Breaking News

ଆସ୍ଥାର ନବ ଆଳୟ: ଇଷ୍ଟଙ୍କ ପୂଜା ପାଇଁ ନିର୍ମାଣ ଶିଳ୍ପୀ ଗଢ଼ିଥିଲେ ବିଶ୍ବକର୍ମା ମନ୍ଦିର

ନିର୍ମାଣ କଥା ଆସିବ ଆଉ ‘ବିଶ୍ବକର୍ମା’ ମନେ ନ ପଡ଼ିବେ, ଏମିତି କ’ଣ ହୋଇପାରେ! ସେ ‘ଦେବଶିଳ୍ପୀ ବିଶ୍ବକର୍ମା’ ହୁଅନ୍ତୁ ଅବା ନିର୍ମାଣ କୂଳ ‘ବିଶ୍ବକର୍ମା ସମ୍ପ୍ରଦାୟ’- ଯେକୌଣସି ନିର୍ମାଣର ପୁରୋଧା ଏମାନେ ହିଁ ସାଜନ୍ତି।

 ଆସ୍ଥାର ନବ ଆଳୟ: ଇଷ୍ଟଙ୍କ ପୂଜା ପାଇଁ ନିର୍ମାଣ ଶିଳ୍ପୀ ଗଢ଼ିଥିଲେ ବିଶ୍ବକର୍ମା ମନ୍ଦିର

 

ଭୁବନେଶ୍ବର: ନିର୍ମାଣ କଥା ଆସିବ ଆଉ ‘ବିଶ୍ବକର୍ମା’ ମନେ ନ ପଡ଼ିବେ, ଏମିତି କ’ଣ ହୋଇପାରେ! ସେ ‘ଦେବଶିଳ୍ପୀ ବିଶ୍ବକର୍ମା’ ହୁଅନ୍ତୁ ଅବା ନିର୍ମାଣ କୂଳ ‘ବିଶ୍ବକର୍ମା ସମ୍ପ୍ରଦାୟ’- ଯେକୌଣସି ନିର୍ମାଣର ପୁରୋଧା ଏମାନେ ହିଁ ସାଜନ୍ତି। ରାଜଧାନୀ ଭାବେ ଭୁବନେଶ୍ବର ନୂଆ ରୂପ ନେଉଥିବା ବେଳେ ସହରର ବିକାଶ ଓ ନିର୍ମାଣ କାର୍ଯ୍ୟ ପାଇଁ ଶହ ଶହ ସଂଖ୍ୟାରେ କାରିଗର, ପ୍ରସ୍ତରଶିଳ୍ପୀ, କାଠମିସ୍ତ୍ରୀ, ଯନ୍ତ୍ରୀ ଓ ସ୍ଥପତି ଏଠାକୁ ଆସିଥିଲେ। ସେମାନେ ମାଷ୍ଟରକ୍ୟାଣ୍ଟିନ୍‌ରୁ ବର୍ତ୍ତମାନର ରାମମନ୍ଦିର ଛକ ଯାଏ ବିଭିନ୍ନ ସ୍ଥାନରେ ବସତି ସ୍ଥାପନ କରି ରହୁଥିଲେ ଏବଂ ସହର ନିର୍ମାଣରେ ଲାଗି ପଡ଼ିଥିଲେ। ନିର୍ମାଣ କାର୍ଯ୍ୟରେ ନିୟୋଜିତ ଏହି ସବୁ କାରିଗର ୧୯୬୦ ମସିହା ଆଡ଼କୁ ନିଜ ଇଷ୍ଟ ଦେବଶିଳ୍ପୀ ବିଶ୍ବକର୍ମାଙ୍କର ଏକ ମନ୍ଦିର ନିର୍ମାଣ ପାଇଁ ଚିନ୍ତା କଲେ। ବର୍ତ୍ତମାନର ରାମମନ୍ଦିର ଛକ ନିକଟସ୍ଥ ଶୁଭମ୍‌ ମାର୍କେଟରେ ଏକ ଚାଳ ଘର ତିଆରି କରି ବିଶ୍ବକର୍ମା ଦେବଙ୍କୁ ସ୍ଥାପନା କରି ପୂଜାର୍ଚ୍ଚନା ଆରମ୍ଭ କଲେ।

ବିଶ୍ବକର୍ମା ସମିତିର ପୂର୍ବତନ ସଭାପତି ଚନ୍ଦ୍ରଶେଖର ମହାରଣା କୁହନ୍ତି, ସହର ବଢ଼ିବା ସହ ରାମମନ୍ଦିର ଛକ ବି ବିକାଶର ସ୍ରୋତରେ ବହିଥିଲା। ଏଣୁ ବାଧ୍ୟ ହୋଇ ବିଶ୍ବକର୍ମା ମନ୍ଦିରକୁ ସ୍ଥାନାନ୍ତର ପାଇଁ ବିଶ୍ବକର୍ମା ସମ୍ପ୍ରଦାୟ ଚିନ୍ତା କରିଥିଲେ। ସେତେବେଳେ ସହର ବାହାରେ ଥିବା ଏକ ଖାଲଖମା ପରିତ୍ୟକ୍ତ ସ୍ଥାନକୁ ଯାଇ ତାହାକୁ ପରିଷ୍କାର କରି ମାଟି ପକାଇ ଏକ ଚାଳ ଘର ନିର୍ମାଣ କରି ପୂର୍ବ ମୂର୍ତ୍ତିକୁ ସ୍ଥାପନ କରିଥିଲେ। ୧୯୭୦ ମସିହା ଜୁଲାଇ ୭ ତାରିଖରେ ଏହା ପ୍ରତିଷ୍ଠା ହୋଇଥିଲା। ଏହାପରେ ମନ୍ଦିରକୁ ବର୍ଦ୍ଧିତ କରିବାକୁ ସେମାନେ ଚିନ୍ତା କରିଥିଲେ। ମନ୍ଦିର ପରିଚାଳନା କମିଟିର ସଭାପତି ଫକୀର ମୋହନ ଓଝା କହିଛନ୍ତି, ୧୯୭୫-୭୬ ମସିହାରେ ‘ବିଶ୍ବକର୍ମା ସମିତି’ର ପଞ୍ଜୀକରଣ ହୋଇଥିଲା। ସମସ୍ତେ କିଛି କିଛି ଅନୁଦାନ ଦେବା ସହ ରାଜଧାନୀର ବ୍ୟବସାୟୀ, ଦୋକାନ, ବଜାରରୁ ବି ଆର୍ଥିକ ଅନୁଦାନ ଆସିଥିଲା ଓ ଧୀରେଧୀରେ ଏହା ଏକ ସୁଦୃଶ୍ୟ ମନ୍ଦିରରେ ପରିଣତ ହୋଇଥିଲା। ୨୦୦୦ ମସିହା ଆଡ଼କୁ ମନ୍ଦିରଟି ପୂର୍ଣ୍ଣାଙ୍ଗ ରୂପ ନେଇଥିଲା। ୨୦୦୨ ମସିହାରେ ଛୋଟ ମୂର୍ତ୍ତି ବଦଳରେ ବିଶ୍ବକର୍ମାଙ୍କର ଏକ ବଡ଼ ମୂର୍ତ୍ତି ମନ୍ଦିରରେ ସ୍ଥାପିତ ହୋଇଥିଲା। ଇନ୍ଦ୍ରମଣି ମହାରଣା ନାମକ ଜଣେ ପ୍ରସ୍ତର ଶିଳ୍ପୀ ବର୍ତ୍ତମାନ ମନ୍ଦିରରେ ବିରାଜମାନ ବିଶ୍ବକର୍ମା ଦେବଙ୍କର ୫ ଫୁଟ ୩ ଇଞ୍ଚର ମୂର୍ତ୍ତି ଗଢ଼ିଥିଲେ। କଳା ମୁଗୁନି ପଥରରେ ସୁନ୍ଦର କାରିଗରୀ ସହ ଏହି ମୂର୍ତ୍ତି ବେଶ୍‌ ଆକର୍ଷଣୀୟ ହୋଇପାରିଛି। ମନ୍ଦିର ପରିସରରେ ବିଶ୍ବକର୍ମା ଦେବଙ୍କ ସହ ମା’ ବିଶେଶ୍ବରୀ, ବିଶ୍ବନାଥ ଦେବ, ପଞ୍ଚମୁଖୀ ହନୁମାନ, ଲକ୍ଷ୍ମୀ, ଗଣେଶ ଓ ସରସ୍ବତୀଙ୍କ ମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଛି। ଏଥିସହ ମନ୍ଦିର ପରିସରରେ ମା’ ଶ୍ୟାମାକାଳୀଙ୍କ ଛୋଟ ମନ୍ଦିରଟିଏ ବି ନିର୍ମିତ ହୋଇଛି।

ତେବେ ମନ୍ଦିର ୧୯୭୬ ମସିହାରେ ନିର୍ମିତ ହୋଇଥିବା ବେଳେ ୧୯୭୮ ମସିହାରେ ମନ୍ଦିର ସନ୍ନିକଟ ଜାଗାରେ କଳିଙ୍ଗ ଷ୍ଟାଡିୟମ୍‌ ନିର୍ମାଣ ଆରମ୍ଭ ହୋଇଥିଲା। ଏଥିସହ ବିଦ୍ୟୁତ୍‌ ମାର୍ଗର ବିକାଶ ଫଳରେ ମନ୍ଦିରଟି ରାଜଧାନୀର ଏକ ପ୍ରମୁଖ ସ୍ଥାନରେ ଅବସ୍ଥ‌ାନ କରିଥିଲା। ମନ୍ଦିରଟି ସରକାରୀ ଜାଗାରେ ନିର୍ମିତ ହୋଇଥିବାରୁ ୨୦୧୮ ମସିହାରେ ବିଶ୍ବକପ୍‌ ହକି ସମୟରେ ଏହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ହୋଇଥିଲା। ଏହା ବିରୋଧରେ ବିଶ୍ବକର୍ମା ସମିତି କୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ଏବେ ହାଇକୋର୍ଟ ଏହି ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଏବେ ମନ୍ଦିର ୩୦୨ ଡିସିମାଲ୍‌ ଜାଗାରେ ଅବସ୍ଥାନ କରୁଥିବା ବେଳେ ସମିତିର ଦଖଲରେ ଥିବା କିଛି ଅଂଶ କଳିଙ୍ଗ ଷ୍ଟାଡିୟମ୍‌ ପଟକୁ ଚାଲିଯାଇଛି। ମନ୍ଦିରରେ ବିଶ୍ବକର୍ମା ସଂକ୍ରାନ୍ତି ବେଶ୍‌ ଧୁମ୍‌ଧାମ୍‌ରେ ପାଳିତ ହେଉଥିବା ବେଳେ ବର୍ଷର ଅବଶିଷ୍ଟ ୧୧ ସଂକ୍ରାନ୍ତି, ଶିବବିବାହ, ଶୀତଳଷଷ୍ଠୀ, ଦୁର୍ଗାପୂଜା, କାଳୀପୂଜା, କାର୍ତ୍ତିକ ପୂର୍ଣ୍ଣିମା, ଗଣେଶ ପୂଜା ଓ ଶିବରାତ୍ରୀ ଭଳି ଉତ୍ସବ ପାଳିତ ହୁଏ। ବିଶ୍ବକର୍ମା ପୂଜା ଦିନ ଶହଶହ ସଂଖ୍ୟାରେ ଗାଡ଼ି ଏଠାରେ ପୂଜା ହୋଇଥାଏ ବୋଲି ସମିତିର ସାଧାରଣ ସମ୍ପାଦକ ଅଜୟ କୁମାର ସୂତାର ଓ କୋଷାଧ୍ୟକ୍ଷ ସତ୍ୟବାଦୀ ମହାରଣା କହିଛନ୍ତି।

 

 

 

 

 

 

ସୌଜନ୍ୟ – ସମ୍ବାଦ

Comments are closed.