରୁଛି।

ଏଥିସହ ପ୍ରତିମାସରେ ସେ ୨ରୁ ୩ ଥର ଭୁବନେଶ୍ବରର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ବୁଲି ଦୀର୍ଘସ୍ଥାୟୀ କୃଷିପ୍ରଣାଳୀ, ପରିବେଶ ସଂରକ୍ଷଣ ଉପରେ କର୍ମଶାଳା କରିବା ସହ କଟକ, ଭୁବନେଶ୍ବର ନିକଟବର୍ତ୍ତୀ ଜଙ୍ଗଲ ଓ ବିଭିନ୍ନ ପ୍ରାକୃତିକ ସ୍ଥାନକୁ ଯାଇ ଏହାର ସଂରକ୍ଷଣ ଓ ଗୁରୁତ୍ବ ସମ୍ପର୍କରେ ଶିକ୍ଷାର୍ଥୀମାନଙ୍କୁ ସଚେତନ କରାଉଛନ୍ତି।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.