ନୂଆଦିଲ୍ଲୀ: ଏଫସିଆରଏ୍ (ବିଦେଶୀ ଅନୁଦାନ (ବିନିୟମନ) ସଂଶୋଧନ ବିଲ୍ , ୨୦୨୬କୁ ବିରୋଧ କରି ଆଜି କଂଗ୍ରେସ ନେତୃତ୍ବରେ ବିରୋଧୀ ଦଳ ସାଂସଦମାନେ ସଂସଦ ଭବନ ପରିସରରେ ଆନ୍ଦୋଳନ କରିଛନ୍ତି। ବିରୋଧୀ ସାଂସଦମାନେ ବିଲ୍କୁ ବିରୋଧ କରିବା ସହ ବିଲ୍ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି। ‘ଷ୍ଟପ୍ ଟାର୍ଗେଟିଂ ଏନ୍ଜିଓସ୍ ଆଣ୍ଡ ଇନଷ୍ଟିଚ୍ୟୁସନ୍ସ’ ଲେଖା ଥିବା ବ୍ୟାନର ପ୍ରଦର୍ଶନ କରି ସାଂସଦମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି ଏବଂ ବିଲ୍ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି। ଅନେକ କଂଗ୍ରେସ ସାଂସଦ, ସମାଜବାଦୀ ପାର୍ଟିର ଡିମ୍ପଲ ଯାଦବ ଏବଂ ରାମ ଗୋପାଳ ଯାଦବ, ଆଇୟୁଏମଏଲ୍ର ଇଡି ମହମ୍ମଦ ବଶିର, ଏନ୍ସିପି(ଏସ୍ପି)ର ସୁପ୍ରିୟା ସୁଲେ ଏବଂ ଆରଏସ୍ପିର ଏନ୍କେ ପ୍ରେମଚନ୍ଦ୍ରନ ଆନ୍ଦୋଳନରେ ଭାଗ ନେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଏଫ୍ସିଆରଏ ସଂଶୋଧନ ପାଇଁ ଅଣାଯାଇଥିବା ବିଧେୟକକୁ ପ୍ରଥମେ ମାର୍ଚ୍ଚ ୨୫ ତାରିଖରେ ଲୋକସଭାରେ ଆଗତ କରାଯାଇଥିଲା। ସରକାର ସ୍ପଷ୍ଟ କରିଛନ୍ତି ଯେ ବିଦେଶୀ ପାଣ୍ଠି ଦ୍ବାରା ଲୋକଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କଲେ ଛଡ଼ାଯିବନି। ବିଲ୍ ଆଗତ କରି କେନ୍ଦ୍ର ଗୃହ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ ଯେ ବିଦେଶରୁ ଆସୁଥିବା ପାଣ୍ଠିର ସଠିକ୍ ବିନିଯୋଗ ଏବଂ ଏଥିରେ ସ୍ବଚ୍ଛତା ରଖିବାପାଇଁ ଏହି ବିଲ୍ ଅଣାଯାଇଛି। ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ କିରେଣ ରିଜିଜୁ କହିଥିଲେ ଯେ ଏଫ୍ସିଆରଏ ସଂଶୋଧନ ବିଲ୍ କେବଳ ଜାତୀୟ ସୁରକ୍ଷା ବିରୋଧରେ ବିଦେଶୀ ପାଣ୍ଠିର ଅପବ୍ୟବହାର ବନ୍ଦ କରିବାପାଇଁ ଅଣାଯାଇଛି। ବିଜେପି ମୁଖ୍ୟାଳୟ ବାହାରେ ସାମ୍ବାଦିକମାନଙ୍କୁ ଟିପ୍ପଣୀ ଦେଇ ରିଜିକୁ କଂଗ୍ରେସ ଏବଂ ବାମ ଦଳକୁ ସମାଲୋଚନା କରିଛନ୍ତି। ସେମାନେ ବିଲ୍କୁ ନେଇ ଯେଉଁ ଦାବି କରୁଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ରିଜିଜୁ କହିଛନ୍ତି।
ସୌଜନ୍ୟ ସମ୍ବାଦ

