Breaking News

ଶିରୋନାମା: ‘ଝିଅ’

ଅଧା ପୃଥିବୀର ଅଧୀଶ୍ବରୀ ସିଏ। ସାରା ଆକାଶ ତା’ର। ହେଲେ ଉଡ଼ାଣ ଭରିବା ପୂର୍ବରୁ କେବେକେବେ ଡେଣା କଟିଯାଉଛି ତ କେବେ ଉଜୁଡ଼ିଯାଉଛି ସ୍ବପ୍ନ; ପୁଣି ହୁତୁହୁତୁୁ ନିଆଁରେ ଜଳିଯାଉଛି ଶରୀର।

 ଶିରୋନାମା: ‘ଝିଅ’

ଅଧା ପୃଥିବୀର ଅଧୀଶ୍ବରୀ ସିଏ। ସାରା ଆକାଶ ତା’ର। ହେଲେ ଉଡ଼ାଣ ଭରିବା ପୂର୍ବରୁ କେବେକେବେ ଡେଣା କଟିଯାଉଛି ତ କେବେ ଉଜୁଡ଼ିଯାଉଛି ସ୍ବପ୍ନ; ପୁଣି ହୁତୁହୁତୁୁ ନିଆଁରେ ଜଳିଯାଉଛି ଶରୀର। ସ୍ବାଭିମାନ ଓ ସମ୍ମାନର ସହ କେଉଁଠି ସେ ସୁରକ୍ଷିତ? ଘରେ ନା ସାଥୀମେଳରେ, ଶିକ୍ଷାନୁଷ୍ଠାନରେ ନା କର୍ମକ୍ଷେତ୍ରରେ? କେଉଁଠି ତା’ର ପ୍ରଶ୍ବାସରେ ଭରପୂର ଥିବ ବିଶ୍ବାସର ଅମ୍ଳଜାନ? ଶିରୋନାମା: ‘ଝିଅ’। ଏହି କ୍ରମରେ ଆସନ୍ତୁ କିଛି ପ୍ରଶ୍ନର ଉତ୍ତର ଖୋଜିବା ପରିଚିତା ନାରୀମାନଙ୍କଠାରୁ। ଆଜିର ଅତିଥି କବି ତଥା ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ ପ୍ରଫେସର ଡାକ୍ତର ସରୋଜିନୀ ଷଡ଼ଙ୍ଗୀ

 ନାରୀର ଶରୀର ତା’ର ସମ୍ପତ୍ତି ନା ବିପତ୍ତି। ଆଜିର ସମାଜ ପରିପ୍ରେକ୍ଷୀରେ ଆପଣଙ୍କର ଦୃଷ୍ଟିଭଙ୍ଗୀ କ’ଣ?
ନାରୀର ଶରୀର ସହ ନାରୀତ୍ୱ ଏବଂ ଲାଳିତ୍ୟ ଅଂଗାଗୀ ଭାବେ ଜଡ଼ିତ, କାରଣ ନାରୀ ଦେହରୁ କ୍ଷରିତ ହେଉଥିବା ହରମୋନ୍ “ଇଷ୍ଟ୍ରୋଜେନ୍” ତା’ର ଶରୀରକୁ ସଂପୂର୍ଣ୍ଣ ରୂପେ ସନ୍ତୁଳିତ କରି ରଖିଥାଏ। ତେଣୁ ନାରୀର ଶରୀର ତା’ର ସମ୍ପତ୍ତି ନିଶ୍ଚୟ। ଇଷ୍ଟ୍ରୋଜେନ୍ ହରମୋନ୍ ଅନେକ କ୍ଷେତ୍ରରେ ଝିଅମାନଙ୍କର ମସ୍ତିଷ୍କକୁ ସକ୍ରିୟ କରିଥାଏ, ତେଣୁ ଝିଅମାନେ ଭଲ ପାଠ ପଢ଼ିବା ସହ ପରୀକ୍ଷାରେ ଉଚ୍ଚସ୍ଥାନ ମଧ୍ୟ ଅଧିକାର କରିଥାନ୍ତି। ଆହୁରି ମଧ୍ୟ ଇଷ୍ଟ୍ରୋଜେନ୍ ଅନେକ ଗୁଡ଼ିଏ ରୋଗ ଯଥା ହୃଦ୍‌ରୋଗ, ମଧୁମେହ, ହାଡ଼କ୍ଷୟ ରୋଗ ଏବଂ ଅଲଝାଇମର୍ସ ଭଳି ରୋଗରୁ ନାରୀକୁ ସୁରକ୍ଷା ଦେଇଥାଏ। କିନ୍ତୁ ଆଜିକାଲି ସମାଜରେ ନାରୀମାନଙ୍କ ପାଇଁ ନିଜ ଶରୀର ସମ୍ପତ୍ତି ହେବା ସହ ବିପତ୍ତି ମଧ୍ୟ ସୃଷ୍ଟି କରିଥାଏ। ସେ ସତର ବର୍ଷର ଝିଅଟିଏ ହେଉ ବା’ ସତୁରୀ ବର୍ଷର ନାରୀଟିଏ ହେଉ, ସବୁ ବୟସରେ ନାରୀର ସୁରକ୍ଷା କମିଯାଉଛି ଏବଂ ବିପଦ ମାଡ଼ି ଆସୁଛି। ଅସାମାଜିକ ବ୍ୟକ୍ତିମାନଙ୍କର ଦୌରାତ୍ମ୍ୟ ନାରୀ ପାଇଁ ବିପଦ ପାଲଟି ଯାଉଛି। ଆଜିର ସମାଜ ପରିପ୍ରେକ୍ଷୀରେ ନାରୀ ନିଜେ ନିଜର ସୁରକ୍ଷା କବଚ ପାଲଟୁ ଏବଂ ସେଇଭଳି ପଦକ୍ଷେପ ଗ୍ରହଣ କରୁ। ପିଲାଦିନରୁ ବାପା, ମା ତଥା ଯୌଥ ପରିବାରରେ ଥିବା ଗୁରୁଜନମାନେ ପିଲାଙ୍କୁ ନୈତିକ ଶିକ୍ଷା ଦିଅନ୍ତୁ। ପିଲାଦିନୁଁ ସେ ସବୁ କାଇଦା କଟକଣା ସହ ଉପଯୁକ୍ତ ପରାମର୍ଶ ପାଇଲେ ନିଶ୍ଚିତ ଭାବରେ ପୁଅ ପିଲାମାନେ ଏଭଳି ଅନୈତିକ କାମ କରିବା ପୂର୍ବରୁ ଥରଟିଏ ଭାବିବେ ଏବଂ ପଛଘୁଂଚା ଦେବେ।
 ଲିଭିଂ ଟୁଗେଦର ପରି ଘଟଣା ଆଜିକାଲି ସାଧାରଣ ହେଲାଣି ତେବେ ଝିଅଟିଏ ସନ୍ତାନ ସମ୍ଭବା ହେଲେ ଜଣେ ସ୍ତ୍ରୀରୋଗ ବିଶେଷଜ୍ଞ ଭାବରେ ଆପଣଙ୍କଠାରୁ କେଉଁ ପରାମର୍ଶ ଖୋଜୁଛି?
ଯେଉଁକଥା ଆମେ ଚିନ୍ତାକରି ନଥିଲେ ସେଭଳି “ଲିଭିଂ ଟୁଗେଦର” ସଂପର୍କରେ ଅନେକ ଯୁବଗୋଷ୍ଠୀ ଆଜିକାଲି ବାନ୍ଧି ହୋଇ ପଡୁଛନ୍ତି। କୌଣସି ସ୍ଥାୟୀ ସାମାଜିକ ଓ ପାରିବାରିକ ବନ୍ଧନରେ ନରହି ଏବଂ ପରସ୍ପର ପ୍ରତି କୋଣସି ପ୍ରତିବଦ୍ଧତା ନରଖି ଖାଲି ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ଏକାକୀତ୍ୱ ଦୂର କରିବା ପାଇଁ ଏ ପ୍ରକାର ସଂପର୍କକୁ ଅନେକ ଆଜିକାଲି ଶ୍ରେୟସ୍କର ଭାବୁଛନ୍ତି। ତେଣୁ ଗର୍ଭଧାରଣ ପରେ ମଧ୍ୟ ଅନେକ ଦମ୍ପତି କୌଣସି ସନ୍ତାନ ସନ୍ତତି ଚାହିଁନଥାନ୍ତି। କାରଣ ପାରିବାରିକ ବନ୍ଧନ ଛଡ଼ା ଏଥିରେ ଆଇନର ମଧ୍ୟ କିଛି ପ୍ରତିବନ୍ଧକ ଥାଏ। ତେଣୁ ଅଧିକାଂଶ ନିଜର ଗର୍ଭ ନଷ୍ଟ ପାଇଁ ପରାମର୍ଶ ଲୋଡ଼ିଥାନ୍ତି।
 ଆପଣଙ୍କର କବିତା ସଂକଳନ ‘ଆତ୍ମଜା’ ଏକ ଲୋକପ୍ରିୟ ଓ ପୁରସ୍କୃତ କବିତା ସଂକଳନ। ଏଥିରେ ଆପଣଙ୍କର ଆତ୍ମାର ସ୍ୱର କ’ଣ?
ହଁ ମୋର କବିତା ‘ଆତ୍ମଜା’ ଏକ ପ୍ରାଣସ୍ପର୍ଶୀ କବିତା। କନ୍ୟା ଭ୍ରୂଣ ହତ୍ୟା ଉପରେ ଲିଖିତ ଏ କବିତା ଭାରତରେ ଅଲ୍ ଇଣ୍ଡିଆ ତଫରୁ ହେଉଥିବା ‘ସର୍ବ ଭାଷା ସମ୍ମିଳନୀ’ରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ଏବଂ ହିନ୍ଦୀ, ଇଂରେଜୀ ଓ ଓଡ଼ିଆ ସହ ଭାରତର ୨୩ଟି ଆଞ୍ଚଳିକ ଭାଷାରେ ‘ଆତ୍ମଜା’ର ବୃତ୍ତଚିତ୍ର ନିର୍ମାଣ ହୋଇଥିଲା। ପ୍ରାୟ ଭାରତର ୬୦ ହଜାର ଗାଁରେ ଏହା ପ୍ରଦର୍ଶିତ ହୋଇଥିଲା। ସେଥିରେ ମୁଁ ଲେଖିଥିଲି ଝିଅଟିଏ କେବଳ ମା’ର ପ୍ରାଣ, ମନ ବା’ ତନୁରୁ ଜାତ ନୁହେଁ ବା ସେ ତନୁଜା, ମନୋଜା ବା’ ପ୍ରାଣଜା ନୁହେଁ, ଝିଅଟିଏ ମା’ର ଆତ୍ମାର ଅବିକଳ ପ୍ରତିଲିପି- “ଆତ୍ମଜା”। ଝିଅଟିଏ ହୋଇ ଜନ୍ମିବା ତା’ର ଦୋଷ ନୁହେଁ। ବାପା ମା’ଙ୍କର କ୍ରୋମୋଜୋମର ମିଳନ ହେଲେ ହିଁ କନ୍ୟା ଶିଶୁଟିଏ ହୋଇଥାଏ, ଏଥିରେ ତା’ର ଦୋଷ କ’ଣ? ଝିଅଟିଏ ତା’ର ଯଶରେ ଓ କୀର୍ତ୍ତିରେ ଯେ ଆକାଶକୁ ଛୁଇଁପାରେ? “ମୁଁ ତୁମ ଲୋହିତ ଦେହୁଁ/ଜନ୍ମ ନେବି ମନସ୍ୱିନୀ ହୋଇ/ମୃଣାଳିନୀ ହୋଇ ମୁଁ ଯେ/ସୁଗନ୍ଧରେ ଭରି ଦେବି/ଦିଗରୁ ଦିଗନ୍ତ ଯାଏ/ମନ୍ଦାକିନୀ ହୋଇ ମୁଁ ଯେ/ବହିଯିବି ହିମାଳୟୁଁ/କୁମାରୀକା ଯାଏ/ତେଜସ୍ୱିନୀ ରୂପ ନେଇ/ମନସ୍ୱିନୀ ମନ ନେଇ/ହେବି ମୁଁ ବିଶ୍ୱରେ ଏକ/ଅନବଦ୍ୟ ବିଭୋର ବିସ୍ମୟ।” ବର୍ତ୍ତମାନ ମଧ୍ୟ ଆଇନ ବିଭାଗ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସାରା ଓଡ଼ିଶାର ପୁରପଲ୍ଲୀ ତଥା ବିଭିନ୍ନ ସ୍ଥାନରେ ଏହା ପ୍ରଦର୍ଶିତ ହେଉଛି ଏବଂ ଓ ପି.ସି.ପିଏନ୍.ଡି.ଟି ଆକ୍ଟରେ ଏହା ସ୍ଥାନିତ ହୋଇଛି। ଗୋଟିଏ ପୁଅ ଭଳି ଝିଅଟିର ମଧ୍ୟ ଜନ୍ମ ହେବାର ଅଧିକାର ଏ ପୃଥିବୀରେ ଅଛି ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ଅଧିକାର ମଧ୍ୟ ତା’ର ପ୍ରାପ୍ୟ। ପୁଅ ଭଳି ଝିଅଟିକୁ ମଧ୍ୟ ସେତିକି ଯତ୍ନ ସେତିକି ସମ୍ମାନ ମିଳୁ। ସେ ପୁଅ ସଙ୍ଗେ ପାଦ ମିଳାଇ ଚାଲୁ।
 ଫକୀର ମୋହନଙ୍କ ‘ରେବତୀ’ ଓ ଆଜିର ରେବତୀ ଭିତରେ ତଫାତ୍ କ’ଣ ଦେଖୁଛନ୍ତି ଆପଣ?
ଫକୀର ମୋହନଙ୍କ ‘ରେବତୀ’ ପ୍ରାୟ ଦେଢ଼ଶହ ବର୍ଷ ତଳର ସାମାଜିକ ଚିତ୍ର, ଯେଉଁଥିରେ କେବଳ ପାଠ ପଢ଼ିଲା ବୋଲି ସମସ୍ତେ ଅଭିଶପ୍ତ ହୋଇ ମୃତ୍ୟୁବରଣ କରିଥିଲେ ବୋଲି ରେବତୀକୁ ତା’ର ଜେଜେମା’ କହିଥିଲେ ଓ ଡାକିଥିଲେ ଲୋ ରେବତୀ, ଲୋ ରେବ, ଲୋ ନିଆଁ, ଲୋ ଚୁଲି। ଆଜିର ରେବତୀ ଶିକ୍ଷିତା ହେଲାଣି, ତା’ର ସ୍ୱପ୍ନକୁ ସାକାର କରିବାକୁ ସାହସ ପାଇଲାଣି। ନିଜ ଅଧିକାରକୁ ଜାହିର କରିବାକୁ ବଳ ପାଇଲାଣି। ଅତୁଟ ଆତ୍ମ ବିଶ୍ୱାସ ସହ ପୁରୁଷ ସହ କାନ୍ଧ ମିଳାଇ ସେ ଚାଲିବା ଶିଖିଲାଣି। ଆଶା କରୁଛି ଆଜିର ରେବତୀମାନେ ଯଥେଷ୍ଟ ସାହସ, ଆତ୍ମବିଶ୍ୱାସ ଓ ଆତ୍ମ ସଂଯମ ସହ ନିଜ ଲକ୍ଷ୍ୟ ପଥରେ ଆଗେଇ ଚାଲିବେ।
 କ’ଣ କଲେ ଝିଅଟିଏ ବା’ ନାରୀଟିଏ ଘରେ ବା’ ବାହାରେ ସୁରକ୍ଷିତ ରହିପାରିବ ଆପଣଙ୍କ ବିଚାରରେ?
ନାରୀ ସବୁଠାରେ ଅସୁରକ୍ଷିତ। ତେବେ ସେ ନିଜେ ହିଁ ନିଜକୁ ସୁରକ୍ଷିତ ରଖିପାରିବ। ପ୍ରଥମତଃ ଆଜିକାଲି ପାଠ ପଢ଼ିଲା ବେଳେ “କୋ ଏଜୁକେସନ” ଏବଂ ଚାକିରି କ୍ଷେତ୍ରରେ ମଧ୍ୟ ଅନେକ ପୁରୁଷ ସହକର୍ମୀମାନଙ୍କ ସହ ତାକୁ କାମ କରିବାକୁ ପଡ଼ିଥାଏ। ତେଣୁ ସେଥିପାଇଁ ଘରୁ ବାହାରିଲେ ଝିଅଟିଏ କେଉଁଠିକୁ ଯାଉଛି ଏବଂ ଆପାତତଃ ଫେରିବା ସମୟ ସେ ଘରେ ବାପା, ମା ବା ଆତ୍ମୀୟ ସ୍ୱଜନଙ୍କୁ କହିବା ଦରକାର ତଥା ଫୋନ୍ ନମ୍ବର ଓ ସେଠିକାର ଫୋନ୍ ନମ୍ବର ଜଣାଇବା ଉଚିତ। ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ କାର୍ଯ୍ୟକ୍ଷେତ୍ରରେ ସେମାନେ ପୋଷାକ ପତ୍ର ପ୍ରତି ସତର୍କ ହେବା ଜରୁରି। ଏହାଛଡ଼ା କାର୍ଯ୍ୟ କ୍ଷେତ୍ରରେ ଫେରିବା ସମୟ ବା’ ଯାନବାହନରେ ଆସୁଥିବା ବେଳେ ଆତ୍ମୀୟ ସ୍ୱଜନଙ୍କୁ ଖବର ଦେବା ଉଚିତ। କୌଣସି ଅଜଣା ସ୍ଥାନକୁ ଅଚିହ୍ନା ବନ୍ଧୁଙ୍କ ସଙ୍ଗେ ଯିବା ଠିକ୍ ନୁହେଁ। ଏହାଛଡ଼ା ଏବେ ମଧ୍ୟ ୱାଚରେ ଆଲାର୍ମ ସିଷ୍ଟମର ଆପ୍ ଲାଗିଲାଣି। ଆତ୍ମ ସୁରକ୍ଷା ପାଇଁ କିଛି ଜିନିଷ ନିଜ ପାଖରେ ମଧ୍ୟ ରଖିବା ଉଚିତ। ତେଣୁ ସତର୍କ ହେଲେ ଜଣେ ନାରୀ ଯେ ସଂପୂର୍ଣ୍ଣ ନହେଲେ ମଧ୍ୟ କିଛି ମାତ୍ରାରେ ସୁରକ୍ଷିତ ରହିପାରିବ, ଏଥିରେ ସନ୍ଦେହର ଅବକାଶ ନାହିଁ।

 

 

 

ସୌଜନ୍ୟ – ସମ୍ବାଦ

Comments are closed.