Breaking News

ଦୁର୍ଘଟଣା ନୁହେଁ, ହତ୍ୟା!

ସେଦିନ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଟିକେଟ୍‌ ଗଣାଯାଇନଥିଲା, ମାତ୍ର ମୃତଦେହ ଗଣନା କରାଯାଇଥିଲା। ମନେ କରାଯାଉ, ରେଳ ଷ୍ଟେସନରେ ଏକ ନୂତନ ଘଟଣା ଘଟିଗଲା। କୁମ୍ଭମେଳା ପରି ଏଠାରେ ମଧ୍ୟ....

କୁମାର ପ୍ରଶାନ୍ତ

ସେଦିନ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଟିକେଟ୍‌ ଗଣାଯାଇନଥିଲା, ମାତ୍ର ମୃତଦେହ ଗଣନା କରାଯାଇଥିଲା। ମନେ କରାଯାଉ, ରେଳ ଷ୍ଟେସନରେ ଏକ ନୂତନ ଘଟଣା ଘଟିଗଲା। କୁମ୍ଭମେଳା ପରି ଏଠାରେ ମଧ୍ୟ ସରକାର ପ୍ରଥମେ ମୃତଦେହ ସଂଗ୍ରହ କରିଥିଲେ ଏବଂ ଦୁର୍ଘଟଣାର ସମସ୍ତ ଚିହ୍ନ ଲିଭାଇ ଦେଇଥିଲେ। ପରେ ମୃତକଙ୍କ ସଂଖ୍ୟା ଏମିତି ଘୋଷଣା କରାଯାଇଥିଲା, ସତେ ଯେପରି ସେଠାରେ ଏକ ନୋଟ୍‌ ଗଣନା ଯନ୍ତ୍ର ଲଗାଯାଇଥିଲା, ଯିଏ ତୁରନ୍ତ ମୃତକଙ୍କ ସଂଖ୍ୟା ଗଣୁଥିଲା। ଏପଟେ ସଂଖ୍ୟା ବତାଇ ଦିଆଗଲା, ସେପଟେ ମୃତ୍ୟୁର ମୂଲ୍ୟ କୁହାଗଲା, ଆଉ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲା। ପ୍ରୟାଗରାଜ କୁମ୍ଭମେଳାରେ ମଧ୍ୟ ସମାନ ଘଟଣା ଘଟିଥିଲା। ମୃତଦେହ ସଂଗ୍ରହ କରାଯିବା ପରେ ମେଳା ପୁଣି ଯଥାରୀତି ଆଗକୁ ଗତି କରିଥିଲା। ସେଠାରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଶାସକ ଓ ବିରୋଧୀ ଦଳର ଶୀର୍ଷ ନେତା, ସମାଜସେବୀ, ଖେଳାଳି, ଅଭିନେତା ଏବଂ କେତେ କିଏ ବୁଡ଼ ପକାଇଥିଲେ। କିନ୍ତୁ କୁମ୍ଭରେ ବୁଡ଼ ପକାଇ ମୃତକଙ୍କ ମୁକ୍ତି ପାଇଁ ପ୍ରାର୍ଥନା କରିବାର ଅଥବା ନିଜର ଆପରାଧିକ ଭୁଲ୍‌ ପାଇଁ କ୍ଷମା ମାଗିବାର ମୁଁ କେଉଁଠି ବି ପଢ଼ିବାକୁ ବା ଶୁଣିବାକୁ ପାଇଲିନାହିଁ।
ଦିଲ୍ଲୀ ରେଳ ଷ୍ଟେସନରେ ମଧ୍ୟ ଠିକ୍‌ ଏମିତି ହେଲା। ଶବ ସଂଗ୍ରହ କରିବା ଏବଂ ମୃତକଙ୍କ ସଂଖ୍ୟା ଘୋଷଣା କରିବା ପରେ ଦୁର୍ଘଟଣା ପାଇଁ ଦଳାଚକଟାକୁ ଦାୟୀ କରି ରେଳବାଇ ଯେତେଶୀଘ୍ର ସମ୍ଭବ ପ୍ଲାଟଫର୍ମ ଖାଲି କରି ଟିକେଟ୍‌ ବିକ୍ରି ଆରମ୍ଭ କରିଦେଲା। ପିଲାମାନେ ସିଲଟରେ ଲେଖିଥିବା ଶବ୍ଦକୁ ଲିଭାଇଦେଲା ପରି ସେଠାରେ ଯାହା ଘଟିଥିଲା, ତାହାକୁ ଲିଭାଇ ଦିଆଗଲା। ବିଚରା କରିଥା’ନ୍ତେ ବା କ’ଣ! କିଛି ଲୋକଙ୍କ ମୃତ୍ୟୁ ପରେ କ’ଣ ରେଳସେବାକୁ ବନ୍ଦ କରିଦେଇଥା’ନ୍ତେ? କୁମ୍ଭମେଳାକୁ କ’ଣ ରୋକିଦେଇଥା’ନ୍ତେ? ଇହଲୋକଠାରୁ ପରଲୋକର ମାହାତ୍ମ୍ୟ କାହିଁ କେତେ ଅଧିକ ହୋଇଥାଏ। ବ୍ୟବସ୍ଥା ହିଁ ନିଜେ ଏକ ସ୍ବୟଂକ୍ରିୟ ଯନ୍ତ୍ର ଭାଇ, ତାହାକୁ ମାନବୀୟ କରିବାକୁ ଚେଷ୍ଟା କରନାହିଁ। ସର୍ବୋପରି ସେମାନେ ମୃତକଙ୍କ ମୂଲ୍ୟ ଦେଇସାରିଛନ୍ତି। ଆପଣମାନେ ତ ଦେଖିଥିବେ କି ସାରା ବିଶ୍ବରେ ଜ୍ଞାନ ବାଣ୍ଟିବାର ଅଭିଯାନରେ ଥକିଯାଇଥିବା ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ପହଞ୍ଚି ଏତେ କ୍ଳାନ୍ତ ହୋଇପଡ଼ିଥିଲେ ଯେ ମୃତକଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ଲାଗି ତାଙ୍କୁ କଷ୍ଟ କରିବାକୁ ପଡ଼ିଲା। ଯେତେବେଳେ ତାଙ୍କର ଶୋକବାର୍ତ୍ତା ଆସିଲା, ରେଳମନ୍ତ୍ରୀ ମଧ୍ୟ ନିଜର ଶୋକପ୍ରକାଶ କଲେ। ଉପରୁ ସବୁଜ ସଂକେତ ମିଳିଲା ପରେ ଜଣେ ପରେ ଜଣେ ସମସ୍ତ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କର ଶୋକବାର୍ତ୍ତା ଝଙ୍କୃତ ହେବାକୁ ଲାଗିଲା। ଏବଂ ଆମେ ଲଗାତାର ପରବର୍ତ୍ତୀ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହୋଇ ଦୁର୍ଘଟଣାରେ ମୃତ ନିଜ ଲୋକଙ୍କର ଶବ ସଂଗ୍ରହ କରିବାକୁ ଅପେକ୍ଷା କରୁଛନ୍ତି। ଏହା ହେଉଛି ନୂତନ ଭାରତ!
ନା, ନା, ଆପଣ ମନ ଊଣା କରନ୍ତୁ ନାହିଁ, ପୂର୍ବ ସରକାରମାନଙ୍କରେ ଏପରି ଦୁର୍ଘଟଣା ହୋଇନଥିଲା କି ବୋଲି ହାତ ଟେକି ପ୍ରଶ୍ନ କରନ୍ତୁ ନାହିଁ। ଆମେ ମାନୁଛୁ କି ଆଗରୁ ଏମିତି ଦୁର୍ଘଟଣା ହୋଇଥିଲା, ମାତ୍ର ଦୁର୍ଘଟଣାର ଏମିତି ସରକାରୀ ପ୍ରାୟୋଜିତ ଆୟୋଜନ ହୋଇନଥିଲା।
ଦିଲ୍ଲୀରେ ଘଟିଥିବା ଦୁର୍ଘଟଣା କ’ଣ ଲୋକଙ୍କ ଅସାବଧାନତାବଶତଃ ହୋଇଥିଲା? ନା, ଲୋକେ କୌଣସି ଅସାବଧାନତା ପ୍ରଦର୍ଶନ କରିନଥିଲେ। ସେମାନେ କେବଳ ଏତିକି କରିଥିଲେ କି, ସରକାରୀ ପ୍ରଚାରରେ ପ୍ରଭାବିତ ହୋଇ କୌଣସି ସ୍ଥାନକୁ ଯିବାକୁ ସେମାନେ ଅଧିକ ବ୍ୟଗ୍ର ହୋଇପଡ଼ିଥିଲେ। ସେଭଳି ବ୍ୟଗ୍ରତା ସାଧାରଣତଃ ଅଜ୍ଞତା, କୁଶିକ୍ଷା ଓ ଅନ୍ଧବିଶ୍ବାସରୁ ସୃଷ୍ଟି ହୋଇଥାଏ, ଯାହାର ତୋଫାନ ଉଠାଇବାକୁ ସରକାର ଗତ ଏକ ଦଶନ୍ଧି ହେଲା ପ୍ରୟାସ କରିଛନ୍ତି। ପରିସ୍ଥିତି ଏପରି ହେଲା ଯେ, ଧନୀ ଓ ଶକ୍ତିଶାଳୀ ଲୋକେ ବିମାନରେ ଭିଡ଼ କଲେ। ମଧ୍ୟବିତ୍ତ ଶ୍ରେଣୀ ମଧ୍ୟ ଡିଆଁ ଡେଇଁ କରି ଏହି ଗୋଷ୍ଠୀରେ ସାମିଲ ହେବାର ଆନନ୍ଦ ଉପଭୋଗ କଲେ। ବିମାନ କମ୍ପାନିମାନେ ମନଇଚ୍ଛା ଭଡ଼ା ଆଦାୟ କରି ସେମାନଙ୍କୁ କୁମ୍ଭମେଳାରେ ପହଞ୍ଚାଇଲେ। ରେଳବାଇ ମଧ୍ୟ ସ୍ବତନ୍ତ୍ର ଟ୍ରେନ୍‌ ଚଳାଇ ଲୋକଙ୍କୁ ଲଦାଲଦି କରି କୁମ୍ଭ ନେଇଗଲା। ଏହି କାମରେ ବସ୍‌, ଟ୍ୟାକ୍ସି ସମସ୍ତେ ନିୟୋଜିତ ହୋଇଗଲେ। ଲୋକଙ୍କ ବିଶ୍ବାସକୁ ଶାସନ କ୍ଷମତାର ଯଜ୍ଞକୁଣ୍ଡରେ ଏମିତି ଅର୍ପଣ କରାଯାଉଥିବା କେବେ ଦେଖାଯାଇନଥିଲା।
ଦିଲ୍ଲୀ ରେଳ ଷ୍ଟେସନର ଅଧିକାରୀଙ୍କ ଠାରୁ ଆରମ୍ଭ କରି କୁଲି ଯାଏ ସମସ୍ତଙ୍କୁ ଜଣା ଥିଲା କି ଭିଡ଼ ଅନିୟନ୍ତ୍ରିତ ଭାବେ ବଢ଼ିବାରେ ଲାଗିଛି। ପ୍ଲାଟଫର୍ମ ଉପରେ ଛିଡ଼ା ହେବା ପାଇଁ ଆଉ ଜାଗା ନଥିଲା। ନା ଟିକେଟ୍‌ ବିକ୍ରି ବନ୍ଦ କରାଗଲା, ନା ଲୋକଙ୍କୁ ପ୍ଲାଟଫର୍ମରେ ପହଞ୍ଚିବାକୁ ରୋକାଗଲା। ଏଥି ସହିତ ସେଠାରେ କୁମ୍ଭକୁ ଯାଉଥିବା ଅନେକ ଗାଡ଼ିର ସମାଗମ ଘଟିଥିଲା। ତେଣୁ ବିଶୃଙ୍ଖଳା ଶୀର୍ଷରେ ପହଞ୍ଚିଲା। ଏହି ଯୋଜନା କିଏ କରିଥିଲା, କିଏ କହିପାରିବ କି? ସାମ୍ନାରେ ଏତେ ଭିଡ଼ ଦେଖିବା ପରେ ମଧ୍ୟ ଅଧିକାରୀମାନେ ପ୍ଲାଟଫର୍ମ ପରିବର୍ତ୍ତନର ଘୋଷଣା କରିଦେବେ, ଏହାଠାରୁ ବଡ଼ ଅଜ୍ଞତା କଳ୍ପନା କରାଯାଇନପାରେ। ସାଧାରଣ ପରିସ୍ଥିତିରେ ମଧ୍ୟ ରେଳବାଇ ପକ୍ଷରୁ ଯେତେବେଳେ ପ୍ଲାଟଫର୍ମ ପରିବର୍ତ୍ତନ ଘୋଷଣା କରାଯାଏ, କିଭଳି ବିଶୃଙ୍ଖଳା ସୃଷ୍ଟି ହୁଏ, ତାହା ଆମେ ଦେଖିଛନ୍ତି। ସେଦିନ ଯେପରି ଭୀଷଣ ଭିଡ଼ ଥିଲା, ସେଥିରେ ହଠାତ୍‌ ପ୍ଲାଟଫର୍ମ ପରିବର୍ତ୍ତନ ଘୋଷଣା କରିବା ଆପରାଧିକ କାର୍ଯ୍ୟ ଥିଲା। ଶେଷ ମୁହୂର୍ତ୍ତରେ ପ୍ଲାଟଫର୍ମ ପରିବର୍ତ୍ତନ କରିବାର ପ୍ରବୃତ୍ତି ବଢ଼ିବାରେ ଲାଗିଛି, ଯାହା ରେଳ ଅଧିକାରୀଙ୍କର ଖରାପ ଆୟୋଜନ, ଅପାରଗତା ଓ ସମ୍ବେଦନହୀନତାର ପ୍ରମାଣ। ସେହି ରେଳ ଅଧିକାରୀମାନେ କିଏ? ସେମାନେ ସରକାରଙ୍କ ମନୋଭାବର ପ୍ରତିଛାୟା। କୌଣସିମତେ ନୂଆ ପ୍ଲାଟଫର୍ମରେ ପହଞ୍ଚି ଗାଡ଼ିରେ ନିଜ ପାଇଁ ସ୍ଥାନ ସୁରକ୍ଷିତ ରଖିବା ପ୍ରତିଯୋଗିତା ନିମନ୍ତେ ସବୁ କିଛି ଘଟିଗଲା, ଯାହା ପାଇଁ ଏବେ ଶୋକ କରାଯାଉଛି। ଏବଂ ଦୁଃଖର କଥା, ଦୁର୍ଘଟଣାର ଯାଞ୍ଚ ପାଇଁ ରେଳବାଇ ନିଜର ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରିଛି। ଅପରାଧୀ ନିଜେ ନିଜ ଅପରାଧର ଯାଞ୍ଚ କରିବେ ଏବଂ ନିଜ ପାଇଁ ଦଣ୍ଡବିଧାନ କରିବେ।
ତେବେ ଏଠାରେ ଆଉ ଏକ ପ୍ରଶ୍ନ ଉଙ୍କି ମାରୁଛି। ଲୋକଙ୍କର ଏପରି ଭିଡ଼ କରିବାର ପ୍ରବୃତ୍ତି ପଛରେ କିଏ ରହିଛି? ଆମ ଲୋକମାନଙ୍କ ଭିତରୁ ଅଧିକାଂଶ ଅଶିକ୍ଷିତ, କୁଶିକ୍ଷିତ ତଥା ଅନ୍ଧବିଶ୍ବାସୀ ମଧ୍ୟ। ଏହି ସରକାର ନିଜର ଯାବତୀୟ କଳ-ବଳ-କୌଶଳ ବ୍ୟବହାର କରି ସମଗ୍ର ଦେଶରେ ତାହାର ଉତ୍ସବ ପାଳନ କରିବାକୁ ଅଭିଯାନ ଜାରି ରଖିଛି। ଏହି କୁମ୍ଭମେଳା ସେହି ଅଭିଯାନର ଏକ ଅଂଶ। ଆମ ପରମ୍ପରାରେ କୁମ୍ଭର ଯେଉଁ ମହିମା ରହିଆସିଛି, ତାହାର ଶ୍ରେଷ୍ଠ ଆଧ୍ୟାତ୍ମିକ ଶକ୍ତି ତାହାର ସ୍ବତଃସ୍ପୂର୍ତ୍ତିରୁ ଜାତ, ସରକାରଙ୍କ ପ୍ରବଞ୍ଚନାରୁ ନୁହେଁ। ଅଗଣିତ ବର୍ଷ ଧରି କେହି କାହାକୁ କୁମ୍ଭକୁ ନିମନ୍ତ୍ରଣ କରି ଡାକିନଥିଲେ କି କାହାକୁ ଫୁସୁଲେଇ ଆଣିନଥିଲେ କି ଅପର୍ଯ୍ୟାପ୍ତ ଟଙ୍କା ଉଡ଼େଇ କାହାର ବୁଡ଼ ପକାଇବା ପାଇଁ ବ୍ୟବସ୍ଥା କରିନଥିଲେ। ଏହି ଅପ୍ରାୟୋଜିତ ଆୟୋଜନ ଆପଣା ଛାଏଁ ହେଉଥିଲା। ଲୋକେ ନିଜ ନିଜର ଶ୍ରଦ୍ଧା, ସୁବିଧା ଓ ବ୍ୟକ୍ତିତ୍ବ ଅନୁଯାୟୀ କୁମ୍ଭ କିମ୍ବା ସେଭଳି କିଛି ଆୟୋଜନକୁ ଯାଉଥିଲେ। ଏବେ ସେଭଳି ପ୍ରତିଟି ସାଂସ୍କୃତିକ ପରମ୍ପରାରେ ରାଜନୀତିକୁ ବ୍ୟବହାର କରାଯାଉଛି। ଭିତର ମହଲରୁ ଶୁଣାଯାଉଛି କି, କୁମ୍ଭ ମେଳା ମୋଦୀ ଓ ଯୋଗୀଙ୍କ ମଧ୍ୟରେ ପ୍ରଭୁତ୍ବର ଏକ ଲଢ଼େଇ ପ୍ରସଙ୍ଗ ପାଲଟିଗଲା, ଯେଉଁଥିରେ ଯୋଗୀ ନିଜ ପାଇଁ ଯେପରି ରାଜନୈତିକ ଲାଭ ଉଠାଇନେଲେ ସେପରି ପ୍ରଧାନମନ୍ତ୍ରୀ ଉଠାଇପାରିଲେ ନାହିଁ। ମାତ୍ର ଏହା ହେଉଛି ବିଜେପିର ଆଭ୍ୟନ୍ତରୀଣ ମାମଲା।
ସରକାର କାହିଁକି ଭଲା କୁମ୍ଭର ଆୟୋଜନ କରିଥିଲେ? ଭାରତର ସଂବିଧାନ ଦ୍ବାରା ପରିଚାଳିତ କୌଣସି ସରକାର ଏପରି କାର୍ଯ୍ୟ କରିପାରିବେ କି? କାହିଁକି ଏ କଥା ପ୍ରଚାର କରାଗଲା ଯେ, ଯିଏ କୁମ୍ଭ ନଯିବ, ତାହାର ଦେଶଭକ୍ତି ସନ୍ଦେହ ଘେରରେ ରହିବ? କେଉଁ ପରମ୍ପରା ମୁତାବକ ଏହାକୁ ମହାକୁମ୍ଭ କୁହାଗଲା? କୁମ୍ଭ ପରମ୍ପରାରେ ଏମିତି କୌଣସି ଶବ୍ଦ ତ ନାହିଁ। ଆହୁରି ମଧ୍ୟ ଏମିତି ଏକ ଖବର ମିଳିଥିଲା କି, ରାଜ୍ୟମାନେ କୁମ୍ଭକୁ କେତେ କେତେ ଭକ୍ତ ପଠାଇବେ, ତାହାର ଧାର୍ଯ୍ୟ କୋଟା ଦିଆଯାଇଥିଲା। ଧାର୍ମିକ ଉନ୍ମାଦନା ଛିଡ଼ା କରାଇ ଆପଣ ଯେବେ କୋଟି କୋଟି ଲୋକଙ୍କ ଭିଡ଼ ଆୟୋଜନ କରୁଛନ୍ତି, ସେତେବେଳେ ଆପଣ କେବଳ ଦୁର୍ଘଟଣାର ଆୟୋଜନ ବ୍ୟତୀତ ଅନ୍ୟ କିଛି କରୁନାହାନ୍ତି। କୁମ୍ଭରେ ଷାଠିଏ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇସାରିଛନ୍ତି ବୋଲି ସରକାର କରୁଥିବା ଦାବିକୁ ଯଦି ମାନିନିଆଯାଏ, ତେବେ କେହି ଜଣେ ମୋତେ କୁହନ୍ତୁ କି ଏତେ ବଡ଼ ଉନ୍ମତ୍ତ ଭିଡ଼କୁ କେଉଁ ବ୍ୟବସ୍ଥା ସମ୍ଭାଳିପାରିବ? ଭିଡ଼ର ଆଉ ଏକ ପରିଭାଷା ହେଲା ଯେ ତାହାର ମସ୍ତକ ଅଛି, ମାତ୍ର ବୁଝିବାର ଶକ୍ତି ନାହିଁ। ଶାସନ କ୍ଷମତା ପାଇଁ ଏହି ମୁଣ୍ଡଟି ହେଉଛି ଅନ୍ତିମ କଷଟି ପଥର, ବୁଝିବାର ଶକ୍ତି ସହିତ ଶାସନର ସମ୍ପର୍କ କେବେ ବା ଥିଲା? ତେଣୁ ତାହା ପ୍ରତ୍ୟେକ ମୁଣ୍ଡକୁ ମଣିଷ ନୁହେଁ, ଏକ ଭୋଟ ଭାବରେ ଦେଖେ, ଯାହାକୁ ଉନ୍ମାଦିତ କରି ନିଜ ଖାତା ଯାଏ ପହଞ୍ଚାଇବା ତା’ର ଚରମ ଧାର୍ମିକ କର୍ତ୍ତବ୍ୟ ହୋଇଥାଏ।
କେହି ହିସାବ କରି କହିପାରିବେ କି, କୁମ୍ଭକୁ ଆସିଲା ବେଳେ, କୁମ୍ଭରୁ ଫେରିଲା ବେଳେ ଏବଂ କୁମ୍ଭସ୍ଥଳରେ ବର୍ତ୍ତମାନ ସୁଦ୍ଧା କେତେଟି ଦୁର୍ଘଟଣା ଘଟିଛି ଏବଂ କେତେଟି ଜୀବନ ଯାଇଛି? ହିସାବ କଲେ ଆପଣଙ୍କୁ ସର୍ବଦା ଦୁଇପ୍ରକାର ସଂଖ୍ୟା ମିଳିବ। ଗୋଟିଏ ହେଲା ସରକାରୀ ଓ ଅନ୍ୟଟି ସାମାଜିକ! ଦୁହିଁଙ୍କ ମଧ୍ୟରେ ଏଭଳି ଗଭୀର ବୈଷମ୍ୟ ଦେଖାଦେବ ଯେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଭଳି ପରିସ୍ଥିତିରେ ମାନିନେବା ଉଚିତ ହେବ କି, ଶବମାନଙ୍କର ସଂଖ୍ୟା ନୁହେଁ, ମନୋଭାବର ମୂଲ୍ୟାଙ୍କନ କରିବା ଜରୁରି। ଯଦି ତାହାକୁ ଆମେ ଚିହ୍ନି ପାରିବା, ତେବେ ମୃତଦେହ ଗଣିବାର କୌଣସି ଆବଶ୍ୟକତା ପଡ଼ିବ ନାହିଁ।
(ମତାମତ ଲେଖକଙ୍କ ନିଜସ୍ବ)
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.