Breaking News

ସୁସ୍ଥ ଆରମ୍ଭ ଆଣିଥାଏ ଆଶାନ୍ବିତ ଭବିଷ୍ୟତ

ସୁସ୍ଥ ସମାଜର ଗଠନ, କାର୍ଯ୍ୟକାରିତା ଓ ଭବିଷ୍ୟତ ପାଇଁ ମାତୃ ଓ ଶିଶୁ ସ୍ବାସ୍ଥ୍ୟ ଗୁରୁତ୍ବପୂର୍ଣ୍ଣ। ଯଦିଓ ସ୍ବାସ୍ଥ୍ୟକୁ ‘ସଂପଦ’ ବୋଲି କୁହାଯାଇଛି, ମାତ୍ର ପ୍ରକୃତ ପକ୍ଷେ ସ୍ବାସ୍ଥ୍ୟ କେବଳ ସଂପଦ ନୁହେଁ ବରଂ ଏହା ମଣିଷ ପାଇଁ ସବୁ କିଛି।

ଡା. ରାମଚନ୍ଦ୍ର ରାଉତ 

ସୁସ୍ଥ ସମାଜର ଗଠନ, କାର୍ଯ୍ୟକାରିତା ଓ ଭବିଷ୍ୟତ ପାଇଁ ମାତୃ ଓ ଶିଶୁ ସ୍ବାସ୍ଥ୍ୟ ଗୁରୁତ୍ବପୂର୍ଣ୍ଣ। ଯଦିଓ ସ୍ବାସ୍ଥ୍ୟକୁ ‘ସଂପଦ’ ବୋଲି କୁହାଯାଇଛି, ମାତ୍ର ପ୍ରକୃତ ପକ୍ଷେ ସ୍ବାସ୍ଥ୍ୟ କେବଳ ସଂପଦ ନୁହେଁ ବରଂ ଏହା ମଣିଷ ପାଇଁ ସବୁ କିଛି। କାରଣ ମଣିଷ ସୁସ୍ଥ ନ ରହିଲେ ଜୀବନ ଦୁର୍ବିଷହ ଓ କଷ୍ଟଦାୟକ ହୋଇଥାଏ। ବଞ୍ଚିବା ଲାଗି ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇଥାଏ। ସୁସ୍ଥ ନାଗରିକମାନେ ହେଉଛନ୍ତି ଦେଶର ଆର୍ଥିକ ଓ ବସ୍ତୁଭିତ୍ତିକ ସମ୍ବଳ। ଯେଉଁ ଦେଶର ଲୋକ ଯେତେ ସୁସ୍ଥ ସେ ଦେଶ ସେତେ ଉନ୍ନତ ଓ ବିକଶିତ।

ଚଳିତ ବିଶ୍ବ ସ୍ବାସ୍ଥ୍ୟ ଦିବସର ବାର୍ତ୍ତା ରହିଛି ମା’ ଓ ଶିଶୁ ସ୍ବାସ୍ଥ୍ୟରେ ଉନ୍ନତି ଆଣି ସେମାନଙ୍କ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବା। ଭବିଷ୍ୟତର ସମାଜ ପାଇଁ ସୁସ୍ଥ ନାଗରିକ ସୃଷ୍ଟି କରିବା। ତେଣୁ ଗର୍ଭବତୀ ମା’ମାନଙ୍କର ଠିକ୍ ସମୟରେ ଗର୍ଭାବସ୍ଥାର ପଞ୍ଜୀକରଣ, ପ୍ରତି ମାସ ଓ ପ୍ରତି ୩ ମାସରେ ଥରେ ସାଧାରଣ ଓ ବିସ୍ତୃତ ପରୀକ୍ଷା କରିବା ଉଚିତ। ଶିଶୁମାନଙ୍କ କ୍ଷେତ୍ରରେ ଉପଯୁକ୍ତ ଓ ଧାର୍ଯ୍ୟ ଟିକାକରଣ ତଥା କୌଣସି ଅସୁସ୍ଥତାର ତୁରନ୍ତ ଚିକିତ୍ସା ଆବଶ୍ୟକ। ରାଜ୍ୟରେ ପ୍ରସୂତି ବିଶେଷଜ୍ଞମାନଙ୍କ ତାଲିମ ଆରମ୍ଭ ହୋଇଛି। ଏଠାରୁ ତାଲିମ ପାଇଥିବା ସେବିକା, ପ୍ରସୂତି ବିଶେଷଜ୍ଞମାନେ ମା’ମାନେ କିଭଳି ସାଧାରଣଭାବେ ପ୍ରସବ କରାଇପାରିବେ ସେଥିପାଇଁ ପରାମର୍ଶ, ତାଲିମ ଓ ମାନସିକ ସ୍ତରରେ ପ୍ରସ୍ତୁତି କରାଉଛନ୍ତି। ଏହାଦ୍ବାରା ଅସ୍ତ୍ରୋପଚାର ଜରିଆରେ ହେଉଥିବା ପ୍ରସବ ସଂଖ୍ୟାରେ ହ୍ରାସ ହୋଇପାରୁଛି।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବାର୍ତ୍ତା ରହିଛି ‘ସୁସ୍ଥ ଆରମ୍ଭ ଓ ଆଶାନ୍ବିତ ଭବିଷ୍ୟତ’। ଯଦି ମା’ ଓ ଶିଶୁଙ୍କ ସ୍ବାସ୍ଥ୍ୟର ଯତ୍ନ ନିଆଗଲେ ଭବିଷ୍ୟତ ସୁସ୍ଥପୂର୍ଣ୍ଣ ଜୀବନ ଆଣିବ। ଏହି ବାର୍ତ୍ତା ସୁଦୂର ପ୍ରସାରୀ। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ମା’ ଓ ଶିଶୁ ସ୍ବାସ୍ଥ୍ୟର ପରୀକ୍ଷା ଓ ଏଥିସହ ସଲଗ୍ନ ମୃତ୍ୟୁ ହାରକୁ ନିମ୍ନ ସ୍ତରକୁ ଆଣିବା। ୩ଟି ମୁଖ୍ୟ ସ୍ବାସ୍ଥ୍ୟ ସୂଚକାଙ୍କ ହେଉଛି ଶିଶୁ ମୃତ୍ୟୁ ହାର(ଆଇଏମ୍‌ଆର), ମାତୃ ମୃତ୍ୟୁ ହାର(ଏମ୍‌ଏମ୍‌ଆର) ଓ ଆନୁଷ୍ଠାନିକ ପ୍ରସବ ଶତକଡ଼ା ସଂଖ୍ୟା(ଇନଷ୍ଟିଚ୍ୟୁସନାଲ୍‌ ଡେଲିଭରି)। ଖୁସିର କଥା ହେଉଛି ଯେ ଦେଶ ତଥା ରାଜ୍ୟରେ ଉଭୟ ଶିଶୁ ଓ ମାତୃ ମୃତ୍ୟୁ ହାର ଆଶାତୀତ ଭାବେ ହ୍ରାସ ପାଉଛି। ୧୯୫୦ ମସିହାରେ ପ୍ରତି ୧ହଜାର ଜୀବନ୍ତ ଶିଶୁ ଜନ୍ମରେ ଏହା ପ୍ରାୟ ୧୯୦ ଥିବା ବେଳେ ୨୦୨୫ ବେଳକୁ ଏହା ୨୫କୁ ଖସି ଆସିଛି। ସେହିପରି ପ୍ରତି ୧ଲକ୍ଷ ଜୀବନ୍ତ ଶିଶୁ ପ୍ରସବରେ ଏହି ସଂଖ୍ୟା ୨୫୫ରୁ ଖସି ୧୦୦ ତଳକୁ ଖସି ଆସିଲାଣି। ଏହାର ମୁଖ୍ୟ କାରଣ ହେଉଛି ଆନୁଷ୍ଠାନିକ ପ୍ରସବ ସଂଖ୍ୟାରେ ବୃଦ୍ଧି ହେବା। ଏହାସହ ଗର୍ଭାବସ୍ଥାରେ ମା’, ପରିବାରର ସଦସ୍ୟ ଓ ସ୍ବାସ୍ଥ୍ୟ କର୍ମୀଙ୍କ ନିରନ୍ତର ପ୍ରଚେଷ୍ଟା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଆନୁଷ୍ଠାନିକ ପ୍ରସବ ଶତ ପ୍ରତିଶତ ହେବାର ସ୍ବପ୍ନ ପୂରଣ ହେବାକୁ ଯାଉଛି।

ପ୍ରତିବର୍ଷ ୩ଲକ୍ଷରୁ ଅଧିକ ଗର୍ଭବତୀ ମହିଳା ଗର୍ଭାବସ୍ଥାଜନିତ ବିଭିନ୍ନ ସମସ୍ୟା ପାଇଁ ଅକାଳରେ ପ୍ରାଣ ହରାଉଛନ୍ତି। ସେହିପରି ପ୍ରତିବର୍ଷ ୨୦ଲକ୍ଷରୁ ଅଧିକ ଶିଶୁ ଜନ୍ମ ହେବାର ପ୍ରଥମ ମାସରେ ଗୁରୁତର ଶିଶୁ ରୋଗ ପାଇଁ ଜୀବନ ହରାଉଛନ୍ତି। ୨୦ଲକ୍ଷ ମା’ ପେଟରେ ହିଁ ପ୍ରାଣ ହରାଉଛନ୍ତି। ସ୍ବାସ୍ଥ୍ୟ ଓ ମନୋ ବୈଜ୍ଞାନିକ ଦୃଷ୍ଟିକୋଣରୁ ମା’ ଓ ଶିଶୁକୁ ଗୋଟିଏ ଏକକ ଭାବେ ଗ୍ରହଣ କରାଯାଇଥାଏ। ମା’ ଓ ଶିଶୁର ସ୍ବାସ୍ଥ୍ୟ ପରସ୍ପର ସହ ଜଡ଼ିତ। ମାତୃ ଗର୍ଭରେ ଶିଶୁଟି ୯ମାସରୁ ଅଧିକ ସମୟ ଧରି ଅବସ୍ଥାନ କରି ପରିପୂର୍ଣ୍ଣ ରୂପରେ ଭୂମିଷ୍ଠ ହୋଇଥାଏ। ମା’ର ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ ଦରକାର ପଡ଼ୁଥିବା ବେଳେ ଟିକାକରଣ, କେତେକ ଗୁରୁତର ରୋଗର ଆଗୁଆ ଓ ଠିକ୍‌ ନିରୂପଣ ତଥା ଉପଯୁକ୍ତ ନିରାକରଣ, ଚିକିତ୍ସା ଓ ଅନ୍ୟ ଉପାଦାନର ପରିପୂରଣ ଗୁରୁତ୍ବ ବହନ କରିଥାଏ। ଏସବୁ କାର୍ଯ୍ୟ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି। ୨୦୦୫ରୁ ଜନନୀ ସୁରକ୍ଷା ଯୋଜନା, ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ସମୁନ, ୨୦୧୬ରୁ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ବ ଅଭିଯାନ, ରାଜ୍ୟ ସରକାରଙ୍କ ଅମ୍ଲାନ ପରି ବହୁ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇଥିବା ବେଳେ ତାହାର ସୁଫଳ ମିଳିପାରିଛି। ଏହି ଯୋଜନାଗୁଡ଼ିକ ଶିଶୁ ଓ ମାତୃ ମୃତ୍ୟୁ ହାରରେ ଅନେକ ହ୍ରାସ ଆଣିବା ସହ ଆନୁଷ୍ଠାନିକ ପ୍ରସବ ସଂଖ୍ୟାରେ ଆଶାତୀତ ଉନ୍ନତି ଆଣିଛି।

ସାଧାରଣତଃ ଶିଶୁ ଜନ୍ମର ପ୍ରଥମ ମାସ ଉଭୟ ଶିଶୁ ଓ ମା’ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହାସହ ପ୍ରସବ ପରବର୍ତ୍ତୀ ୪୮ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ ଥିବାରୁ ପ୍ରସୂତିମାନଙ୍କୁ ପ୍ରସବ ପରେ ୨ଦିନ ଚିକିତ୍ସାଳୟରେ ରହିବା ପାଇଁ କୁହାଯାଇଥାଏ। ଏହି ସମୟରେ ମା’ର ପ୍ରସବୋତ୍ତର ରକ୍ତକ୍ଷରଣ, ଶିଶୁର ନିମୋନିଆ, ଜଣ୍ଡିସ ତଥା ଅନ୍ୟ ସଂକ୍ରମଣ ଇତ୍ୟାଦି ଗୁରୁତର ରୋଗ ହେବାର ଆଶଙ୍କା ଅଧିକ। ନବଜାତକଙ୍କ ପାଇଁ ଏସ୍‌ଏନ୍‌ସିୟୁର ବ୍ୟବସ୍ଥା ରହିଛି। ଏହାସତ୍ତ୍ବେ କେତେକ କ୍ଷେତ୍ରରେ ଉଭୟ ମୃତ୍ୟୁକୁ ଏଡ଼ାଇ ଦିଆଯିବା ସମ୍ଭବ ହେଉନାହିଁ। ଗର୍ଭସ୍ଥ ବିକଳାଙ୍ଗ ଶିଶୁ, ମା’ର ରକ୍ତକ୍ଷରଣ, ଗର୍ଭାବସ୍ଥାରେ ମା’ର ଉଚ୍ଚ ରକ୍ତଚାପ, ପାଦ ଫୁଲିବା, ମଧୁମେହ, ରକ୍ତହୀନତା, ଥାଇରଏଡ୍‌, ପ୍ରସବ ପରବର୍ତ୍ତୀ ରକ୍ତକ୍ଷରଣ ଭଳି ଅନେକ କାରଣ ପାଇଁ ମା’ ଓ ଶୁଶୁ ଗୁରୁତର ହୋଇ ପ୍ରାଣ ହରାଉଛନ୍ତି। ଏସବୁର ନିୟନ୍ତ୍ରଣ ପାଇଁ ଡାକ୍ତରୀ ତାଲିମ ପାଇଁ ଶିଶୁରୋଗ ଓ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଶିକ୍ଷାର ବୃଦ୍ଧି ହେବା ଜରୁରି। ଏହାସହ ସରକାରୀ ଚାକିରିରେ ଥିବା ଡାକ୍ତରମାନଙ୍କ ପାଇଁ ନିଶ୍ଚେତକ ବିଜ୍ଞାନରେ ଏଲ୍‌ଏସ୍‌ଏଏସ୍‌ସି ଓ ଇଏମ୍‌ଓସିସି ତାଲିମ ବ୍ୟବସ୍ଥା କରାଯାଇ ତାହାର ସୁଫଳ ମିଳିପାରିଛି।
ପୂର୍ବତନ ନିର୍ଦ୍ଦେଶକ
(ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ)

 

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.