Breaking News

ପୋଥିର ଓ ବାଡ଼ିର ବାଇଗଣ

ଯଦିଓ ଏ ଚାରିଟି ଯାକ ସଂଦର୍ଭକୁ ତର୍ଜମା କରି ଦୃଢ଼ ଯୁକ୍ତି ସହ ଶାସକ ଦଳ ନୂଆ ଆଇନର ଯଥାର୍ଥତା ପ୍ରତିପାଦନ କରିବାର ଉଦ୍ୟମ କରିଛନ୍ତି, ପ୍ରତିପକ୍ଷ ମଧ୍ୟ ଅନୁରୂପ ଦୃଢ଼ ତର୍କ ଓ ସୂକ୍ଷ୍ମ ବିଚାର ଦ୍ବାରା ତାହାକୁ ପ୍ରତିହତ କରିବାର ଉଦ୍ୟମ କରିଛନ୍ତି....

ଯଦିଓ ଏ ଚାରିଟି ଯାକ ସଂଦର୍ଭକୁ ତର୍ଜମା କରି ଦୃଢ଼ ଯୁକ୍ତି ସହ ଶାସକ ଦଳ ନୂଆ ଆଇନର ଯଥାର୍ଥତା ପ୍ରତିପାଦନ କରିବାର ଉଦ୍ୟମ କରିଛନ୍ତି, ପ୍ରତିପକ୍ଷ ମଧ୍ୟ ଅନୁରୂପ ଦୃଢ଼ ତର୍କ ଓ ସୂକ୍ଷ୍ମ ବିଚାର ଦ୍ବାରା ତାହାକୁ ପ୍ରତିହତ କରିବାର ଉଦ୍ୟମ କରିଛନ୍ତି, ଯହିଁରେ ବିରୋଧୀ ପକ୍ଷଙ୍କ ଆଶଙ୍କା ହେଲା ଯେ ଏହି ନୂତନ ଆଇନର ମୂଳ ଉଦ୍ଦେଶ୍ୟ ପ୍ରକୃତରେ ହେଉଛି ମୁସଲମାନ ସଂପ୍ରଦାୟର ଐକାନ୍ତିକ ଅଧିକାରଭୁକ୍ତ ପରିସରରେ ଅନୁପ୍ରବେଶ କରି ୱାକଫ ଭଳି ଏକ ପ୍ରାଚୀନ ଅନୁଷ୍ଠାନରୁ ଇସଲାମୀ ପ୍ରଭାବକୁ ଦୁର୍ବଳ କରି ଦେବା। ବିରୋଧୀ ପକ୍ଷ ଏହି କ୍ରମରେ ଯୁକ୍ତି ବାଢ଼ି ଥାଆନ୍ତି ଯେ ମନ୍ଦିର ବୋର୍ଡଗୁଡ଼ିକରେ ଅଣହିନ୍ଦୁଙ୍କ ପ୍ରତିନିଧିତ୍ବ ରହିବ ନାହିଁ କାହିଁକି?

ଗଲା ୪ ତାରିଖ ଦିନ ସଂସଦର ଉଭୟ ଗୃହରେ ନୂତନ ୱାକଫ ବିଲ୍ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ସହିତ ଆ‌ଇନର ରୂପ ନେଇସାରିଛି, ଯଦିଓ ଏହାକୁ ଚ୍ୟାଲେଂଜ କରି ବିରୋଧୀ ପକ୍ଷ ସର୍ବୋଚ୍ଚ ଅଦାଲତକୁ ଗଲେଣି। ସଂଖ୍ୟାଲଘୁ ମୁସଲିମ ସଂପ୍ରଦାୟର ଏକ ଅତି ପ୍ରାଚୀନ ପାରଂପରିକ ବିଶ୍ବାସକୁ କେନ୍ଦ୍ର କରି ଗଢ଼ି ଉଠିଥିବା ବ୍ୟବସ୍ଥା ଓ ଅନୁଷ୍ଠାନ ସଂଦର୍ଭରେ ଯେ କୌଣସି ସଂଶୋଧନ ବା ସଂସ୍କାରର ଉଦ୍ୟମ ସ୍ବାଭାବିକ ଭାବେ ସଂବେଦନଶୀଳ; ତେବେ ବିଜେପି ଭଳି ହିନ୍ଦୁତ୍ବ ରାଜନୀତିର ପୃଷ୍ଠପୋଷକ ଦ୍ବାରା ଏହି ସଂସ୍କାର ରୂପ ପାଇବା ଭଳି ବିଷୟ ମୁସଲିମ ସଂପ୍ରଦାୟ ମଧ୍ୟରେ ଏକ ପ୍ରକାର ଶଙ୍କା ବିଜଡ଼ିତ ପ୍ରଶ୍ନ ସୃଷ୍ଟି କଲାଣି ଯେ ସେମାନଙ୍କୁ ହୀନପ୍ରଭ କରିବା ଉଦ୍ଦେଶ୍ୟରେ ଏକ ବୃହତ୍‌ ଷଡ୍‌ଯନ୍ତ୍ରର ଏହା ଏକ ଅଂଶ ନୁହେଁ ତ? କିନ୍ତୁ ଏଣେ, ସଂସଦର ଉଭୟ କକ୍ଷରେ ଦୀର୍ଘ ୨୦ ଘଣ୍ଟାର ଅତ୍ୟନ୍ତ ସାରପୂର୍ଣ୍ଣ ଓ ସୁସ୍ଥ ବିତର୍କ ମଧ୍ୟ ସୂଚାଇଛି ଯେ ଏହାକୁ ଏକ ଔଚିତ୍ୟପୂର୍ଣ୍ଣ ଢଙ୍ଗରେ ଗୃହୀତ କରାଇବା ନେଇ ସରକାର ଯତ୍ନଶୀଳ ଥିଲେ। ଏହି ଆଇନର ସମସ୍ତ ବିନ୍ଦୁର ସପକ୍ଷ ଓ ବିପକ୍ଷରେ ଯେଉଁଭଳି ଆବେଗିକ, ବୌଦ୍ଧିକ, ତଥ୍ୟପୂର୍ଣ୍ଣ ଓ ବିଶ୍ଳେଷିତ ଭାଷଣମାନ ଉପସ୍ଥାପିତ ହୋଇଛି, ତଦ୍ଦ୍ବାରା ‘ୱାକଫ’ ଭଳି ଏକ ଜଟିଳ ବ୍ୟବସ୍ଥା‌କୁ ନେଇ ରହିଥିବା ଅନେକ ଧା‌ରଣା ମଧ୍ୟ ସ୍ପଷ୍ଟ ହୋଇଛି।
ପ୍ରକାଶ ଥାଉ କି ଇସଲାମ ଧର୍ମାଚାରରେ ‘ଦାନ’ର ମହତ୍ତ୍ବ ସର୍ବାଗ୍ରେ ଏବଂ ‘ୱାକଫ’ ହେଉଛି ସେହି ଭଳି ଏକ ମହନୀୟ ଦାନ, ଯହିଁରେ ଆଲ୍ଲାଙ୍କ ନାମରେ ସଂପତ୍ତି ସମର୍ପିତ ହୋଇଥାଏ, ଯାହା ଉପ‌େର ମନୁଷ୍ୟର ସ୍ବତ୍ବ ଚିର ଦିନ ଲାଗି ଲୋପ ପାଇଥାଏ, କେବଳ ଯାହା ଦାନ ବସ୍ତୁର ତତ୍ତ୍ବାବଧାନ ଓ ପରିଚାଳନା ସକାଶେ ୱାକଫ ବୋର୍ଡ ବା ୱାକଫ କାଉନସିଲ ଭଳି ଅନୁଷ୍ଠାନମାନ ରହନ୍ତି। ୱାକଫର ଉଦ୍ଦେଶ୍ୟ ହେଲା ଏହାର ସୁଉପଯୋଗ ଏବଂ ତହିଁରୁ ସୃଷ୍ଟ ଆୟ ଦ୍ବାରା ମୁସଲିମ ସଂପ୍ରଦାୟର କଲ୍ୟାଣ ସାଧନ। ପୃଥିବୀର ପ୍ରାୟ ସମସ୍ତ ଇସଲାମୀ ଏବଂ ଅଣ ଇସଲାମୀ ଦେଶରେ ୱାକଫ ମାଧ୍ୟମରେ ମୁସଲିମ ସଂପ୍ରଦାୟର ଅଶେଷ ହିତ ସାଧନ କରାଯାଇଥାଏ। କିନ୍ତୁ ଆମ ଦେଶର ବିଡ଼ମ୍ବନାଟି ହେଲା, ଦୁର୍ନୀତିି, ପରିଚାଳନାଗତ ଅପାରଗତା, ଲୋଭ ଓ ଅବିମୃଶ୍ୟକାରିତା ଇତ୍ୟାଦି ହେତୁ ଏଠାରେ ୱାକଫ ଅନୁଷ୍ଠାନ ଅତ୍ୟନ୍ତ ଦୁର୍ବଳ ସ୍ଥିତିରେ ଅଛନ୍ତି। ମୁସଲମାନ ସଂପ୍ରଦାୟର ସ୍ଥିତି ଅନୁଧ୍ୟାନ କରିବା ଲାଗି ଗଠିତ ହୋଇଥିବା ସଚ୍ଚର କମିଟି ଦ୍ବାରା ପ୍ରଦତ୍ତ ୨୦୦୬ ମସିହାର ରିପୋର୍ଟ ଅନୁଯାୟୀ ୱା‌କଫ ସଂପତ୍ତିର ଉପଯୋଗରୁ ବାର୍ଷିକ ପ୍ରାୟ ୧୨,୦୦୦ କୋଟି ଟଙ୍କା ଆୟ ସମ୍ଭାବନା ଥିବାବେଳେ ସେ ସମୟରେ ପ୍ରକୃତ ଆୟର ପରିମାଣ ଥିଲା ମାତ୍ର ୧୬୩ କୋଟି ଟଙ୍କା। ପ୍ରକାଶ ଥାଉ କି ୱାକଫରେ ସର୍ବାଧିକ ମୂଲ୍ୟବାନ ସଂପତ୍ତି ହୋଇଥାଏ ଜମି ବ‌ା ଭୂସଂପତ୍ତି, ଯାହାର ପରିମାଣ ହେଉଛି ୯.୪ ଲକ୍ଷ ଏକର; ଏବଂ ଆକାର ଦୃଷ୍ଟିରୁ ପ୍ରତିରକ୍ଷା ଓ ରେଳବାଇ ବିଭାଗ ପରେ ଏହାର ସ୍ଥାନ ତୃତୀୟ। ତେବେ, ଜବରଦଖଲ ଓ ବେଆଇନ ବିକ୍ରିବଟା ଇତ୍ୟାଦି କାରଣରୁ ୱାକଫର ଭୂସଂପତ୍ତି ମଧ୍ୟ ସର୍ବାଧିକ ବିବାଦାସ୍ପଦ। ସରକାରଙ୍କ ଯୁକ୍ତି ଅନୁସାରେ ୧୯୯୫ ମସିହାର ଆଇନ ଓ ୨୦୧୩ ମସିହାରେ ହୋଇଥିବା ତାହାର ସଂଶୋଧନ ପରେ ବିବାଦ ସଂଖ୍ୟାରେ ବହୁ ଗୁଣ ବୃଦ୍ଧି ଘଟିବାରୁ ତହିଁରେ ସଂସ୍କାର କରାଯିବା ଅନିବାର୍ଯ୍ୟ ହୋଇପଡ଼ିଲା, ଯାହାର ଫଳଶ୍ରୁତି ଏହି ନୂଆ ଆଇନ।
ୱାକଫ ସଂପତ୍ତିର ପରିଚାଳନା ନେଇ ସ୍ବାଧୀନତୋତ୍ତର ଭାରତରେ ୧୯୫୪ ମସିହାରେ ୱାକଫ ଆଇନ ପ୍ରଣୀତ ହେଲା। ତାହା ବ୍ରିଟିସକାଳୀନ ୱାକଫ ଆଇନର ସଂସ୍କାରିତ ରୂପ ଥିଲା। ତା’ପରେ ୧୯୯୫ ମସିହାରେ ଯେଉଁ ସଂଶୋଧିତ ଓ ନୂତନ ୱାକଫ ଆଇନ ପ୍ରଣୀତ ହେଲା, ସେଥିରେ ୱାକଫ ଅନୁଷ୍ଠାନ ମାତ୍ରାତିରିକ୍ତ କ୍ଷମତା ପାଇ ଅସଂଖ୍ୟ ବିବାଦର ସୂତ୍ରପାତ କଲେ ବୋଲି ଅଭିଯୋଗ ଉଠିଥାଏ। ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ବାବ୍ରୀ ମସଜିଦର ପତନ ପରେ ମର୍ମାହତ ମୁସଲିମ ସଂପ୍ରଦାୟକୁ ପ୍ରବୋଧନା ‌େଦବା ସକାଶେ ୧୯୯୫ ମସିହାର ୱାକଫ ଆଇନ ଏକ ରଣକୌଶଳ ଥିଲା। ଏହି ଆଇନ ଏବଂ ୨୦୧୩ ମସିହାରେ ଏଥିରେ ଏକ ସଂଶୋଧନ କରାଯିବା ପରେ ୱାକଫ ଅନୁଷ୍ଠାନଗୁଡ଼ିକ ଯେ କୌଣସି ଜମିକୁ ତାଙ୍କ ଜମି ବୋଲି ଦାବି କରିବାର ଅଧିକାର ପ୍ରାପ୍ତ ହେଲେ। ଅଭିଯୋଗ ହୋଇଥାଏ ଯେ ୱାକଫ ବସ୍ତୁତଃ ଏକ ଜମି ହଡ଼ପକାରୀ ଅନୁଷ୍ଠାନରେ ପରିଣତ ହେଲା, ଯଦିଓ ଏହା ମଧ୍ୟ ଏକ ବାସ୍ତବତା ‌େଯ ୱାକଫ ଜମିର ଅନେକ ଅଂଶ ଜବରଦଖଲର ଶିକାର ହୋଇଥିଲା। ସଂସଦରେ ମନ୍ତ୍ରୀ କିରଣ ରିଜିଜୁଙ୍କ ପ୍ରଦତ୍ତ ତଥ୍ୟ ଅନୁସାରେ ୨୦୧୩ ମସିହାର ସଂ‌ଶୋଧନ ପରଠାରୁ ଏ ପର୍ଯ୍ୟନ୍ତ କାଳଖଣ୍ଡ ମଧ୍ୟରେ ଜମି ମାଲିକାନା ସଂକ୍ରାନ୍ତ ବିବାଦୀୟ ମାମଲାର ସଂଖ୍ୟା ହେଉଛି ୯୭ ଲକ୍ଷ ୭୦ ହଜାର ୭୨୭, ଯାହା ଏକ ରେକର୍ଡ। ୧୯୯୫ ଆଇନ ଅନୁସାରେ ୱାକଫ ଅନୁଷ୍ଠାନଗୁଡ଼ିକ ଏଭଳି ଜମି ଉପରେ ଦାବି ସାବ୍ୟସ୍ତ କରିଛନ୍ତି, ଯାହା ଉପରେ ସଂସଦ ଭବନ ଦଣ୍ଡାୟମାନ। ନୂତନ ଆଇନ ପ୍ରଣୀତ ହେବା ପରେ ୱାକଫ ଅନୁଷ୍ଠାନଗୁଡ଼ିକ ଆଉ ପୂର୍ବ ଭଳି ମନ ଇଚ୍ଛା ଦାବି କରି ପାରିବ ନାହିଁ। ଦ୍ବିତୀୟରେ, ପୂର୍ବର ଆଇନାନୁସାରେ ସତ୍ତ୍ବାଧିକାର ସମ୍ବନ୍ଧିତ ବିବାଦର ସମାଧାନ କେବଳ ‘ୱାକଫ ଟ୍ରିବ୍ୟୁନାଲ’ ଦ୍ବାରା ହୋଇଥାଏ, ଯେଉଁ ବ୍ୟବସ୍ଥାରେ ଯଦି ଜମି ଦଖଲକାରୀ ନ୍ୟାୟରୁ ବଂଚିତ ବୋଲି ମନେ କରେ, ତେବେ ତା’ ଲାଗି ଦେୱାନୀ ମକଦ୍ଦମାର ବାଟ ନ ଥାଏ। ସେ ଏକ ରିଟ୍‌ ପିଟିସନ ଜରିଆରେ ଉଚ୍ଚ ଅଦାଲତାର ଆଶ୍ରୟ ନେଇପାରେ, ଯାହା ହୁଏତ ସାଧାରଣ ଲୋକଙ୍କ ସକାଶେ ଜଟିଳ ଏବଂ ଚାପ ସୃଷ୍ଟିକାରୀ ଅନୁଭୂତି ହେବ। ନୂତନ ଆଇନରେ ୱାକଫ ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ‌ଦେୱାନୀ ଅଦାଲତରେ ଚ୍ୟାଲେଂଜ କରାଯାଇପାରିବ। ତୃତୀୟ କଥାଟି ହେଲା, ପୂର୍ବ ଆଇନ ଅନୁସାରେ ମୁସଲିମ ସଂପ୍ରଦାୟ ଦ୍ବାରା ପାରଂପରିକ ଭାବେ ବ୍ୟବହୃତ ଜମି, ଯେମିତି କି କବରସ୍ଥାନ ବା ମସଜିଦ ଆଦି ଥିବା ସ୍ଥାନକୁ ସ୍ବାଭାବିକ ଭାବେ ୱାକଫ ସଂପତ୍ତି ବୋଲି ବିବେଚନା କରାଯାଉଥିଲା, ଯାହାର ମାଲିକାନା ଏହି ନୂଆ ଆଇନ ଆସିବା ପରେ କେବଳ ଉପଯୁକ୍ତ ଦସ୍ତାବେଜ ଦ୍ବାରା ହିଁ ସାବ୍ୟସ୍ତଯୋଗ୍ୟ ହେବ, ନଚେତ ସେ ସବୁ ଜମି ସରକାରୀ ବୋଲି ଅଭିହିତ ହେବ। ଚତୁର୍ଥ ବିଷୟଟି ହେଲା ରାଜ୍ୟସ୍ତରୀୟ ୱାକଫ ବୋର୍ଡ (୩୨ଟି) ବା କେନ୍ଦ୍ର ସ୍ତରୀୟ ୱାକଫ କାଉନସିଲର ସଦସ୍ୟତାରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଅଣମୁସଲିମ ସଂପ୍ରଦାୟ, ମହିଳା ଓ ପଛୁଆ ବର୍ଗର ପ୍ରତିନିଧିତ୍ବ ରହିବ। ତେବେ, ଯଦିଓ ଏ ଚାରିଟି ଯାକ ସଂଦର୍ଭକୁ ତର୍ଜମା କରି ଦୃଢ଼ ଯୁକ୍ତି ସହ ଶାସକ ଦଳ ନୂଆ ଆଇନର ଯଥାର୍ଥତା ପ୍ରତିପାଦନ କରିବାର ଉଦ୍ୟମ କରିଛନ୍ତି, ପ୍ରତିପକ୍ଷ ମଧ୍ୟ ଅନୁରୂପ ଦୃଢ଼ ତର୍କ ଓ ସୂକ୍ଷ୍ମ ବିଚାର ଦ୍ବାରା ତାହାକୁ ପ୍ରତିହତ କରିବାର ଉଦ୍ୟମ କରିଛନ୍ତି, ଯହିଁରେ ବିରୋଧୀ ପକ୍ଷଙ୍କ ଆଶଙ୍କା ହେଲା ଯେ ଏହି ନୂତନ ଆଇନର ମୂଳ ଉଦ୍ଦେଶ୍ୟ ପ୍ରକୃତରେ ହେଉଛି ମୁସଲମାନ ସଂପ୍ରଦାୟର ଐକାନ୍ତିକ ଅଧିକାରଭୁକ୍ତ ପରିସରରେ ଅନୁପ୍ରବେଶ କରି ୱାକଫ ଭଳି ଏକ ପ୍ରାଚୀନ ଅନୁଷ୍ଠାନରୁ ଇସଲାମୀ ପ୍ରଭାବକୁ ଦୁର୍ବଳ କରି ଦେବା। ବିରୋଧୀ ପକ୍ଷ ଏହି କ୍ରମରେ ଯୁକ୍ତି ବାଢ଼ି ଥାଆନ୍ତି ଯେ ମନ୍ଦିର ବୋର୍ଡଗୁଡ଼ିକରେ ଅଣହିନ୍ଦୁଙ୍କ ପ୍ରତିନିଧିତ୍ବ ରହିବ ନାହିଁ କାହିଁକି?
ଏଥିରେ ଦ୍ବିମତ ନାହିଁ ଯେ ୱାକଫର ଯାବତୀୟ ସମସ୍ୟାର ମୂଳ କାରଣ ହେଉଛି ଗୋଟିଏ ଏବଂ ତାହା ହେଲା ଏହାର ଦର୍ଶନ ଓ ଉଦ୍ଦେଶ୍ୟ ଏବଂ ଏହାର କାର୍ଯ୍ୟକାରିତା ଓ ପରିଣାମ ମଧ୍ୟରେ ଥିବା ପାର୍ଥକ୍ୟ। କହିବା ବାହୁଲ୍ୟ, ସବୁ ଚମତ୍କାର ଦର୍ଶନ ବା ତତ୍ତ୍ବ ବା ସିଦ୍ଧାନ୍ତ ମନୁଷ୍ୟର ବ୍ୟବହାର ପରିସରକୁ ଆସିଗଲେ ପଥଭ୍ରଷ୍ଟ ଓ ଲକ୍ଷ୍ୟହୀନ ହୋଇଯାଆନ୍ତି, କାରଣ ମନୁଷ୍ୟର ଅହମିକା, ଲୋଭ, ଉଚ୍ଚାଭିଳାଷ, ଅଭିସନ୍ଧି, ସଂକୀର୍ଣ୍ଣ ମନ, ଅବିମୃଶ୍ୟକାରିତା ଆଦି ମିଶିଯାଇ ତାହାକୁ କିମ୍ଭୂତକିମାକାର କରି ପକାନ୍ତି। ଏହି କାରଣରୁ ଆମ ଭାଷାରେ ‘ପୋଥି ବାଇଗଣ’ ଓ ‘ବାଡ଼ି ବାଇଗଣ’ କଥା କୁହାଯାଇଥାଏ। ସେହି ଦୃଷ୍ଟିରୁ ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ୱାକଫ ଆଇନର ସଂସ୍କାର (ପ୍ରଧାନମନ୍ତ୍ରୀଙ୍କ ଭାଷାରେ ଏକ ଯୁଗାନ୍ତକାରୀ କ୍ଷଣ) ଏବଂ ତା’ର ସମ୍ଭାବ୍ୟ ସୁଫଳ ନେଇ ସଂସଦରେ ଶାସକ ଦଳଙ୍କ ତର୍କମାନ ‘ପୋଥି ବାଇଗଣ’ ଭଳି ମନେ ହେଉଥିବା ବେଳେ ବିରୋଧୀ ପକ୍ଷଙ୍କ ଅଭିବ୍ୟକ୍ତି ‘ବାଇଗଣ ଚାଷ’ କରିଥିବା ଚାଷୀର ଅନିଶ୍ଚିତତା ଓ ଶଙ୍କା ଭଳି ମନେ ହୋଇଥାଏ। ଏହି ଆଇନର ଦୀର୍ଘ ଶୀର୍ଷକ ହେଉଛି ‘ୟୁନିଫାଏଡ୍‌ ୱାକଫ ମେନେଜମେଣ୍ଟ, ଏମ୍‌ପାୱାରମେଣ୍ଟ, ଏଫିସିଏନ୍‌ସି ଏଣ୍ଡ ଡେଭଲପମେଣ୍ଟ ଆକ୍‌ଟ’ ବା ସଂକ୍ଷେପରେ ‘ଉମିଦ’, ହିନ୍ଦୀ ଭାଷାରେ ଯାହାର ଅର୍ଥ ହେଉଛି ଆଶା। ତେବେ ଏ ନୂଆ ଆଇନ ଦ୍ବାରା କାହାର କେଉଁ ଆଶା କିଭଳି ଚରିତାର୍ଥ ହେବ ବା ହେବ ନାହିଁ, ତାହା କେବଳ ବାଇଗଣ ଅମଳ ପରେ ଜଣା ପଡ଼ିବ, ତେଣୁ ଅପେକ୍ଷା କରିବାକୁ ହେବ।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.