Hermuz: ହର୍ମୁଜ୍ ଖୋଲିବା ପାଇଁ ବାହାରିନ୍ ପ୍ରସ୍ତାବ ଉପରେ ଭୋଟ୍ ଦେବ ୟୁଏନ୍ଏସ୍ସି
ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜର ସୁରକ୍ଷିତ ପରିବହନ ପାଇଁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି) ବାହାରିନ ଦ୍ୱାରା ପ୍ରାୟୋଜିତ ଏକ ପ୍ରସ୍ତାବ ଉପରେ ଭୋଟ ଦେବାକୁ ଯାଉଛି। ତେବେ ଏହି ପ୍ରସ୍ତାବ ଆକ୍ରମଣାତ୍ମକ ନୁହେଁ, ବରଂ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିରକ୍ଷା ମାଧ୍ୟମରେ ହମୁର୍ଜ ପ୍ରଣାଳୀ ଖୋଲିବା ଉପରେ ଗୁରୁତ୍ବ ଦେଇଛି

ତେହେରାନ୍: ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜର ସୁରକ୍ଷିତ ପରିବହନ ପାଇଁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି) ବାହାରିନ ଦ୍ୱାରା ପ୍ରାୟୋଜିତ ଏକ ପ୍ରସ୍ତାବ ଉପରେ ଭୋଟ ଦେବାକୁ ଯାଉଛି। ତେବେ ଏହି ପ୍ରସ୍ତାବ ଆକ୍ରମଣାତ୍ମକ ନୁହେଁ, ବରଂ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିରକ୍ଷା ମାଧ୍ୟମରେ ହମୁର୍ଜ ପ୍ରଣାଳୀ ଖୋଲିବା ଉପରେ ଗୁରୁତ୍ବ ଦେଇଛି। ଏହି ପ୍ରସ୍ତାବକୁ ୬ଟି ଗଲ୍ଫ ଦେଶ ଓ ଜୋର୍ଡ଼ାନ ସମର୍ଥନ କରିଛନ୍ତି। ବିଶ୍ବର ଏକ ଚତୁର୍ଥାଂଶ ତୈଳ ହର୍ମୁଜ ପ୍ରଣାଳୀ ଦେଇ ପରିବହନ ହେଉଛି। ହର୍ମୁଜ ପ୍ରଣାଳୀ ବନ୍ଦ ଥିବାରୁ ଅନେକ ଦେଶ ଶକ୍ତି ସଙ୍କଟ ଦେଇ ଗତି କରୁଛନ୍ତି। ଆସୋସିଏଟେଡ ପ୍ରେସ୍ ରିପୋର୍ଟ ଅନୁଯାୟୀ ଚୂଡ଼ାନ୍ତ ପ୍ରସ୍ତାବରେ ପୁରୁଣା ପ୍ରସ୍ତାବଗୁଡ଼ିକୁ ରଖାଯାଇନାହିଁ। ପୂର୍ବ ପ୍ରସ୍ତାବରେ ସାମରିକ କାର୍ଯ୍ୟାନୁଷ୍ଠାନ ପରି ସମସ୍ତ ଆବଶ୍ୟକୀୟ ପଦକ୍ଷେପ ରହିଥିଲା।
ସଦ୍ୟ ପ୍ରସ୍ତୁତ ଚୂଡ଼ାନ୍ତ ଡ୍ରାଫ୍ଟରେ ଦେଶଗୁଡ଼ିକୁ ଅତି କମ୍ ଛଅ ମାସ ପାଇଁ ଅନ୍ତର୍ଜାତୀୟ ନୌପରିବହନରେ ହସ୍ତକ୍ଷେପ କରିବାର ପ୍ରୟାସକୁ ରୋକିବା ଏବଂ ହର୍ମୁଜ ପ୍ରଣାଳୀ ଏବଂ ସଂଲଗ୍ନ ଜଳରାଶିରେ ସମସ୍ତ ପ୍ରତିରକ୍ଷା ଉପାୟ ବ୍ୟବହାର କରିବାକୁ ଅନୁମତି ଦେବାକୁ ପ୍ରସ୍ତାବ ରହିଛି। ୧୫ ଜଣିଆ ସୁରକ୍ଷା ପରିଷଦରେ ଆମେରିକା, ବ୍ରିଟେନ, ଚୀନ୍, ଫ୍ରାନ୍ସ ଓ ରୁଷ୍ ପରି ୫ ଜଣ ସ୍ଥାୟୀ ସଦସ୍ୟ ଅଛନ୍ତି। ପାଞ୍ଚ ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ଯେକୌଣସି ସଦସ୍ୟ ନିଜର କିମ୍ବା ଏହାର ସହଯୋଗୀଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିପାରିବେ। ତେବେ ସମ୍ଭାବ୍ୟ ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନକୁ ଅନୁମୋଦନ କରୁଥିବା ପୂର୍ବ ଡ୍ରାଫ୍ଟକୁ ରୁଷ୍ ଏବଂ ଚୀନ୍ ଦୃଢ଼ ବିରୋଧ କରିଥିଲେ।
ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି, ଇରାନରେ ଯାହା ରହିଯାଇଛି ଆମେରିକା ସେନା ବର୍ତ୍ତମାନ ତାକୁ ଧ୍ବଂସ କରିବା ଆରମ୍ଭ କରିନାହାନ୍ତି। ସେତୁ ଓ ତା’ପରେ ବିଦ୍ୟୁତ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ କରାଯିବ। ଇରାନ ରାଜଧାନୀ ତେହେରାନ ଓ କରାଜ୍ ସହରକୁ ଯୋଡ଼ୁ ଥିବା ବିୱାନ ସେତୁକୁୁ ଆମେରିକା ଗୁରୁବାର ଉଡ଼େଇ ଦେବାପରେ ଏହି ଚେତାବନୀ ଜାରି କରିଛି। ବିଦ୍ୟୁତ ଶକ୍ତି କେନ୍ଦ୍ର ପରି ବେସାମରିକ ଭିତ୍ତିଭୂମି ନଷ୍ଟ କରିବା ଆନ୍ତର୍ଜାତିକ ନିୟମର ଉଲ୍ଲଂଘନ ହେବ ବୋଲି ଆମେରିକାରେ ଆଇନ ବିଶେଷଜ୍ଞ ଚେତାଇ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ଇରାନ ନେତୃବର୍ଗଙ୍କୁ କ’ଣ କରିବାର ଅଛି ସେମାନେ ଜାଣନ୍ତି, ସେମାନେ ତାହା ତୁରନ୍ତ କରନ୍ତୁ। ଯୁଦ୍ଧ ଶେଷ କରିବାକୁ ତାଙ୍କର ଦାବି ନମାନିଲେ ଅଧିକ ଭୟଙ୍କର ଆକ୍ରମଣ ହେବ ବୋଲି ଆମେରିକା ରାଷ୍ଟ୍ରପତି ଚେତାବନୀ ଦେଇଛନ୍ତି। ତେବେ ଟ୍ରମ୍ପଙ୍କ ଧମକକୁ ବେଖାତିର କରି ଇରାନ ଆକ୍ରମଣ ଜାରି ରଖିବାକୁ ପଣ କରିଛି।
ସୌଜନ୍ୟ ସମ୍ବାଦ




