Breaking News

ଆଶାର ଗବାକ୍ଷ: କ୍ରୋଧଗ୍ରାସରୁ ସର୍ବନାଶ

ଛୋଟିଆ କାହାଣୀଟିଏ। ବଦରାଗୀ ପୁଅକୁ ତା’ ବାପା ମୁଠାଏ କଣ୍ଟା ଦେଇ କହିଲେ, ସାତ ଦିନ ଯାଏ ରାଗର ପ୍ରତ୍ୟେକ ମୁହୂର୍ତ୍ତରେ ବାରିପଟ ଟିଣ ବାଡ଼ରେ ସେ ଗୋଟିଏ ଲେଖାଏଁ କଣ୍ଟା ମାରିବ ଏବଂ ତା’ ପର ସାତ ଦିନ ଗୋଟିଏ ଲେଖାଏଁ କଣ୍ଟା ସେଠୁ ବାହାର କରିବ।

ଗୌରଚନ୍ଦ୍ର ତ୍ରିପାଠୀ

ଛୋଟିଆ କାହାଣୀଟିଏ। ବଦରାଗୀ ପୁଅକୁ ତା’ ବାପା ମୁଠାଏ କଣ୍ଟା ଦେଇ କହିଲେ, ସାତ ଦିନ ଯାଏ ରାଗର ପ୍ରତ୍ୟେକ ମୁହୂର୍ତ୍ତରେ ବାରିପଟ ଟିଣ ବାଡ଼ରେ ସେ ଗୋଟିଏ ଲେଖାଏଁ କଣ୍ଟା ମାରିବ ଏବଂ ତା’ ପର ସାତ ଦିନ ଗୋଟିଏ ଲେଖାଏଁ କଣ୍ଟା ସେଠୁ ବାହାର କରିବ। କିଛିଦିନ ପରେ, ପୁଅ ବାପାଙ୍କୁ କହିଲା ବାହାର କରିବାକୁ ଆଉ କୌଣସି କଣ୍ଟା ବାକି ନାହିଁ। ତା’ ପରେ ବାପା ପୁଅକୁ ବାଡ଼ର ଗର୍ତ୍ତ ସବୁ ଦେଖାଇ କହିଲେ ପୁଅ ଏହି ଯେଉଁ ଗାତସବୁ କରିଛୁ ଚିରକାଳ ପାଇଁ ଏଇମିତି ଆଁ ଫାଡ଼ି ରହିବ। କ୍ରୋଧରେ କୁହାଯାଇଥିବା ଶବ୍ଦଗୁଡ଼ିକ ଠିକ୍‌ ଏମିତି, ହୃଦୟରେ କ୍ଷତ ସୃଷ୍ଟି କରେ, ଯାହା କେବେ ବି ଭରେନି। ଗୀତାରେ ଉଲ୍ଲେଖ ଅଛି, ‘କ୍ରୋଧାଦ୍ଭବତି ସମ୍ମୋହ, ସମ୍ମୋହାତ ସ୍ମୃତିବିଭ୍ରମଃ, ସ୍ମୃତିଭ୍ରଂଶାଦ ବୁଦ୍ଧିନାଶ, ବୁଦ୍ଧିନାଶାତ୍ପଣଶ୍ୟତି।’ କ୍ରୋଧରୁ ମୋହଭାବର ସୃଷ୍ଟି ହୁଏ, ମୋହଭାବରୁ ସ୍ମୃତିଭ୍ରଂଶ, ସ୍ମୃତିଭ୍ରଂଶରୁ ବୁଦ୍ଧିନାଶ ଏବଂ ବୁଦ୍ଧିନାଶରୁ ମଣିଷର ବିନାଶ ହୋଇଥାଏ। ଦାର୍ଶନିକ ଫ୍ରେଡରିକ  ନିତ୍‌ସେଙ୍କ ମତରେ, ପ୍ରତ୍ୟେକ ବ୍ୟକ୍ତିର ଦୁଇଟି ପ୍ରବୃତ୍ତି ରହିଛି- ଆପୋଲନିୟନ ଏବଂ ଡାଓନିସିୟୋନ ବା ଶୃଙ୍ଖଳା ଏବଂ ବିଶୃଙ୍ଖଳାର। କ୍ରୋଧ ହେଉଛି ଡାଓନିସିୟୋନ ପ୍ରବୃତ୍ତି, ଏକ ନକାରାତ୍ମକ ଆବେଗ, ଯନ୍ତ୍ରଣାର ପରିଶୋଧର କାମନା ଏବଂ ଏହା ଏକ ସାମୟିକ ପାଗଳାମି। କ୍ରୋଧ ସୃଷ୍ଟି ହୁଏ ଅତୀତର ଅନୁଭୂତିରୁ; ସମୟକ୍ରମେ ଗଢ଼ି ଉଠିଥିବା ଅଭ୍ୟାସରୁ, ମାନସିକ ପ୍ରବୃତ୍ତି, ପ୍ରକୃତି, ଚିନ୍ତାଧାରାରୁ; ଗର୍ବ, ଅହଂକାର, ଈର୍ଷା ଓ ସଂଶୟଭାବରୁ। କ୍ରୋଧୀ ବ୍ୟକ୍ତି ଉଗ୍ର, ଉତ୍ତ୍ୟକ୍ତ, ଅସନ୍ତୁଷ୍ଟ, ନକାରାତ୍ମକ ସ୍ବଭାବର ହୁଅନ୍ତି ଏବଂ ଅନ୍ୟର ଦୋଷଦୁର୍ଗୁଣ ସନ୍ଧାନରେ ରହନ୍ତି। କ୍ରୋଧ ହିଁ ଯୁଦ୍ଧ, ସାମ୍ପ୍ରଦାୟିକ ଓ ଜାତିଆଣ ଦଙ୍ଗା, ହତ୍ୟା, ଆତ୍ମହତ୍ୟା, ନରସଂହାର ପରି ଅପରାଧର ମୂଳ କାରଣ।
ମନସ୍ତତ୍ତ୍ବ ଶାସ୍ତ୍ର ମତରେ କ୍ରୋଧର ତିନିଟି ଦିଗ ରହିଛି- ସଂଜ୍ଞାନାତ୍ମକ, ଶାରୀରିକ ଓ ବ୍ୟାବହାରିକ। କ୍ରୋଧର ସଂଜ୍ଞାନାତ୍ମକ ଚିନ୍ତାଧାରା ହେଲା ‘ଯାହା ହେଲା ଠିକ୍‌ ହେଲାନି’, ‘ଏହା ଅନ୍ୟାୟ, ଅନୁଚିତ ଓ ଅସହ୍ୟ’, ଏହାର ମୁଁ ବିରୋଧ କରିବି। ଶାରୀରିକ ପ୍ରତିକ୍ରିୟା ଭାବେ ହୃଦୟର ଗତି ତୀବ୍ର ହୁଏ, ହାତ ମୁଠା କଠିନ ହୋଇଯାଏ, ମାଂସପେଶୀରେ କମ୍ପନ ସୃଷ୍ଟି ହୁଏ ଏବଂ ଚିବୁକ ଟାଣ ହୋଇଯାଏ। ବ୍ୟାବହାରିକ ପ୍ରତିକ୍ରିୟା ଭାବେ କ୍ରୋଧୀ ବ୍ୟକ୍ତି ଚିତ୍କାର କରେ, ଜିନିଷ ଫିଙ୍ଗାଫିଙ୍ଗି କରେ ଏବଂ ଶାରୀରିକ ଆଘାତ ଦିଏ। ରୁମିଙ୍କ ଭାଷାରେ, କ୍ରୋଧ ଏକ ବାତ୍ୟା ପରି; କିଛି ସମୟ ପରେ ଶାନ୍ତ ପଡ଼ିଯାଏ କିନ୍ତୁ ତା’ପୂର୍ବରୁ ଅପୂରଣୀୟ କ୍ଷତି କରିଯାଇଥାଏ।
କ୍ରୋଧ ଅହଂଭାବରୁ ଉତ୍ପନ୍ନ ଏକ ଅନିଷ୍ଟକାରୀ ଅନୁଭବ; ଆତ୍ମ-ବିଧ୍ବଂସକାରୀ ଆବେଗ। ଶୈଶବ, କୈଶୋର, ଯୌବନ ଓ ବାର୍ଦ୍ଧକ୍ୟ- ଜୀବନର ପ୍ରତ୍ୟେକ ସୋପାନରେ, କ୍ରୋଧର କରାୟତ ମଣିଷ ନିଜର ହିତାହିତ ଜ୍ଞାନ ହରାଇ ଭସ୍ମାସୁର ସାଜିଥାଏ। ଋଷି, ମହାଋଷି ବି କ୍ରୋଧର କବଳରୁ ବାଦ୍‌ ପଡ଼ି ନାହାନ୍ତି। ଭୃଗୁ ଋଷି ଭଗବାନ ବିଷ୍ଣୁଙ୍କ ଛାତିରେ ଲାତ ମାରିଛନ୍ତି। ମହାଭାରତ ଯୁଦ୍ଧରେ ଅସ୍ତ୍ର ନଧରିବାର ପ୍ରତିଜ୍ଞାବଦ୍ଧ ଶ୍ରୀକୃଷ୍ଣ, କ୍ରୋଧରେ ପିତାମହ ଭୀଷ୍ମଙ୍କୁ ପ୍ରତିହତ କରିବା ପାଇଁ ହାତରେ ରଥଚକ ଧରିଛନ୍ତି। ଗୌତମ ଋଷି ପତ୍ନୀ ଅହଲ୍ୟାଙ୍କୁ ପାଷାଣରେ ପରିଣତ କରିଦେଇଛନ୍ତି ଏବଂ ମହର୍ଷି ଦୁର୍ବାସାଙ୍କ କ୍ରୋଧର ଶିକାର ହୋଇ ଶକୁନ୍ତଳା ପାଇଛନ୍ତି ଅକଥନିୟ ଯନ୍ତ୍ରଣା। କ୍ରୋଧରେ ଅନ୍ଧ ହୋଇ ଯମଦଗ୍ନି ଋଷି ପୁତ୍ର ପର୍ଶୁରାମଙ୍କୁ ଆଦେଶ ଦେଇଛନ୍ତି ତାଙ୍କ ମା’ଙ୍କ ମୁଣ୍ଡ କାଟିବା ପାଇଁ ଏବଂ ପିତାଙ୍କ ମୃତ୍ୟୁରେ ପ୍ରତିଶୋଧ ପରାୟଣ ହୋଇ ପ୍ରଭୁ ପର୍ଶୁରାମ ପୃଥିବୀ ପୃଷ୍ଠରୁ ୨୧ ଥର କ୍ଷତ୍ରିୟବଂଶ ଧ୍ବଂସ କରିଛନ୍ତି। କ୍ରୋଧର ବଶବର୍ତ୍ତୀ ହୋଇ ଋଷି ବିଶ୍ବାମିତ୍ର ବଶିଷ୍ଠ ଋଷିଙ୍କୁ ହତ୍ୟା କରିବାକୁ ଚିନ୍ତା କରିଛନ୍ତି। ମନେପଡ଼େ, ହର୍ଷଚରିତରେ ବାଣଙ୍କ ଉକ୍ତି “ଅତିରୋଷଣଶ୍ଚକ୍ଷୁଷ୍ମାନ୍ ଅନ୍ଧ ଏବ ଜନଃ।” ଅତି ରାଗ ମଣିଷକୁ ଅନ୍ଧ କରିଦିଏ। ସେକ୍ସପିଅରଙ୍କ ବିଖ୍ୟାତ ନାଟକ ‘ହେମଲେଟ’ରେ ଦର୍ଶାଯାଇଛି, କ୍ରୋଧାନ୍ଧ ହେମଲେଟ ତା’ର ପ୍ରେମିକା, ତା’ ଭାଇ, କକା ଓ ଶେଷରେ ନିଜ ମୃତ୍ୟୁର କାରଣ ସାଜିଛି। କ୍ରୋଧର ଅନ୍ତ ସବୁବେଳେ କଷ୍ଟଦାୟକ, ସନ୍ଦେଶ ଦିଆଯାଇଛି ଇଟାଲୀୟ କବି ଓ ଲେଖକ ଦାନ୍ତେଙ୍କ ‘ଡିଭାଇନ କମେଡି’ କବିତାରେ।
ସବୁ ସମସ୍ୟାର ସମାଧାନର ଯେମିତି ରାସ୍ତା ଅଛି, କ୍ରୋଧ ପରିଚାଳନାର ବି ସେମିତି କିଛି ସରଳ ଉପାୟ ରହିଛି, ଯେମିତିକି: ଗବେଷକ ଲିନେହାନଙ୍କ ଦ୍ବନ୍ଦ୍ବାତ୍ମକ ଚିକିତ୍ସା ପଦ୍ଧତିରେ କ୍ରୋଧିତ ଅବସ୍ଥାରେ ନିଜ ଧ୍ୟାନକୁ ଅନ୍ୟ କୌଣସି ଘଟଣା ଉପରେ କେନ୍ଦ୍ରୀଭୂତ କରିବା ଉପରେ ଗୁରୁତ୍ବ ଦିଆଯାଇଛି। କ୍ରୋଧର ସଙ୍କେତ ପାଇଲେ ତା’ର ବିପରୀତଧର୍ମୀ ପଦକ୍ଷେପ ନିଅନ୍ତୁ। ଏକ ଚୀନୀ ପ୍ରବାଦ ମତରେ, ଗୋଟିଏ ମୁହୂର୍ତ୍ତର ନିରବତା, ହଜାରେ ଦିନର ଝଡ଼ଝଞ୍ଜାରୁ ରକ୍ଷା କରେ। ଆତ୍ମନିୟନ୍ତ୍ରଣ ହିଁ କ୍ରୋଧରୁ ରକ୍ଷା ପାଇବାର ଶ୍ରେଷ୍ଠ ଉପାୟ। ପ୍ରତିକ୍ରିୟା ପ୍ରକାଶ କରିବା ପୂର୍ବରୁ କିଛି କ୍ଷଣ ଅଟକି ଯାଆନ୍ତୁ। କ୍ଷମା କରନ୍ତୁ। କ୍ରୋଧରୁ ଘୃଣାର ସୃଷ୍ଟି ହୁଏ ଏବଂ କ୍ଷମାରୁ ପ୍ରେମ। ରୁମିଙ୍କ ଭାଷାରେ, ଗଳା ଉଚ୍ଚା କରନ୍ତୁନି, ଶବ୍ଦକୁ ଉଚ୍ଚ କରନ୍ତୁ; ବର୍ଷାରେ ଫୁଲ ଫୁଟେ, ଝଡ଼ବାତ୍ୟାରେ ନୁହେଁ।
ମହାଭାରତରେ ଯକ୍ଷର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଯୁଧିଷ୍ଠିର କହିଛନ୍ତି, କ୍ରୋଧର ତ୍ୟାଗରେ ହିଁ ମଣିଷର ଊର୍ଦ୍ଧ୍ବଗତି ହୁଏ। କ୍ରୋଧ ଏକ ବିକଳ୍ପ; ଆନନ୍ଦ ଉଚ୍ଛ୍ବସିତ ଜୀବନ ନା ଦୁଃଖ ଜର୍ଜର ମରଣ, କାହାକୁ ଆପଣେଇବା ସେ’ ନିଷ୍ପତ୍ତି ଆପଣଙ୍କ ହାତରେ। ତେଣୁ ଶାନ୍ତ ସ୍ବଭାବକୁ ଆପଣାନ୍ତୁ।  ତା’ହେଲେ ହିଁ ପରିବାରରେ, ସମାଜରେ ଓ ସମଗ୍ର ବିଶ୍ବରେ ସ୍ନେହ, ଶ୍ରଦ୍ଧା, ଶାନ୍ତି ଓ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣର ପ୍ରତିଷ୍ଠା ସମ୍ଭବ ହୋଇପାରିବ। ଏହି ମର୍ମରେ ମନେପଡ଼େ ଆମେରିକୀୟ ପ୍ରେରଣଦାୟୀ ବକ୍ତା ଟି. ବୋୟଡଙ୍କ ଉକ୍ତି- ‘ଜୀବନ ଆମକୁ ଦେଇଥିବା କାର୍ଡ ବଦଳାଇ ପାରିବାନି, କିନ୍ତୁ ଆମେ ସେଗୁଡ଼ିକୁ କେମିତି ଖେଳିବା ନିଶ୍ଚିତ ଭାବରେ ତାହା ନିର୍ଣ୍ଣୟ କରିପାରିବା।’ ଆପଣ ବୁଦ୍ଧ ନ ହେଲେ ବି ଆପଣଙ୍କ ଭିତରେ ବୌଦ୍ଧିକ ଚେତନାର ଜାଗ୍ରତ ହେବ, ଏହା ସୁନିଶ୍ଚିତ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୦୪୨୫୨୭

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.