Breaking News

ୱକଫ୍‌ ଆଇନକୁ ମୁସଲିମ୍ ସଂଗଠନର ଜୋର୍‌ଦାର ବିରୋଧ: ଦେଶବ୍ୟାପୀ ଆନ୍ଦୋଳନ ଚେତାବନୀ, ଦିଲ୍ଲୀରେ ବିଶାଳ ସମାବେଶ ସହ ଅଭିଯାନ ଆରମ୍ଭ ହେବ

କେନ୍ଦ୍ର ସରକାରଙ୍କ ସଂଶୋଧିତ ୱକଫ୍‌ ଆଇନ ବିରୋଧରେ ‘ଅଲ୍‌ ଇଣ୍ଡିଆ ମୁସ୍‌ଲିମ ପର୍ସନାଲ ଲ’ ବୋର୍ଡ (ଏଆଇଏମ୍‌ପିଏଲ୍‌ବି) ଯୁଦ୍ଧ ଘୋଷଣା କରିଛି। ଆଜି ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ସମସ୍ତ ଧାର୍ମିକ, ସମ୍ପ୍ରଦାୟ ଭିତ୍ତିକ ଏବଂ ସାମାଜିକ ସଂଗଠନମାନଙ୍କ ସହ ସମନ୍ୱୟ ରକ୍ଷା...

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସଂଶୋଧିତ ୱକଫ୍‌ ଆଇନ ବିରୋଧରେ ‘ଅଲ୍‌ ଇଣ୍ଡିଆ ମୁସ୍‌ଲିମ ପର୍ସନାଲ ଲ’ ବୋର୍ଡ (ଏଆଇଏମ୍‌ପିଏଲ୍‌ବି) ଯୁଦ୍ଧ ଘୋଷଣା କରିଛି। ଆଜି ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ସମସ୍ତ ଧାର୍ମିକ, ସମ୍ପ୍ରଦାୟ ଭିତ୍ତିକ ଏବଂ ସାମାଜିକ ସଂଗଠନମାନଙ୍କ ସହ ସମନ୍ୱୟ ରକ୍ଷା କରି ଵକଫ୍ (ସଂଶୋଧନ) ଆଇନ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ଏବଂ ଏହି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ  ଅଭିଯାନ ଜାରି ରହିବ। ସଂସଦରେ ୱକଫ୍ ବିଲକୁ ସମର୍ଥନ କରିଥିବା ଜେଡିୟୁ, ଟିଡିପି ଏବଂ ଏଲ୍‌ଜେପି (ରାମବିଳାସ) ଭଳି ଏନ୍‌ଡିଏର ସହଯୋଗୀ ଦଳଙ୍କୁ କଡ଼ା ସମାଲୋଚନା କରି  ଏଆଇଏମ୍‌ପିଏଲ୍‌ବି କହିଛି ଯେ ବିଜେପିର ସାମ୍ପ୍ରଦାୟିକ ଏଜେଣ୍ଡାକୁ ଏହି ଦଳଗୁଡ଼ିକ ସମର୍ଥନ କରି ସେମାନଙ୍କ ଅସଲ ଚେହେରା ସାମ୍ନାକୁ ଆଣିଛନ୍ତି। ୱକଫ୍‌ ଆଇନ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ସରକାର ୱକଫ୍‌ ଆଇନରେ ଅତ୍ୟାଚାରମୂଳକ ସଂଶୋଧନ କରିଥିବାରୁ ଏହା ବିରୋଧରେ  ବିଶାଳ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ବୋର୍ଡ କହିଛି। ଆନ୍ଦୋଳନ ସଂକ୍ରାନ୍ତ ରଣନୀତି ଉପରେ ଗତକାଲି  ଏକ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ପ୍ରତି ରାଜ୍ୟର ରାଜଧାନୀରେ ମୁସଲମାନ ନେତାମାନେ ପ୍ରତୀକାତ୍ମକ ଭାବେ ଗିରଫ ହେବେ ଏବଂ ଜିଲ୍ଲାସ୍ତରରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଦିଲ୍ଲୀ, ମୁମ୍ବାଇ, କୋଲକାତା, ହାଇଦ୍ରାବାଦ,ବେଙ୍ଗାଲୁରୁ, ଚେନ୍ନାଇ, ବିଜୟୱାଡା, ମାଲାପୁରମ, ପାଟନା, ରାଞ୍ଚି  ଓ ଲକ୍ଷ୍ନୌରେ ବଡ଼ ଧରଣର ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଏକ ବିଶାଳ  ସମାବେଶ ସହ ଏହି ଅଭିଯାନ ଆରମ୍ଭ ହେବ ।

ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦରେ ପାରିତ ହୋଇଥିବା ୱକଫ୍ (ସଂଶୋଧନ) ବିଲ୍-୨୦୨୫କୁ ଅନୁମୋଦନ ଦେଇଛନ୍ତି ଏବଂ ଏହା ସହିତ  ବିଲ୍‌ ଆଇନରେ ପରିଣତ ହୋଇଛି।   ୱକଫ୍‌ ଆଇନ ବିରୋଧରେ  ଅନେକ ବିରୋଧୀ ଦଳ ଏବେ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ୧୩ ଘଣ୍ଟାରୁ ଅଧିକ ସମୟ ଧରି ବିତର୍କ ପରେ ରାଜ୍ୟସଭାରେ ଏହି ବିବାଦୀୟ ବିଲ୍‌ ଶୁକ୍ରବାର ଗୃହୀତ ହୋଇଥିଲା। ଆଲୋଚନାରେ ବିରୋଧୀ ଦଳଗୁଡ଼ିକ ଏହି ବିଲ୍‌କୁ ‘ମୁସଲମାନ ବିରୋଧୀ’ ଏବଂ ‘ଅସାମ୍ବିଧାନିକ’ ବୋଲି କହିଥିବା ବେଳେ ସରକାର ଏହାର ଜବାବ ଦେଇ କହିଛନ୍ତି ଯେ ଏହି ଐତିହାସିକ ସଂସ୍କାର ସଂଖ୍ୟାଲଘୁ ସମ୍ପ୍ରଦାୟପାଇଁ ଲାଭଦାୟକ ହେବ। ରାଜ୍ୟସଭାରେ ବିଲ୍‌ ସପକ୍ଷରେ ୧୨୮ ଜଣ ଓ ବିପକ୍ଷରେ ୯୫ ଜଣ ଭୋଟ୍‌ ଦେଇଥିଲେ। ଲୋକସଭାରେ ବିଲ୍‌କୁ ୨୮୮ ଜଣ ସଦସ୍ୟ ସମର୍ଥନ କରିଥିବା ବେଳେ ୨୩୨ ଜଣ ବିରୋଧ କରିଥିଲେ।

ସୁପ୍ରିମ୍‌କୋର୍ଟ ଯିବ ଆର୍‌ଜେଡି
ନୂଆଦିଲ୍ଲୀ: ୱକଫ୍‌ ସଂଶୋଧିତ ବିଲ୍‌ ୨୦୨୫ ବିରୋଧରେ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି ଜଣାଯାଇଛି। ସୋମବାର ଦଳର ରାଜ୍ୟସଭା ସଦସ୍ୟ ମନୋଜ ଝା ଓ ବରିଷ୍ଠ ନେତା ଫୟାଜ୍‌ ଅହମ୍ମଦ ଏନେଇ ଆବେଦନ ଦାଖଲ କରିବେ। ମନୋଜ ଝା ଓ ଫୟାଜ୍‌ କହିଛନ୍ତି, ୱକଫ୍‌ ଆଇନର ଧାରାଗୁଡ଼ିକ ଦ୍ବାରା ୱକଫ୍‌ ସମ୍ପତ୍ତିର ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ହେବ। ସୂଚନାଯୋଗ୍ୟ ଏହା ପୂର୍ବରୁ, ଏପ୍ରିଲ୍‌ ୪ରେ କଂଗ୍ରେସ ସାଂସଦ ମହମ୍ମଦ ଜାୱେଦ୍‌ ତାଙ୍କ ଓକିଲ ଆନସ ତନୱିରଙ୍କ ଜରିଆରେ ସୁପ୍ରିମକୋର୍ଟରେ ପିଟିସନ୍‌ ଦାଖଲ କରିଛନ୍ତି। ସେହିଦିନ ହିଁ ଏଆଇଏମ୍‌ଆଇଏମ୍‌ ନେତା ତଥା ହାଇଦ୍ରାବାଦ ସାଂସଦ ଅସଉଦ୍ଦିନ୍‌ ଅୱେସୀ ଓ ଆପ୍‌ ବିଧାୟକ ଅମାନତୁଲ୍ଲା ଖାନ୍‌  ୱକଫ୍‌ ଆଇନ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.