ଓଡିଶାଖେଳ

Throwball: ଅର୍ଥାଭାବରୁ ଜାତୀୟ ପ୍ରତିଯୋଗିତାରୁ ବଞ୍ଚିତ ହେଲା ଓଡ଼ିଶା ମହିଳା ଥ୍ରୋବଲ୍‌ ଦଳ

ଅର୍ଥାଭାବରୁ ଓଡ଼ିଶା ମହିଳା ଥ୍ରୋବଲ୍‌ ଦଳ ୩୪ତମ ଜାତୀୟ ବରିଷ୍ଠ ଫେଡେ‌ରେସନ୍‌ କପ୍‌ ଥ୍ରୋବଲ୍‌ ପ୍ରତିଯୋଗିତା ଖେଳିବାରୁ ବଞ୍ଚିତ ହୋଇଛି। ଗତବର୍ଷ ଜାତୀୟ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଥିଲେ ମଧ୍ୟ ଚଳିତବର୍ଷ...

ଭୁବନେଶ୍ବର: ଅର୍ଥାଭାବରୁ ଓଡ଼ିଶା ମହିଳା ଥ୍ରୋବଲ୍‌ ଦଳ ୩୪ତମ ଜାତୀୟ ବରିଷ୍ଠ ଫେଡେ‌ରେସନ୍‌ କପ୍‌ ଥ୍ରୋବଲ୍‌ ପ୍ରତିଯୋଗିତା ଖେଳିବାରୁ ବଞ୍ଚିତ ହୋଇଛି। ଗତବର୍ଷ ଜାତୀୟ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଥିଲେ ମଧ୍ୟ ଚଳିତବର୍ଷ ଏହି ଦୁଃଖଦ ସ୍ଥିତିର ସମ୍ମୁଖୀନ ହୋଇଛି ଓଡ଼ିଶା ମହିଳା ଦଳ। ଯାହା ରାଜ୍ୟରେ କ୍ରୀଡ଼ା ବିକାଶର ଅସଲ ଚିତ୍ରକୁ ପଦାରେ ପକାଇଛି।

ଚଳିତବର୍ଷ ଆନ୍ଧ୍ରପ୍ରଦେଶର ତିରୁପତିଠାରେ ଚଳିତମାସ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ଏହି ପ୍ରତିଯୋଗିତା। ଗତବର୍ଷର ଜାତୀୟ ପ୍ରଦର୍ଶନ ଆଧାରରେ ଏବର୍ଷ ଓଡ଼ିଶା ମହିଳା ଦଳ ଏଥିରେ ଖେଳିବା ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିଲା। ଖେଳାଳିମାନେ ମଧ୍ୟ ଜାତୀୟ ବରିଷ୍ଠ ସ୍ତରୀୟ ପ୍ରତିଯୋଗିତା ଖେଳିବା ନେଇ ବେଶ୍‌ ଉତ୍ସାହିତ ଥିଲେ। ହେଲେ ଟଙ୍କା ଅଭାବରୁ ଶେଷ ମୁହୂର୍ତ୍ତରେ ରାଜ୍ୟ ଦଳ ଏଥିରୁ ଓହରିଯିବାକୁ ବାଧ୍ୟ ହୋଇଛି।

ଏଥିନେଇ ଓଡ଼ିଶା ରାଜ୍ୟ ଥ୍ରୋବଲ୍‌ ସଂଘର ସଂପାଦକ ଜିତେନ୍ଦ୍ର ନାଥ ଦାସ କହିଛନ୍ତି, ଆଗରୁ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ରାଜ୍ୟ କ୍ରୀଡ଼ା ବିଭାଗ ଆମକୁ ଆର୍ଥିକ ସହାୟତା ପ୍ରଦାନ କରୁଥିଲା। ଗତ ଦେଢ଼ବର୍ଷ ହେବ କିନ୍ତୁ ଏହାକୁ ବନ୍ଦ କରି ଦେଇଛି। ଆମେ ବାରମ୍ବାର ଏଥିଲାଗି ଆବେଦନ କରୁଥିଲେ ମଧ୍ୟ କିଛି ଫଳ ମିଳୁନି। କ୍ରୀଡ଼ା ବିଭାଗ ସଫେଇ ଦେଉଛି ଯେ ଥ୍ରୋବଲ୍‌ ସଂଘରେ ବିବାଦ ରହିଛି। ଯଦି ଏହାକୁ ମାନଦଣ୍ଡ ଭାବେ ନିଆଯାଉଛି,ତାହେଲେ ହ୍ୟାଣ୍ଡବଲ୍‌ ସହ ଏକାଧିକ ସଂଘରେ ବିବାଦ ଥିଲେ ମଧ୍ୟ ସେହି ଖେଳଗୁଡ଼ିକୁ କିଭଳି ନିୟମିତ ସାହାଯ୍ୟ ମିଳୁଛି? କ୍ରୀଡ଼ା ବିଭାଗର ଏଭଳି କାର୍ଯ୍ୟ ପାଇଁ ରାଜ୍ୟର ଥ୍ରୋବଲ୍‌ ଖେଳାଳିମାନେ ହିଁ ହଇରାଣ ହେଉଛନ୍ତି। ଜତେୀୟସ୍ତରରେ ଖେଳିବାର ଅଭିଜ୍ଞତାରୁ ବଞ୍ଚିତ ହେଉଛନ୍ତି। ଏହି ଦିଗରେ ବିଶେଷ ଧ୍ୟାନ ଦେବାକୁ ମୁଁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଅନୁରୋଧ କରୁଛି। ପୁରୁଷ ଦଳ ପାଇଁ ବି କୌଣସି ଅନୁଦାନ ମିଳିନି। ତେବେ ମୁଁ ହାତରୁ ପଇସା ଖର୍ଚ୍ଚ କରି ପୁରୁଷ ଦଳକୁ ଜାତୀୟ ପ୍ରତିଯୋଗିତା ଖେଳିବା ପାଇଁ ପଠାଉଛି।

ସୂଚନାଯୋଗ୍ୟ ଯେ ଶ୍ରୀ ଦାସଙ୍କ ଉଦ୍ୟମକ୍ରମେ ରାଜେଶ ସାହୁ, ସୁଶାନ୍ତ ଦାସ, ପ୍ରୀତମ ପଟ୍ଟାୟତ, ଲିଟନ ସାହୁ, ମନୋଜ ସିଂହ, ଓମକାର ବାରିକୀ, ଦୀପକ ବେହେରା, ଲିପୁନ କୁମାର ସେଠୀ, ଏସ୍‌କେ ଇମ୍ରାନ ଓ ଆଦସ୍ୟ ବିଶ୍ବାଳଙ୍କୁ ନେଇ ଗଠିତ ଓଡ଼ିଶା ବରିଷ୍ଠ ପୁରୁଷ ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ବୁଧବାର ତିରୁପତି ଏକ୍ସପ୍ରେସ୍ ଯୋଗେ ଆନ୍ଧ୍ରପ୍ରଦେଶ ଅଭିମୁ‌ଖେ ଯାତ୍ରା କରିଛି। ରାଜ୍ୟ ଦଳକୁ ସଭାପତି ଭୂପୀନ୍ଦର ସିଂହ, ସହସଂପାଦକ ଯଶୋବନ୍ତ ପରମଗୁରୁ ପ୍ରମୁଖ ଶୁଭକାମନା ଜ୍ଞାପନ କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button