Naxals’: ନକ୍ସଲଙ୍କ ଟିସିଓସି ରଣନୀତି ଦିଗହରା
ପୂର୍ବ ଭଳି ଆଉ ମିଳୁନି ସମର୍ଥନ। କାମ କରୁନି ରଣନୀତି। ସଂଗଠନରେ କ୍ୟାଡର ନକ୍ସଲଙ୍କ ସଂଖ୍ୟା ମଧ୍ୟ କମିଗଲାଣି। ବିଶେଷ କରି ମାଲକାନଗିରି ସୀମାନ୍ତ ଏବଂ ଛତିଶଗଡ଼ର ବସ୍ତର.....

ମାଲକାନଗିରି: ପୂର୍ବ ଭଳି ଆଉ ମିଳୁନି ସମର୍ଥନ। କାମ କରୁନି ରଣନୀତି। ସଂଗଠନରେ କ୍ୟାଡର ନକ୍ସଲଙ୍କ ସଂଖ୍ୟା ମଧ୍ୟ କମିଗଲାଣି। ବିଶେଷ କରି ମାଲକାନଗିରି ସୀମାନ୍ତ ଏବଂ ଛତିଶଗଡ଼ର ବସ୍ତର ଅଞ୍ଚଳରେ ପ୍ରଭାବହୀନ ହୋଇ ପଡ଼ିଛି ମାଓ ସଂଗଠନ। ବସ୍ତର ଅଞ୍ଚଳରେ ମାର୍ଚ୍ଚରୁ ଜୁନ ପର୍ଯ୍ୟନ୍ତ ନକ୍ସଲ ଚଲାଉଥିଲେ ଟିସିଓସି (ବୈଷୟିକ ପ୍ରତି ଆକ୍ରମଣ ଅଭିଯାନ) ଯୋଜନା। ତାହା ମଧ୍ୟ ଜନସମର୍ଥନ ଅଭାବରୁ ଫସର ଫାଟିଛି। ଫଳରେ ବଡ଼ ଅଘଟଣ ଘଟାଇବାରେ ନକ୍ସଲ ରଣନୀତି ପ୍ରସ୍ତୁତ କରିବାରେ ବିଫଳ ହୋଇଛନ୍ତି।
ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ନକ୍ସଲମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। ଓଡ଼ିଶା-ଆନ୍ଧ୍ର-ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତ ନକ୍ସଲ ମୁକ୍ତ ଭାରତ ଗଠନରେ ପ୍ରମୁଖ ଭୂମିକା ରଖୁଥିବାରୁ ୪ ରାଜ୍ୟରେ ଚାଲିଛି ବଡ଼ଧରଣର ଅପରେସନ୍। ପରିଣାମ ସ୍ବରୂପ ନକ୍ସଲ ସଂଗଠନର ମହାସଚିବ ବାସବ ରାଜୁ, କେନ୍ଦ୍ରୀୟ କମିଟି ସଦସ୍ୟ ଚଲପତି ରାଓ, ହିଡ଼ମା, ଗଣେଶ, ଉଦୟ, ଭାସ୍କର ରାଓ, ଦସୁରୁ, ଏନ୍. ଚନ୍ଦ୍ରା ରାଓଙ୍କ ଭଳି ବହୁ ଟପ୍ କ୍ୟାଡର୍ ନକ୍ସଲ ନିହତ ହୋଇଛନ୍ତି। ସେହିପରି ଫେବ୍ରୁଆରିରେ ନକ୍ସଲ ସଂଗଠନର ମହାସଚିବ ଦେବ୍ଜୀ ତେଲେଙ୍ଗାନାରେ ଆତ୍ମସମର୍ପଣ କରିବା ନକ୍ସଲ ସଂଗଠନ ପାଇଁ ଶକ୍ତ ଝଟ୍କା ହୋଇଛି। ଗତ ୩ମାସ ଆତ୍ମସମର୍ପଣ ପର୍ବ ଜାରି ରହିଥିବା ବେଳେ ମାର୍ଚ୍ଚରୁ ଜୁନ ମଧ୍ୟରେ ହେଉଥିବା ନକ୍ସଲଙ୍କ କ୍ୟାମ୍ପେନ୍ ଏବେ ଦିଗହରା।
ପୂର୍ବ ରେକର୍ଡ ଦେଖିଲେ, ଏହି ୪ ମାସରେ ନକ୍ସଲ ବଡ଼ ଧରଣର ଅଘଟଣ ଘଟାଇଥାନ୍ତି। ଜଙ୍ଗଲରେ ପତ୍ରଝଡ଼ା କାରଣରୁ ଯବାନଙ୍କ କମ୍ବିଂକୁ ନକ୍ସଲ ସହଜରେ ଅନୁମାନ କରି ଟାର୍ଗେଟ କରିଥାନ୍ତି। ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣ, ଯବାନ ଓ ନିରୀହ ଜନତାଙ୍କୁ ହତ୍ୟା, ବିକାଶ ରୋକି ସଂଗଠନକୁ ମଜୁଭୁତ କରିବା ଟିସିଓସି କ୍ୟାମ୍ପେନ୍ର ମୂଳଲକ୍ଷ୍ୟ। ଏଥି ସହିତ ନକ୍ସଲ ଗାଁ ଗାଁରେ ଯୁବକଙ୍କୁ ସଂଗଠନରେ ସାମିଲ ହେବାକୁ ଧମକାଇଥାନ୍ତି। ଏହି ସମୟରେ (ମାର୍ଚ୍ଚରୁ ଜୁନ) ବସ୍ତରର ସୁକମା, ଦନ୍ତେଵାଡା ଓ ବିଜାପୁର ଜିଲ୍ଲାରେ ନକ୍ସଲ ସବୁଠାରୁ ବଡ଼ ହମ୍ଲା କରିବାର ନଜିର ରହିଛି। ୨୦୧୦ରେ ତାଡ଼ମେଟଲା ହମ୍ଲାରେ ୭୬ ସିଆର୍ପିଏଫ୍ ଯବାନ ସହିଦ ହୋଇଥିଲେ। ୨୦୧୩ ଝିରମଘାଟି ଆକ୍ରମଣରେ ୩୩ କଂଗ୍ରେସ ନେତାଙ୍କ ମୃତ୍ୟୁ, ୨୦୧୭ ବୁରକାପାଲ ହମଲାରେ ୨୬ ଯବାନ୍ ସହିଦ, ୨୦୨୧ରେ ଟେଲଗୁଡ଼ା ହମ୍ଲାରେ ୨୨ ଯବାନ ସହିଦ, ୨୦୨୩ରେ ଦନ୍ତେଵାଡା ହମ୍ଲାରେ ୧୦ ଯବାନ ସହିଦ ହୋଇଥିଲେ।
ସୌଜନ୍ୟ ସମ୍ବାଦ




