Breaking News

ନିବେଶକ ସଚେତନତା କାର୍ଯ୍ୟକ୍ରମ: ‘ସଞ୍ଚୟ ସହ ଉଦ୍ଦେଶ୍ୟ ମିଶିଲେ ହୁଏ ନିବେଶ’

କୌଣସି ବ୍ୟକ୍ତି ଯଦି କିଛି ନ ଭାବି କିମ୍ବା କୌଣସି ଉଦ୍ଦେଶ୍ୟ ନ ରଖି କେବଳ ସଞ୍ଚୟ କରୁଥାନ୍ତି, ତାହା ଅର୍ଥହୀନ। କିଛି ଉଦ୍ଦେଶ୍ୟ ରଖି ଯେତେବେଳେ ସଞ୍ଚୟ କରାଯାଏ ତାହା ନିବେଶରେ ପରିଣତ ହୁଏ ବୋଲି ମିରାଏ ଆସେଟ୍‌ର ଉପାଧ୍ୟକ୍ଷ ଓ ସିଇଓ ସ୍ବରୂପ ମହାନ୍ତି କହିଛନ୍ତି।

ଭୁବନେଶ୍ବର: କୌଣସି ବ୍ୟକ୍ତି ଯଦି କିଛି ନ ଭାବି କିମ୍ବା କୌଣସି ଉଦ୍ଦେଶ୍ୟ ନ ରଖି କେବଳ ସଞ୍ଚୟ କରୁଥାନ୍ତି, ତାହା ଅର୍ଥହୀନ। କିଛି ଉଦ୍ଦେଶ୍ୟ ରଖି ଯେତେବେଳେ ସଞ୍ଚୟ କରାଯାଏ ତାହା ନିବେଶରେ ପରିଣତ ହୁଏ ବୋଲି ମିରାଏ ଆସେଟ୍‌ର ଉପାଧ୍ୟକ୍ଷ ଓ ସିଇଓ ସ୍ବରୂପ ମହାନ୍ତି କହିଛନ୍ତି। ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ ପକ୍ଷରୁ ମିରାଏ ଆସେଟ୍‌ ସହଯୋଗରେ ମଙ୍ଗଳବାର ଭୁବନେଶ୍ବରରେ ଆୟୋଜିତ ନିବେଶକ ସଚେତନତା କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ‘ମ୍ୟୁଚୁଆଲ୍‌ ଫଣ୍ଡ୍‌ ସହିତ ଆର୍ଥିକ ସ୍ବାଧୀନତା’ ବିଷୟବସ୍ତୁ ଉପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଉପସ୍ଥିତ ଜନତା ଓ ନିବେଶକଙ୍କୁ ସମ୍ବୋଧିତ କରି ଶ୍ରୀ ମହାନ୍ତି କହିଥିଲେ ଯେ ନିବେଶ ଯାତ୍ରା ଆରମ୍ଭ କରିବା ପୂର୍ବରୁ ପ୍ରଥମେ ନିଜକୁ ପ୍ରଶ୍ନ କରନ୍ତୁ ‘କାହିଁକି ମୁଁ ନିବେଶ କରିବି? ସେଥିରୁ ଆପଣ ନିଜ ଉଦ୍ଦେଶ୍ୟ ଜାଣିପାରିବେ। ଘର କିଣିବା ପାଇଁ, ପିଲାଙ୍କ ପାଠପଢ଼ା ପାଇଁ, ଅବସର ସମୟ ପାଇଁ, ଗାଡ଼ି କିଣିବା ପାଇଁ ନା ଆଉ କିଛି କାରଣ ପାଇଁ। କେଉଁ କାରଣ ପାଇଁ ନିବେଶ କରିବେ ତାହା ପ୍ରଥମେ ନିଷ୍ପତ୍ତି ନିଅନ୍ତୁ। ଏହାପରେ ଆପଣଙ୍କ ନିବେଶ ଯାତ୍ରା ସହଜ ହୋଇଯିବ ବୋଲି ସେ କହିଥିଲେ। ସେ କହିଥିଲେ ଯେ ଭାରତରେ ୮୦ ପ୍ରତିଶତ ବିବାହିତା ମହିଳା ସେମାନଙ୍କ ସ୍ବାମୀ ତୁଳନାରେ ଅଧିକ ଦିନ ବଞ୍ଚୁଛନ୍ତି। ତେଣୁ ଯଦି ଅଧିକ ଅର୍ଥ କାହାକୁ ଦରକାର ସେମାନେ ହେଉଛନ୍ତି ମହିଳା। ତେଣୁ ସେମାନେ ନିବେଶ ପ୍ରତି ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ନିବେଶ ପ୍ରତି ସବୁଠୁ ବଡ଼ ବିପଦ ମୁଦ୍ରାସ୍ଫୀତି।  ଆପଣ କରିଥିବା ନିବେଶ ଯଦି ଏକ ନିର୍ଦ୍ଦିଷ୍ଟ ସମୟ ସୀମା ପରେ ମୁଦ୍ରାସ୍ଫୀତିକୁ ଅତିକ୍ରମ କରୁନାହିଁ, ତେବେ ଆପଣ ଅର୍ଥହାନିର ଶିକାର ହେଉଛନ୍ତି ବୋଲି ବୁଝିବାକୁ ହେବ। ତେଣୁ ଭାବିଚିନ୍ତି ଏଭଳି ଉପକରଣ ଚୟନ କରିବାକୁ ହେବ ଯାହା ଦରବୃଦ୍ଧି ପ୍ରଭାବକୁ ରୋକିପାରିବ ବୋଲି ସେ କହିଛନ୍ତି। ନିବେଶ କରିବାର ସମୟ ଉପରେ ଆଲୋକପାତ କରି ସେ କହିଥିଲେ ଯେ ଏହାର କୌଣସି ସମୟ ନାହିଁ। ତେବେ ଯେଉଁମାନେ ପଛରେ ଆରମ୍ଭ କରିବେ, ସେମାନଙ୍କୁ ଅଧିକ ନିବେଶ କରିବାକୁ ପଡ଼ିବ। ନିବେଶ ସମ୍ପୂର୍ଣ୍ଣ ରୂପେ ଗଣିତ। ଏଥିରେ ଭାବବିହ୍ବଳ ହୋଇ ନିଷ୍ପତ୍ତି ନେବା ଅନୁଚିତ ବୋଲି ସେ କହିଥିଲେ। ସେ ନିୟମ-୭୨, ପ୍ରତ୍ୟକ୍ଷ ସୁନା ବଦଳରେ ଡିଜିଟାଲ୍‌ ସୁନାରେ ନିବେଶ ଓ ବୀମା କିଣିବାର ମହତ୍ବ ଉପରେ ମଧ୍ୟ ଗୁରୁତ୍ବାରୋପ କରିଥିଲେ।

ନିବେଶ ହେଉଛି ଏକ ଗଣିତ, ଭାବବିହ୍ବଳ ହେବା ଅନୁଚିତ: ସ୍ବରୂପ
ଭୁଲ ଜାଗାରେ ଟଙ୍କା ଲଗାଇଲେ ବୁଡ଼ିଯିବା ଆଶଙ୍କା ଅଛି: ରାଜୀବ

ଏହି ଅବସରରେ ବିଶିଷ୍ଟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ରାଜୀବ ଶେଖର ସାହୁ ନିବେଶର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଅର୍ଥ ପରିଚାଳନାର ଗୁରୁତ୍ବ ସମ୍ପର୍କରେ ବୁଝାଇବା ଲାଗି ସେ କହିଥିଲେ ଯେ ବହୁ ଲୋକ ବଡ଼ ବଡ଼ ପଦପଦବିରେ ଥାଇ ମଧ୍ୟ ଭୁଲ ନିବେଶ ନିଷ୍ପତ୍ତି ନିଅନ୍ତି। ତାହାର ଏକ ବଡ଼ ଉଦାହରଣ ହେଉଛି ଚିଟ୍‌ଫଣ୍ଡ୍‌ ଠକେଇ। ସେଥିରେ ବହୁ ପ୍ରଶାସକ ଓ ବୈଜ୍ଞାନିକ ମଧ୍ୟ ଜମାରାଶି ହରାଇଛନ୍ତି। ଶ୍ରୀ ସାହୁ କହିଥିଲେ ଯେ ଲୋକଙ୍କ ପାଖରେ ବଳକା ଟଙ୍କା ଅଛି। କିନ୍ତୁ ତାହାକୁ କେଉଁଠାରେ ଲଗାଇବେ ତାହା ସେମାନେ ଜାଣିପାରୁନାହାନ୍ତି। ଭୁଲ ଜାଗାରେ ଟଙ୍କା ଲଗାଇଲେ ଗମ୍ଭୀର ସମସ୍ୟା ଦେଖାଦେବା ସହ ଟଙ୍କା ବୁଡ଼ିଯିବାର ଆଶଙ୍କା ରହିଛି। ଲୋଭନୀୟ ପ୍ରତିଶ୍ରୁତିଠାରୁ ସତର୍କ ରହିବାକୁ ପରାମର୍ଶ ଦେଇ ସେ କହିଥିଲେ ଯେ ନିବେଶ ବିଷୟରେ ଯେତେବେଳେ କିଛି ଶୁଣିଲେ ଆପଣ ଅତ୍ୟଧିକ ଖୁସି ହୋଇଯାଉଛନ୍ତି, ତେବେ ଜାଣିବେ ଯେ ସେଥିରେ କିଛି ବିପଦ ରହିଛି। ତେଣୁ ଆଗୁଆ ସତର୍କ ହୋଇଯିବେ, ଅନ୍ୟଥା ଟଙ୍କା ହରାଇବେ। ଯିଏ ମଧୁର କଥା କହୁଛି, ତାଙ୍କ କଥାକୁ ଆଗ ସନ୍ଦେହ କରନ୍ତୁ। ଆର୍ଥିକ ଦୁନିଆରେ ଅଧିକ ରିଟର୍ଣ୍ଣ ସହ ଅଧିକ ବିପଦ ମଧ୍ୟ ରହିଥାଏ। ଏକଥା କେବେ ନ ଭୁଲିବାକୁ ସେ ପରାମର୍ଶ ଦେଇଥିଲେ। ଆର୍ଥିକ ବଜାର ବିଷୟରେ କିଛିଟା ଜ୍ଞାନ ଥିବା ଭଲ କଥା। କିନ୍ତୁ ନିବେଶ ନିଷ୍ପତ୍ତି ନେବା ବେଳେ ସର୍ବଦା ବିଶେଷଜ୍ଞଙ୍କ ପରାମର୍ଶ ନେବା ବୁଦ୍ଧିମାନର ପରିଚୟ ବୋଲି ଶ୍ରୀ ସାହୁ କହିଥିଲେ। ଇକ୍ବିଟି ନିବେଶରେ ଥିବା ବିପଦ ବିଷୟରେ ସେ ଉପସ୍ଥିତ ଜନତାଙ୍କୁ ବୁଝାଇଥିଲେ। ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ୍ (ଏସ୍‌ଆଇପି) ନିବେଶ ଆରମ୍ଭ କରିବାର ଏକ ବହୁତ ଭଲ ମାଧ୍ୟମ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ବିଶେଷଜ୍ଞଙ୍କ ପରାମର୍ଶ ନିବେଶ ନିଷ୍ପତ୍ତିକୁ ସହଜ କରିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଜ୍ଞାପନ ବିଭାଗର ମୁଖ୍ୟ ପ୍ରବନ୍ଧକ ରାକେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଶତାଧିକ ଜନତା ଓ ନିବେଶକ ଉପସ୍ଥିତ ଥିଲେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.