Breaking News

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା: ପୁରୁଷବନ୍ଧୁ ଗିରଫ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅନ୍ତର୍ଗତ କାଠିଆପଡ଼ା ଗ୍ରାମର କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପୁରୁଷବନ୍ଧୁ ତେରୋହୀ ଗ୍ରାମର ପ୍ରମୋଦ ବେହେରାଙ୍କୁ ଆଜି ଗ୍ରାମାଞ୍ଚଳ ଥାନା ପୁଲିସ ଗିରଫ କରିଛି।

 ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା: ପୁରୁଷବନ୍ଧୁ ଗିରଫ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅନ୍ତର୍ଗତ କାଠିଆପଡ଼ା ଗ୍ରାମର କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପୁରୁଷବନ୍ଧୁ ତେରୋହୀ ଗ୍ରାମର ପ୍ରମୋଦ ବେହେରାଙ୍କୁ ଆଜି ଗ୍ରାମାଞ୍ଚଳ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ପ୍ରମୋଦର ମୋବାଇଲ୍‌ ଫୋନ୍‌ ଓ ପୀଡ଼ିତାଙ୍କ ମା’ଙ୍କ ମୋବାଇଲ୍‌ ଫୋନ୍‌କୁ ପୁଲିସ ଜବତ କରିଛି। ମୋବାଇଲ୍‌ରେ ଅଶ୍ଳୀଳ ଫଟୋ ଓ ଭିଡିଓ ରହିଛି। ଉକ୍ତ ଫଟୋ ଓ ଭିଡିଓକୁ ପୀଡ଼ିତାଙ୍କ ମା’ଙ୍କ ସମେତ ୫ଜଣଙ୍କ ନିକଟକୁ ଅଭିଯୁକ୍ତ ପଠାଇଥିବା ପୁଲିସ କହିଛି। ଅନ୍ୟପଟେ, ଗିରଫ ସମ୍ପର୍କରେ କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କାଟେରିଆ ସୂଚନା ଦେବା ପରେ ଅଭିଯୁକ୍ତ ପ୍ରମୋଦର ପରିବାର ଓ ଗ୍ରାମବାସୀ ଗ୍ରାମାଞ୍ଚଳ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ପୁଅ ନିର୍ଦ୍ଦୋଷ ବୋଲି ସେମାନେ ଦର୍ଶାଇବା ସହ ଛାଡ଼ିଦେବା ପାଇଁ ଦାବି କରିଥିଲେ। ତେବେ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ମୋବାଇଲ୍‌ରେ ଅଶ୍ଳୀଳ ଫଟୋ, ୫ଜଣଙ୍କ ନିକଟକୁ ଭିଡିଓ ପଠାଇଛି ଅଭିଯୁକ୍ତ

ଛାତ୍ରୀଙ୍କ ମୃତ୍ୟୁକୁ ଇତିମଧ୍ୟରେ ପାଞ୍ଚଦିନ ବିତି ଯାଇଛି। ବର୍ତ୍ତମାନସୁଦ୍ଧା ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିନାହିଁ। ଛାତ ସିଡ଼ି ଉପରେ ପୋଡ଼ିହୋଇ ମୃତ ଅବସ୍ଥାରେ ବସି ରହିଥିବା ଏବଂ ଶରୀରକୁ କେବୁଲ୍‌ ତାର ଯୋଗେ ଗ୍ରିଲ୍‌ରେ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା। ଫଳରେ ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା। ତେବେ ଝିଅ ନିଆଁ ଲଗାଇ ଆତ୍ମହତ୍ୟା କରିଛି ବୋଲି ଗତ ୬ ତାରିଖ ପୀଡ଼ିତାଙ୍କ ବାପା ଅଭିଯୋଗ କରିଥିଲେ। କେନ୍ଦ୍ରାପଡ଼ା ପୁଲିସର ସ୍ବତନ୍ତ୍ର ଟିମ୍‌ ଚେନ୍ନାଇରୁ ଅଭିଯୁକ୍ତକୁ ଉଠାଇ ଆଣି ପଚରାଉଚରା ଚଳାଇଥିଲା। ସେହିପରି ଦୁଇଥର ସାଇଣ୍ଟିଫିକ୍‌ ଟିମ୍‌ ଓ ଫରେନ୍‌ସିକ୍‌ ଟିମ୍‌ ଘଟଣାସ୍ଥଳକୁ ଆସି ତଦନ୍ତ କରିବା ସହ ନମୁନା ସଂଗ୍ରହ କରିଥିଲେ। ଏସ୍‌ପି ଶ୍ରୀ କାଟେରିଆ କ୍ରମାଗତ ତିନିଦିନ ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହ ପହଞ୍ଚି ବିଭିନ୍ନ ଲୋକଙ୍କୁ ପଚରାଉଚରା କରିବା ସହିତ ପଡ଼ୋଶୀଙ୍କ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲେ। ଗତକାଲି ପୀଡ଼ିତାଙ୍କ ବାପା ପୁନର୍ବାର ଥାନାରେ ଏତଲା ଦେଇ ଝିଅର ଅଶ୍ଳୀଳ ଫଟୋ ଉଠାଇ ତାକୁ ବ୍ଲାକ୍‌ମେଲିଂ କରୁଥିବା ଯୁବକ ପାଇଁ ଆତ୍ମହତ୍ୟା କରିଥିବା ଦର୍ଶାଇବା ପରେ ପୁଲିସ ଅଭିଯୁକ୍ତ ପ୍ରମୋଦକୁ ଗିରଫ କରିଥିବା ସୂଚନା ମିଳିଛି। ଅପରପକ୍ଷରେ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ସେମାନେ ପରସ୍ପରକୁ ପ୍ରେମ କରିବା ସହ ବିବାହ କରିବାକୁ ସ୍ଥିର କରିଥିଲେ। ପୀଡ଼ିତାଙ୍କ ବାପା ନିଜେ ହତ୍ୟା କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ।

 

 

 

ସୌଜନ୍ୟ – ସମ୍ବାଦ

Comments are closed.