Breaking News

‘ର’ ବିରୋଧୀ ଆମେରିକୀୟ କମିଟିର ରିପୋର୍ଟ ଖାରଜ କଲା ଭାରତ

ଶିଖ୍ ବିଚ୍ଛିନ୍ନତାବାଦୀ ଗୁରପତୱନ୍ତ ସିଂହ ପନ୍ନୁ ବିରୋଧରେ ହତ୍ୟା ଷଡ଼୍‌ଯନ୍ତ୍ରରେ ସମ୍ପୃକ୍ତି ଅଭିଯୋଗରେ ଭାରତର ବାହ୍ୟ ଗୁପ୍ତଚର ସଂସ୍ଥା ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ୍ ୱିଙ୍ଗ୍(ର) ବିରୋଧରେ ଟାର୍ଗେଟ୍ ପ୍ରତିବନ୍ଧକ ଲଗାଇବାକୁ ଆମେରିକାର ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା....

ନୂଆଦିଲ୍ଲୀ: ଶିଖ୍ ବିଚ୍ଛିନ୍ନତାବାଦୀ ଗୁରପତୱନ୍ତ ସିଂହ ପନ୍ନୁ ବିରୋଧରେ ହତ୍ୟା ଷଡ଼୍‌ଯନ୍ତ୍ରରେ ସମ୍ପୃକ୍ତି ଅଭିଯୋଗରେ ଭାରତର ବାହ୍ୟ ଗୁପ୍ତଚର ସଂସ୍ଥା ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ୍ ୱିଙ୍ଗ୍(ର) ବିରୋଧରେ ଟାର୍ଗେଟ୍ ପ୍ରତିବନ୍ଧକ ଲଗାଇବାକୁ ଆମେରିକାର ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଆୟୋଗ (ୟୁଏସ୍‌ସିଆଇଆର୍‌ଏଫ୍) ସୁପାରିସ କରିଛି। ମଙ୍ଗଳବାର ପ୍ରକାଶିତ ବାର୍ଷିକ ରିପୋର୍ଟରେ କମିସନ ଅଭିଯୋଗ କରିଛି ଯେ, ଭାରତରେ ସଂଖ୍ୟାଲଘୁମାନେ ଖରାପ ବ୍ୟବହାରର ସମ୍ମୁଖୀନ ହେଉଛନ୍ତି। ଧାର୍ମିକ ସ୍ୱାଧୀନତା ଉଲ୍ଲଂଘନ ପାଇଁ ଭାରତକୁ ‘ବିଶେଷ ଚିନ୍ତାର ଦେଶ’ ଭାବେ ଘୋଷଣା କରିବାକୁ ମଧ୍ୟ କମିଟି ଆମେରିକା ସରକାରଙ୍କୁ ସୁପାରିସ କରିଛି। ଭାରତ ଏହି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିବା ସହ ଓଲଟା ପକ୍ଷପାତ ଓ ରାଜନୈତିକ ଉଦ୍ଦେଶ୍ୟମୂଳକ ଆକଳନ ଜାରି ରଖିଥିବା ୟୁଏସ୍‌ସିଆଇଆର୍‌ଏଫ୍‌କୁ ‘ଚିନ୍ତାଜନକ ସଂସ୍ଥା’ ଭାବେ ତାଲିକାଭୁକ୍ତ କରିବାକୁ ଆହ୍ବାନ ଦେଇଛି। ଅନ୍ୟପକ୍ଷରେ ପ୍ୟାନେଲର ସୁପାରିସ କାର୍ଯ୍ୟକାରୀ କରିବା ବାଧ୍ୟତାମୂଳକ ନ ଥିବାରୁ ଟ୍ରମ୍ପ ପ୍ରଶାସନ ‘ର’ ଉପରେ କୌଣସି ପ୍ରତିବନ୍ଧକ ଲଗାଇବାର ସମ୍ଭାବନା ନାହିଁ।

ଉଦ୍ଦେଶ୍ୟମୂଳକ ଏଜେଣ୍ଡା: କମିଟିର ଆକଳନ ପକ୍ଷପାତପୂର୍ଣ୍ଣ, ୟୁଏସ୍‌ସିଆଇଆର୍‌ଏଫ୍‌ ‘ଚିନ୍ତାଜନକ ସଂସ୍ଥା’ 

ଧାର୍ମିକ ବ୍ୟାପାରକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିଥିବା ଅଭିଯୋଗରେ ୟୁଏସ୍‌ସିଆଇଆର୍‌ଏଫ୍ କମ୍ୟୁନିଷ୍ଟଶାସିତ ଭିଏତନାମକୁ ମଧ୍ୟ ଟାର୍ଗେଟ କରିଛି। ତାହାକୁ ମଧ୍ୟ ‘ବିଶେଷ ଚିନ୍ତାର ଦେଶ’ ଘୋଷଣା କରିବାକୁ କମିଟି ସୁପାରିସ କରିଛି। ଆମେରିକା ଦୀର୍ଘ ଦିନ ଧରି ଭାରତକୁ ଏସିଆ ଓ ଅନ୍ୟ ସ୍ଥାନରେ ଚୀନ୍‌ର ବଢ଼ୁଥିବା ପ୍ରଭାବର ମୁକାବିଲା ଭାବରେ ଦେଖୁଥିବାରୁ ଭାରତରେ ମାନବାଧିକାର ପ୍ରସଙ୍ଗକୁ ଅଣଦେଖା କରୁଛି ବୋଲି ଆୟୋଗର ବାର୍ଷିକ ରିପୋର୍ଟରେ କୁହାଯାଇଛି। ୨୦୨୩ ମସିହାରୁ ଭାରତ ଆମେରିକା ଓ କାନାଡାରେ ଥିବା ଶିଖ୍ ବିଚ୍ଛିନ୍ନତାବାଦୀଙ୍କୁ ଟାର୍ଗେଟ କରିଥିବା ଅଭିଯୋଗକୁ ନେଇ ଭାରତ ଓ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଖାଲିସ୍ତାନ ସମର୍ଥକ ନେତା ଗୁରପତୱନ୍ତ ସିଂହ ପନ୍ନୁର ହତ୍ୟା ଷଡ୍‌ଯନ୍ତ୍ର ମାମଲାରେ ୱାସିଂଟନ ଭାରତର ପୂର୍ବତନ ଗୁଇନ୍ଦା ଅଧିକାରୀ ବିକାଶ ଯାଦବଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ଏହି ପ୍ରସଙ୍ଗ ଉଗ୍ର ରୂପ ଧାରଣ କରିଥିଲା। ଭାରତ ଶିଖ୍ ବିଚ୍ଛିନ୍ନତାବାଦୀଙ୍କୁ ସୁରକ୍ଷା ପ୍ରତି ବିପଦ ଭାବେ ଦେଖୁଥିବା ବେଳେ ଏଭଳି ଅପରେସନରେ ସମ୍ପୃକ୍ତିକୁ ଦୃଢ଼ ଭାବେ ଅସ୍ୱୀକାର କରିଛି। ୨୦୨୪ରେ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଓ ଭେଦଭାବ ବଢ଼ୁଥିବାରୁ ଭାରତରେ ଧାର୍ମିକ ସ୍ୱାଧୀନତା ସ୍ଥିତି ବିଗିଡ଼ିବାରେ ଲାଗିଛି ବୋଲି ଆମେରିକା କମିସନ ରିପୋର୍ଟରେ କହିଛି। ଗତବର୍ଷ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ମୁସଲମାନ ଓ ଅନ୍ୟ ଧାର୍ମିକ ସଂଖ୍ୟାଲଘୁଙ୍କ ବିରୋଧରେ ଘୃଣ୍ୟ ବୟାନବାଜି ଓ ଅପପ୍ରଚାର କରିଥିଲେ ବୋଲି ଅଭିଯୋଗ ହୋଇଛି। ତେବେ ଭାରତ ସରକାର  ଭେଦଭାବକୁ ଅସ୍ୱୀକାର କରି କହିଛନ୍ତି ସମସ୍ତ ବିକାଶ ଅଭିଯାନ ଏବଂ ସବ୍‌ସିଡି ଯୋଜନା ଭଳି ନୀତି ସମସ୍ତ ସମ୍ପ୍ରଦାୟକୁ ସାହାଯ୍ୟ କରେ। ଏଥିରେ କାହାରି ପ୍ରତି କୌଣସି ପକ୍ଷପାତ ହେଉନାହିଁ।

ଆମେରିକାର ଆନ୍ତର୍ଜାତିକ ଧାର୍ମିକ ସ୍ୱାଧୀନତା ଆୟୋଗ (ୟୁଏସ୍‌ସିଆଇଆର୍‌ଏଫ୍)ର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଭାରତ ପକ୍ଷପାତମୂଳକ ଆକଳନ କରୁଥିବା ଏହି ସଂସ୍ଥାକୁ ବରଂ ଚିନ୍ତାଜନକ ସଂସ୍ଥା ଭାବେ ମନୋନୀତ କରାଯିବା ଉଚିତ ବୋଲି ବୁଧବାର କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ, ଆମେ ନିକଟରେ ପ୍ରକାଶିତ ୟୁଏସ୍‌ସିଆଇଆର୍‌ଏଫ୍‌ର ୨୦୨୫ର ବାର୍ଷିକ ରିପୋର୍ଟ ଦେଖିଛୁ, ଯେଉଁଥିରେ ପୁଣି ଥରେ ପକ୍ଷପାତିତା ଓ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ଆକଳନ ଜାରି ରଖିବାର ଢାଞ୍ଚା ଦେଖିବାକୁ ମିଳିଛି। ଭାରତର ଜୀବନ୍ତ ବହୁସାଂସ୍କୃତିକ ସମାଜ ଉପରେ ଅଲଗା ଅଲଗା ଘଟଣାକୁ ଭୁଲ ଭାବରେ ଉପସ୍ଥାପନ କରିବା ଏବଂ ସନ୍ଦେହ ସୃଷ୍ଟି କରିବା ପାଇଁ ୟୁଏସ୍‌ସିଆଇଆର୍‌ଏଫ୍‌ର ନିରନ୍ତର ପ୍ରୟାସ ଧାର୍ମିକ ସ୍ୱାଧୀନତା ପାଇଁ ପ୍ରକୃତ ଚିନ୍ତା ପରିବର୍ତ୍ତେ ଏକ ଉଦ୍ଦେଶ୍ୟମୂଳକ ଏଜେଣ୍ଡାକୁ ପ୍ରତିଫଳିତ କରୁଛି।   ୟୁଏସ୍‌ସିଆଇଆର୍‌ଏଫ୍‌ ଭାରତର ବହୁଳତାବାଦୀ ଢାଞ୍ଚାର ବାସ୍ତବତାକୁ ନବୁଝି ଅନର୍ଥକାରୀ ରିପୋର୍ଟ କରୁଛି।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.