Breaking News

ଆମେରିକା ଷ୍ଟକ୍ ବଜାରରେ ଝଡ଼: ଉଡ଼ିଗଲା ୪ ଲକ୍ଷ କୋଟି ଡଲାର, ବମ୍ବେ ଷ୍ଟକ୍ ବଜାର ମୂଲ୍ୟଠୁ ଅଧିକ

ଗତକାଲି ଆମେରିକା ଷ୍ଟକ୍ ବଜାରରେ ଯେଉଁ ଝଡ଼ ଉଠିଥିଲା ତାହା ବିଭିନ୍ନ କମ୍ପାନିର ବଜାର ପୁଞ୍ଜିରୁ କୋଟି କୋଟି ଡଲାର ଉଡ଼ାଇ ନେଇଛି। ଗୋଟିଏ ଦିନରେ ସେଠାରେ ତାଲିକାଭୁକ୍ତ ହୋଇଥିବା କମ୍ପାନିଗୁଡ଼ିକର ମୂଲ୍ୟ ୪ ଲକ୍ଷ କୋଟି ଡଲାର ହ୍ରାସ ପାଇଛି।

ୱାସିଂଟନ: ଗତକାଲି ଆମେରିକା ଷ୍ଟକ୍ ବଜାରରେ ଯେଉଁ ଝଡ଼ ଉଠିଥିଲା ତାହା ବିଭିନ୍ନ କମ୍ପାନିର ବଜାର ପୁଞ୍ଜିରୁ କୋଟି କୋଟି ଡଲାର ଉଡ଼ାଇ ନେଇଛି। ଗୋଟିଏ ଦିନରେ ସେଠାରେ ତାଲିକାଭୁକ୍ତ ହୋଇଥିବା କମ୍ପାନିଗୁଡ଼ିକର ମୂଲ୍ୟ ୪ ଲକ୍ଷ କୋଟି ଡଲାର ହ୍ରାସ ପାଇଛି। ତାହା ବମ୍ବେ ଷ୍ଟକ୍ ବଜାରର ମୋଟ ମୂଲ୍ୟଠାରୁ ମଧ୍ୟ ଅଧିକ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନିଶ୍ଚିତ ଅର୍ଥନୈତିକ ନୀତି, ଶୁଳ୍କ ଲଢ଼େଇ, ଦରଦାମ୍ ବଢ଼ିବା ଆଶଙ୍କା ଏବଂ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେବାର ଭୟ ଆଦି କାରଣରୁ ଗତକାଲି ଆମେରିକୀୟ ଷ୍ଟକ୍ ବଜାରରେ ନିବେଶକମାନେ ବିପୁଳ ପରିମାଣର ସେୟାର ବିକିଥିଲେ।ଗତକାଲି ଆମେରିକା ଷ୍ଟକ୍ ବଜାରରେ ଝଡ଼ ଉଠିଥିଲା। ତାହାର ପ୍ରଭାବରେ ନାସ୍‌ଦାକ୍ ଓ ଏସ୍‌ଆଣ୍ଡ୍‌ପି ୫୦୦ରେ ବ୍ୟାପକ ହ୍ରାସ ହୋଇଥିଲେ। ଏହାର ପ୍ରଭାବରେ ବିଶ୍ବର ବହୁ ନାମୀଦାମୀ କମ୍ପାନିର ବଜାର ପୁଞ୍ଜି ହ୍ରାସ ପାଇଛି। ଟେସ୍‌ଲା, ଆପଲ୍‌, ମାଇକ୍ରୋସଫ୍ଟ, ଏନ୍‌ଭିଡିଆ, ଗୁଗଲ୍‌, ଆମାଜନ ଓ ମେଟାର ‌ବଜାର ପୁଞ୍ଜି କମିଛି।

ବିଶ୍ବର ୭ଟି ପ୍ରମୁଖ ପ୍ରଯୁକ୍ତି କମ୍ପାନି ମୋଟ ଉପରେ ୭୫,୦୦୦ କୋଟି ଡଲାର ହରାଇଛନ୍ତି। ଆଇଫୋନ୍ ନିର୍ମାତା ଆପଲ୍‌ ସର୍ବାଧିକ ୧୭,୪୦୦ କୋଟି ଡଲାରର କ୍ଷତି ସହିଛି। ଟେସ୍‌ଲା ସେୟାର ମୂଲ୍ୟ ୧୫ ପ୍ରତିଶତ ହ୍ରାସ ପାଇଛି। ମାଇକ୍ରୋସଫ୍ଟର ବଜାର ପୁଞ୍ଜିରେ ୯୮୦୦ କୋଟି ଡଲାର ଏବଂ ଆଲ୍‌ଫାବେଟ୍‌ରେ ୯୫୦୦ କୋଟି ଡଲାରର ହ୍ରାସ ଘଟିଛି। ଆମାଜନ ୫୦୦୦ କୋଟି ଡଲାର ଏବଂ ମେଟା ୭୦୦୦ କୋଟି ଡଲାର ହରାଇଛନ୍ତି। ସେମିକଣ୍ଡକ୍ଟର ନିର୍ମାତା ଏଏସ୍‌ଏମ୍ଏଲ୍‌, ମାଇକ୍ରନ୍ ଆଦିର ସେୟାର ମୂଲ୍ୟ ମଧ୍ୟ କମିଛି। ଆମେରିକା ଷ୍ଟକ୍ ବଜାର ଝଡ଼ର ପ୍ରଭାବ ଭାରତୀୟ ଷ୍ଟକ୍ ବଜାର କାରବାରରେ ପ୍ରତିଫଳିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ସେଭଳି କିଛି ଘଟିନାହିଁ। ମଙ୍ଗଳବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୨ ପଏଣ୍ଟ ହ୍ରାସ ପାଇ ୭୪,୧୦୨ ପଏଣ୍ଟ ଏବଂ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୩୭ ପଏଣ୍ଟ ବୃଦ୍ଧି ପାଇ ୨୨,୪୯୭ ପଏଣ୍ଟରେ ବନ୍ଦ ହୋଇଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.