Breaking News

କଥାଟିଏ-ଯାଯାବର: ପଦ ଧ୍ବନିର ସୂତ୍ର

ଜେନ ଗୁରୁ ରିନଝାଇ ଯେତେବେଳେ ଶିଷ୍ୟ ଥିଲେ, ସେ ସମୟରେ ଦିନେ ସେ ଗୁରୁଙ୍କୁ ସାକ୍ଷାତ କରିବାକୁ ତାଙ୍କ ଆଶ୍ରମକୁ ଗଲେ। ଗୁରୁଙ୍କ ପ୍ରକୋଷ୍ଠକୁ ଯିବା ଲାଗି ପାହାଚ ଚଢୁଥିବା ବେଳେ ଭିତରୁ ଗୁରୁଙ୍କ ସ୍ବର ଶୁଭିଲା....

ଜେନ ଗୁରୁ ରିନଝାଇ ଯେତେବେଳେ ଶିଷ୍ୟ ଥିଲେ, ସେ ସମୟରେ ଦିନେ ସେ ଗୁରୁଙ୍କୁ ସାକ୍ଷାତ କରିବାକୁ ତାଙ୍କ ଆଶ୍ରମକୁ ଗଲେ। ଗୁରୁଙ୍କ ପ୍ରକୋଷ୍ଠକୁ ଯିବା ଲାଗି ପାହାଚ ଚଢୁଥିବା ବେଳେ ଭିତରୁ ଗୁରୁଙ୍କ ସ୍ବର ଶୁଭିଲା- ରିନଝାଇ, ତୁ ଜ୍ଞାନ ପାଇ ଯାଇଛୁ। ଏବେ ତୋର ଶିକ୍ଷା ଶେଷ।
ଏହା ଶୁଣି ରିନଝାଇଙ୍କ ସମତେ ସେଠାରେ ଉପସ୍ଥିତ ସମସ୍ତେ ଚକିତ ହୋଇଗଲେ। ଗୁରୁଙ୍କ ସହିତ ଅନେକ ଦିନ ହେଲାଣି ତାଙ୍କର ସାକ୍ଷାତ ହୋଇ ନାହିଁ। ପୁଣି ଗୁରୁ ତାଙ୍କୁ ଦେଖି ନାହାନ୍ତି। କେମିତି ଜାଣିଲେ ଯେ ରିନଝାଇଙ୍କ ଜ୍ଞାନ ଲାଭ ହୋଇ ସାରିଛି!
ଗୁରୁ କହିଲେ- ତୋ ପାଦ ଶବ୍ଦରୁ!
ରିନଝାଇ ଅଧିକ ଜିଜ୍ଞାସୁ ଦୃଷ୍ଟିରେ ଚାହିଁ ରହିଲେ।
ଗୁରୁ କହିଲେ- ତୁମେ କେମିତି ଚାଲୁଛ, ତୁମ ପାଦ ଶବ୍ଦ କହିଦେବ ତୁମେ କେତେ ଅହମିକାରେ ଭରା ବା କେତେ ଅହଂକାରଶୂନ୍ୟ! ଜଣେ ରାଜାର ଚାଲିରେ ସେହି ଅହଙ୍କାର ଥାଏ ବୋଲି ତା’ର ପ୍ରତିଟି ପଦପାତରେ ସେ ଆଘାତ ଦେଇ ଚାଲିଥାଏ। ଅହଂକାର ଶୂନ୍ୟ ହୋଇଗଲେ ଚାଲି ଉଶ୍ବାସ ହୋଇଯାଏ। ତୋ ପାଦ ଶବ୍ଦ କହିଦେଉଛି ଯେ ତୁ ଅହଂକାରଶୂନ୍ୟ ହୋଇଯାଇଛୁ। ସରୋବରର ସ୍ଥିର ଓ ନିର୍ମଳ ଜଳ ଉପରେ ସରୋବର କୂଳରେ ଥିବା ଗଛର ପ୍ରତିବିମ୍ବ ଯେମିତି ବିନା କୌଣସି କଂପନରେ, ଅନୁପ୍ରବେଶ କରିବାର କୌଣସି ଚିହ୍ନ ନ ଦେଖାଇ ଅତି ସାବଲୀଳ ଭାବେ ଆଙ୍କି ହୋଇଯାଏ, ତୋ ସହିତ ସେଭଳି ଘଟିଛି। ତୋ ଚାଲିରେ ଫୁଲ ପାଖୁଡ଼ାର ହାଲୁକାପଣ ଆସି ଯାଇଛି। ତୁ ଏବେ ଘରକୁ ଯାଇ ପାରୁ।
ରିନଝାଇ ଗୁରୁଙ୍କୁ ପ୍ରଣାମ କରି ବିଦା‌ୟ ନେଲେ।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.