Breaking News

ମାଣ୍ଡିଆ ମଦରୁ ସରକାର କ୍ଷାନ୍ତ ରୁହନ୍ତୁ: ମୋନା

ନିଶାମୁକ୍ତ ଓଡ଼ିଶା ଅବଶ୍ୟମ୍ଭାବୀ। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ସରକାର ଶ୍ରୀଅନ୍ନ ମାନ୍ୟତା ଦେଇଥିବ‌ା ମଣ୍ଡିଆରୁ ମଦ ପ୍ରସ୍ତୁତ ଯୋଜନା କରିଛନ୍ତି। ସରକାର ଏଥିରୁ କ୍ଷାନ୍ତ ରୁହନ୍ତୁ ବୋଲି ଦାବି....

ଭୁବନେଶ୍ବର: ନିଶାମୁକ୍ତ ଓଡ଼ିଶା ଅବଶ୍ୟମ୍ଭାବୀ। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ସରକାର ଶ୍ରୀଅନ୍ନ ମାନ୍ୟତା ଦେଇଥିବ‌ା ମଣ୍ଡିଆରୁ ମଦ ପ୍ରସ୍ତୁତ ଯୋଜନା କରିଛନ୍ତି। ସରକାର ଏଥିରୁ କ୍ଷାନ୍ତ ରୁହନ୍ତୁ ବୋଲି ଦାବି କରି ଆଜି ମିଳିତ ଓଡ଼ିଶା ନିଶାନିବାରଣ ଅଭିଯାନ(ମୋନା) ପକ୍ଷରୁ ବିଧାନସଭା ସମ୍ମୁଖରେ ଧାରଣା ଦିଆଯାଇଥିଲା। ସଭାପତି ପଦ୍ମଚରଣ ନାୟକଙ୍କ ନେତୃତ୍ବରେ ନଟବର ଖୁଣ୍ଟିଆ, ବିଜୟ କୁମାର ସ୍ବାଇଁ, ଅଦୈତ ପାତ୍ର, ସତ୍ୟନାରାୟଣ ସାମନ୍ତସିଂହାର, କାହ୍ନୁ ଚରଣ ବେହୁରା, ମଳୟ ତ୍ରିପାଠୀ, ଅରୁଣ କୁମାର ସ୍ବାଇଁ, ପ୍ରିୟନାଥ ଆଚାର୍ଯ୍ୟ, କୈଳାସ ମଲ୍ଲିକ, ରମାକାନ୍ତ ମଣ୍ଡଳ, ଇନ୍ଦୁମତୀ ସାହୁ, ଅର୍ଜୁନ ସାମନ୍ତରାୟ, ଶୁଭେନ୍ଦୁ ରାରତରାୟ, ଖଗେଶ୍ବର ବଳ, ଗୀତାଞ୍ଜଳି ସ୍ବାଇଁ, ରାଜଶ୍ରୀ ବିଶ୍ବାଳ, ଦୁର୍ଗା ଦାଶ, ଅପର୍ଣ୍ଣା ନାୟକ, ବିଜୟଲକ୍ଷ୍ମୀ ଦାସ, ପ୍ରୀତି ନାୟକ, ସୁକାନ୍ତ ସେଠୀ, ଦୁଷ୍ମନ୍ତ ଜେନା, ନମିତା ସାହୁ, ମିନତି ପ୍ରହରାଜ, ନୀଳମଣି ମିଶ୍ର ପ୍ରମୁଖ ପ୍ରତିବାଦ କରିଥିଲେ।

ମୋନା ପକ୍ଷରୁ କୁହାଯାଇଛି ଯେ ବିଜେପି ସରକାର ନିର୍ବାଚନୀ ଇସ୍ତାହାରରେ ୨୦୨୯ ସୁଦ୍ଧା ଓଡ଼ିଶାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବାକୁ ପ୍ରତିଶ୍ରୁତି ଦେଇ  କ୍ଷମତାକୁ ଆସିଥିଲା। କିନ୍ତୁ ଏବେ ପ୍ରତିଶ୍ରୁତି ଭୁଲି ମଦ ପ୍ରସାରଣ କରିବା ଯେଜାନା କରିଛନ୍ତି। ମାଣ୍ଡିଆରୁ ମଦ ପ୍ରସ୍ତୁତ କରାଯିବ ବୋଲି ବିଧାନସଭାରେ ଅବକାରୀ ମନ୍ତ୍ରୀଙ୍କ ଘୋଷଣା ଲଜ୍ୟା ଓ ପରିତାପର ବିଷୟ। କିଛି ଦିନ ତଳେ ସରକାର ମାଣ୍ଡିଆକୁ ଶ୍ରୀଅନ୍ନ ବୋଲି ଘୋଷଣା କରି ବାହାବା ନେଇଥିଲେ। ଦିନ କେଇଟା‌ ନଯାଉଣୁ ସେହି ଶ୍ରୀଅନ୍ନରୁ ମଦ ପ୍ରସ୍ତୁତ କରିବା ଭଳି ହୀନ ମାନସିକତା ପ୍ରଦର୍ଶନ କରିଛନ୍ତି। କିଛି ମଦ ମାଫିଆ ସୃଷ୍ଟି କରିବା ଯେଉଁ ମସୁଧା କରିଛନ୍ତି ତାହା ପଦାରେ ପଡ଼ିଛି। ଆଗାମୀ ଦିନ ପାଇଁ ଏହା ଶୁଭଙ୍କର ନୁହେଁ। ତେଣୁ ସରକାରଙ୍କୁ ଚେତାଇ ଦେବାକୁ ଚାହୁ ଯେ, ନିର୍ବାଚନୀ ସଂକଳ୍ପପତ୍ର ପୃଷ୍ଠା ୩୮ରେ ସ୍ଥାନିତ ‘୨୦୨୯ ମସିହା ସୁଦ୍ଧା ନିଶାମୁକ୍ତ ଓଡ଼ିଶା ଗଠନ’ ସଂକଳ୍ପ ପାଳନ କରନ୍ତୁ। ସରକାର ଏପ୍ରିଲ ପ‌ହିଲାଠାରୁ ଓଡ଼ିଶାକୁ ନିଶାମୁକ୍ତ କରିବା ଦିଗରେ କିଛି ସକରାତ୍ମକ ତଥା ଆଖିଦୃଶିଆ ପଦକ୍ଷେପ ନିଅନ୍ତୁ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.