Breaking News

ମାର୍ଚ୍ଚ ୧୯ରେ ହରିରାଜପୁର ମେଳଣ: ଆତସବାଜିରେ ଝଲସିବ ଆକାଶ

ଆସନ୍ତା ୧୯ ତାରିଖରେ ହରିରାଜପୁର ମେଳଣ ଅନୁଷ୍ଠିତ ହେବ। ଏହି ମେଳଣର ଅନେକ ବିଶେଷତ୍ୱ ରହିଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକମାନେ ଏଠାକୁ ଆସିଥାନ୍ତି। ପରମ୍ପରା ଅନୁସାରେ ଏଠାରେ ୫ଦିନ ବ୍ୟାପୀ ଉତ୍ସବ ପାଳନ କରାଯାଏ।

ଜଟଣୀ: ଆସନ୍ତା ୧୯ ତାରିଖରେ ହରିରାଜପୁର ମେଳଣ ଅନୁଷ୍ଠିତ ହେବ। ଏହି ମେଳଣର ଅନେକ ବିଶେଷତ୍ୱ ରହିଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକମାନେ ଏଠାକୁ ଆସିଥାନ୍ତି। ପରମ୍ପରା ଅନୁସାରେ ଏଠାରେ ୫ଦିନ ବ୍ୟାପୀ ଉତ୍ସବ ପାଳନ କରାଯାଏ। ବିଶେଷକରି ଠାକୁରଙ୍କ ଜମାଣ ରାତିରେ ଆଖପାଖ ଅଞ୍ଚଳର ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ଏହି ସମୟରେ ସ୍ଥାନାଧିପତି ଶ୍ରୀଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ନିକଟରେ ନିଷ୍ଠାର ସହ ସୁମରଣା କଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି। ମେଳଣର ଅନ୍ୟତମ ଆକର୍ଷଣ ହେଉଛି ଠାକୁରମାନଙ୍କ ଜମାଣ ରାତିରେ ମନଲୋଭା ଆତସବାଜି ପ୍ରଦର୍ଶନ। ସୋମନାଥ ଦେବଙ୍କ ପାଖରେ ମାନସିକ ରଖିଥିବା ଭକ୍ତମାନେ ରାତିତମାମ ଆତସବାଜି ଫୁଟାଇଥାନ୍ତି।

୭୯ ଠାକୁର ହୁଅନ୍ତି ସାମିଲ 
ଏହି ପଞ୍ଚୁଦୋଳ ମେଳଣ ତିଥି ଅନୁସାରେ ଚୈତ୍ର ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଅନୁଷ୍ଠିତ ହୋଇଥାଏ। ସବୁଠୁ ବଡ଼ କଥା ହେଉଛି ହରିରାଜପୁରର ଚତୁଃପାର୍ଶ୍ବରେ ଥିବା ହରିରାଜପୁରର ଶ୍ରୀଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବ, ବୁଢ଼ାପଡ଼ାର ଶ୍ରୀଶ୍ରୀ ସୋମନାଥ ଦେବ, କନ୍ତିଆର ଶ୍ରୀଶ୍ରୀ ବାଲୁଙ୍କେଶ୍ବର ଦେବ, ଛଣଘରର ଶ୍ରୀଶ୍ରୀ ଗତିଶ୍ୱର ଦେବ ଓ ଭଁସର ଗ୍ରାମର ଶ୍ରୀଶ୍ରୀ ନୀଳକଣ୍ଠେଶ୍ୱର ଦେବଙ୍କୁ ନେଇ ଆରମ୍ଭ ହୋଇଥିଲା ହରିରାଜପୁର ପଞ୍ଚୁଦୋଳ ମେଳଣ। କାଳକ୍ରମେ ଏଠାରେ ବର୍ତ୍ତମାନ ସମୟରେ ୭୯ ଠାକୁରଙ୍କୁ ସାମିଲ କରାଯାଇଥିବା ବେଳେ ଚଳିତ ବର୍ଷ ଆଉ ୩ରୁ ୫ଠାକୁର ସାମିଲ ହୋଇପାରନ୍ତି ବୋଲି ଆଶା କରାଯାଉଛି। ସେହିପରି ହାଣ୍ଡି ଭୋଗ ଓ ନାଲା ଭୋଗ ଲାଗି ପରେ ଆରମ୍ଭ ହୋଇ ଗୋଧୂଳି ଲଗ୍ନ ପରେ ମେଳଣ ଶେଷ ହୋଇଥାଏ।

୧୬୩୭ରେ ଆରମ୍ଭ ହୋଇଥିଲା  
ସୂଚନାନୁସାରେ, ଗଜପତି ମହାରାଜା ନରସିଂହ ଦେବଙ୍କ ରାଜତ୍ୱର ପ୍ରଥମ ୧୫ ବର୍ଷ ସୁଖଶାନ୍ତିରେ କଟିଥିବାରୁ ୧୬୩୬ ଖ୍ରୀଷ୍ଟାବ୍ଦ ଚୈତ୍ରମାସ କୃଷ୍ଣ ପକ୍ଷରେ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବସନ୍ତରାସ (ନୂତନ ରଥଯାତ୍ରା) ଅନୁଷ୍ଠିତ ହୋଇଥିଲା। ଏହି ରଥଯାତ୍ରା ଦେଖି ସାରି ହରିରାଜପୁର ଗ୍ରାମର ବାବାଜୀ ଗୋବର୍ଦ୍ଧନ ଓ ନିତେଇ ସାହୁ ଗ୍ରାମକୁ ଫେରିବା ବାଟରେ ଶ୍ରୀଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପଞ୍ଚୁଦୋଳ ମେଳଣ କରିବାକୁ ମନସ୍ଥ କରିଥିଲେ।  ଉଭୟଙ୍କ ପାଖରେ ଥିବା ଏକଟଙ୍କା ଚାରି ଅଣାରେ ବାଟରୁ ଛୋଟ ଛୋଟ ଆଟିକାମାନ କିଣି ଗାଁକୁ ଫେରିଥିଲେ। ପରେ ଗ୍ରାମରେ ସମସ୍ତଙ୍କ ଘରେ ଆଟିକାଗୁଡ଼ିକୁ ବାଣ୍ଟି ସେଥିରେ ପ୍ରତିଦିନ ଦୁଇଓଳି ମୁଠାଏ ଲେଖାଏଁ ଚାଉଳ ପକାଇବାକୁ ଅନୁରୋଧ କରିଥିଲେ। କିଛି ଦିନ ପରେ ଗ୍ରାମବାସୀଙ୍କ ଠାରୁ ସଂଗୃହୀତ ଏହି ମୁଠି ଚାଉଳକୁ ବିକ୍ରି କରି ସେହି ଅର୍ଥରେ ପରବର୍ଷ ଅର୍ଥାତ୍ ୧୬୩୭ ଖ୍ରୀଷ୍ଟାବ୍ଦ ଚୈତ୍ର ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଶ୍ରୀଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପଞ୍ଚୁଦୋଳ ମେଳଣ ଆରମ୍ଭ ହୋଇଥିଲା। ସେହିପରି ୧୫୬୮ରୁ ୧୬୦୦ ଖ୍ରୀଷ୍ଟାବ୍ଦରେ ଠାକୁରଙ୍କ ଭୋଗ ମଣ୍ଡପକୁ ରଥିପୁର ଗଡ଼ନାୟକ ମାଧବ ଶ୍ରୀଚନ୍ଦନ ନିର୍ମାଣ କରିଥିଲେ ବୋଲି କୁହାଯାଏ।

ବାଣ, ରୋଶଣିରେ ମେଳଣ ପଡ଼ିଆକୁ ଯାତ୍ରା 
ପରମ୍ପରା ଅନୁସାରେ, ମଧ୍ୟ ରାତ୍ରିରେ ସ୍ଥାନାଧିପତି ଶ୍ରୀଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ବିଜେ ପ୍ରତିମା ମନ୍ଦିରରୁ ବାହାରି ବିମାନରେ ପଶ୍ଚିମଦ୍ୱାର ଦେଇ ବାଟରୁ ଶ୍ରୀଗୋପାଳଜୀ ଓ ବାଳମୁକୁନ୍ଦଦେବଙ୍କୁ ସାଙ୍ଗରେ ନେଇ ଭକ୍ତଙ୍କ ଗହଣରେ ବାଜା, ବାଣ, ରୋଶଣି, ହୁଳହୁଳି, ଘଣ୍ଟ ନାଦରେ ମେଳଣ ପଡ଼ିଆକୁ ଯାତ୍ରା କରିଥାନ୍ତି। ସେଠାର ବିଭିନ୍ନ ଗ୍ରାମରୁ ଆସିଥିବା ଠାକୁରମାନଙ୍କ ଶୋଭାଯାତ୍ରାରେ ସାମିଲ ହୋଇଥାନ୍ତି। ପଡ଼ିଆରେ ସମସ୍ତ ଠାକୁରଙ୍କ ପୂଜା ଆରାଧନା, ଧୂପଦୀପ, ପୁଷ୍ପ, ହାଣ୍ଡିଭୋଗ ଲାଗି ସହ ଫଗୁ ଅର୍ପଣ କରି ଭକ୍ତମାନେ ଅବିରରେ ରଙ୍ଗାୟିତ ହୋଇଥାନ୍ତି। ଶେଷ ସନ୍ଧ୍ୟାରେ ପ୍ରଥମେ ଶ୍ରୀଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ବିମାନକୁ ଆସ୍ଥାନରୁ ଉଠାଇ ରତ୍ନବେଦୀ ଆଡ଼କୁ ଅଣାଯିବା ପରେ ଅନ୍ୟ ସମସ୍ତ ଠାକୁର ବିମାନରେ ସ୍ବଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ରାତ୍ରିରେ ପଶ୍ଚିମାଶମ୍ଭୁ ସୋମନାଥ ଦେବ ଗ୍ରାମର ଚାଚେରୀ ଭୋଗଖାଇ ଭୋର୍‌ରେ ମହାସ୍ନାନ ପରେ ମନ୍ଦିର ବେଢ଼ାକୁ ପ୍ରବେଶ କରିଥାନ୍ତି।

କମିଟିର ସମ୍ପାଦକ ପ୍ରସନ୍ନ ମହାରଥୀ କୁହନ୍ତି, ପଞ୍ଚୁଦୋଳ ମେଳଣର ମୁଖ୍ୟ ଆକର୍ଷଣ ହେଉଛନ୍ତି ପଶ୍ଚିମାଶମ୍ଭୁ ସୋମନାଥ ଦେବ। ଛୋଟରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ପ୍ରସିଦ୍ଧି ଲାଭ କରିଛି। ପୂର୍ବରୁ ମେଳଣ ୪ଦିନ ଧରି ପାଳନ ହେଉଥିଲା। ୨୦୨୩ ମସିହାରୁ ଏହା ୫ଦିନ ଧରି ପାଳନ କରାଯାଉଛି। ଚଳିତ ବର୍ଷ ୧୫ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.