Breaking News

ପହଲଗାମ୍ ପ୍ରତିଶୋଧ ପରେ ନୂଆ ସକାଳ ଦେଖିଲା ଭାରତ, ସିନ୍ଦୂରା ଫିଟିବା ଆଗରୁ ଆତଙ୍କୀଙ୍କ ଖେଳ ଖତମ୍ କଲା ‘ଅପରେସନ ସିନ୍ଦୂର’…

ନୂଆଦିଲ୍ଲୀ: ସିନ୍ଦୂରା ଫାଟିଲା, ସୂରୁଜ ଉଇଁଲା ଆଉ ଭାରତ ମାତା ନୂଆ ସକାଳ ଦେଖିଲା । ସିନ୍ଦୂରା ଫାଟିବା ଆଗରୁ ‘ଅପରେସନ ସିନ୍ଦୂର’ ଆତଙ୍କୀଙ୍କ ଖେଳ ଖତମ୍ କରିଦେଲା ଆଉ ପହଲଗାମ୍ ହମଲାର ପ୍ରତିଶୋଧ କଡା ଗଣ୍ଡା କରି ନେଲା । ଆଜି ମଝି ରାତିରେ ଭାରତୀୟ ସେନା ଖୋଜି ଖୋଜି ଆତଙ୍କୀଙ୍କୁ ମାରିଛନ୍ତି । ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ କରି ଶିବିର ଉଡାଇ ଦେଇଛନ୍ତି ଆମ ଯବାନମାନେ ଆଉ ଏଥିସହ ଭାରତ ନେଇଛି ପହଲଗାମ୍ ହମଲାର ପ୍ରତିଶୋଧ ।ଆତଙ୍କୀଙ୍କ ଉପରେ ଭାରତ ଶକ୍ତ ପ୍ରହାର କରି ପାକ୍ ମାଟିରେ ଶିବିର ଛାରଖାର କରିବା ପରେ ପାକିସ୍ତାନ ଥରହର ହୋଇଛି ।  ‘ଅପରେସନ ସିନ୍ଦୂର’ ଜରିଆରେ ୯ଟି ଟାର୍ଗେଟ୍ କରିଛି । ଯେଉଁଥିରେ ଶତାଧିକ ଆତଙ୍କୀ ସଫା ହୋଇଥିବା ସୂଚନା ମିଳିଛି । ତେବେ ଏହି ଆକ୍ରମଣ ଭାରତ ମାଟିରୁ କେବଳ ଆତଙ୍କ ଶିବିରକୁ କରାଯାଇଥିବା ବେଳେ ପାକିସ୍ତାନର ସେନା କ୍ୟାମ୍ପ କିମ୍ବା ନାଗରିକଙ୍କ ଉପରେ କରାଯାଇନଥିବା ସ୍ପଷ୍ଟ କରିଛି ସେନା ।ତେବେ ଅଧ ରାତିରେ ସୁଖୋଇ-ରାଫେଲରୁ ଦିଆଗଲା ଆତଙ୍କୀଙ୍କୁ ରକ୍ତର ଜବାବ । ଏୟାର ଷ୍ଟ୍ରାଇକରେ ସାମିଲ ଥିଲେ ୮ଟି ସୁଖୋଇ, ୪ଟି ରାଫେଲ । ବ୍ରହ୍ମୋସ୍ ମିସାଇଲ ମାଡ଼ରେ ମାଟିରେ ମିଶିଲା ଆତଙ୍କୀ ଆଡ୍ଡା । ସେପଟେ ଭାରତର ଆକ୍ରମଣ ପରେ ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି । ସବୁଠି ଭୟ ଆତଙ୍କର ବାତାବରଣ । ଲାହୋର ଏୟାରପୋର୍ଟରେ ଏମର୍ଜେନ୍ସି  ଘୋଷଣା ହୋଇଛି । ଏପଟେ ଶ୍ରୀନଗର ବିମାନବନ୍ଦରକୁ ମଧ୍ୟ ଯାତ୍ରୀଙ୍କ ପାଇଁ ବନ୍ଦ କରାଯାଇଛି ।ପହଲଗାମ୍ ପ୍ରତିଶୋଧ ନେଇ ଭାରତ ମୃତକଙ୍କ ପରିବାରକୁ ନ୍ୟାୟ ଦେଇଥିବା ବେଳେ ଭାରତବାସୀ ଏକ ନୂଆ ସକାଳ ଦେଖିଛନ୍ତି । ରାତି ପାହିବା ଆଗରୁ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କୁ ନିପାତ କରି ପାକିସ୍ତାନକୁ ପାନେ ଦେଇଛି ଭାରତ । ଯାହା ରାତି ପାହିବା ପରେ ଭାରତୀୟ ଶୁଣି ଖୁସି ଜାହିର କରିଛନ୍ତି । ଜାମ୍ମୁ କାଶ୍ମୀରରେ ଭାରତ ମାତା କି ଜୟ… ଏବଂ ଭାରତୀୟ ଯବାନ ଜିନ୍ଦାବାଦ ନାରାରେ କମ୍ପିଛି ପରିବେଶ । ସମସ୍ତେ ଭାରତୀୟ ସେନାର ସାହସ ଏବଂ ଆକ୍ରମଣକୁ ଭୂରି ଭୂରି ପ୍ରଶଂସା କରିଛନ୍ତି । ଭାରତ ପାକିସ୍ତାନ ଉପରେ ଆକ୍ରମଣ କରି ପ୍ରତିଶୋଧ ନେଇଥିବାରୁ ସମସ୍ତେ ଖୁସି ଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି ।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.