ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋମବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତୀବ୍ର ସମାଲୋଚନା କରି ରାଜ୍ୟରେ ମହିଳା ସୁରକ୍ଷା ସୁନିଶ୍ଚିତ କରିବାରେ ଟିଏମ୍ସି ସରକାର ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି
ବୀରଭୂମି: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋମବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତୀବ୍ର ସମାଲୋଚନା କରି ରାଜ୍ୟରେ ମହିଳା ସୁରକ୍ଷା ସୁନିଶ୍ଚିତ କରିବାରେ ଟିଏମ୍ସି ସରକାର ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି। ମୟୂରେଶ୍ୱରର ପାଲି ମଙ୍ଗଳ କ୍ଲବ୍ ଗ୍ରାଉଣ୍ଡରେ ଏକ ସାଧାରଣସଭାକୁ ସମ୍ବୋଧିତ କରି ଶାହ ଆର୍ଜି କର ଦୁଷ୍କର୍ମ ମାମଲା ପରେ ସନ୍ଧ୍ୟା ୭ଟା ପରେ ମହିଳାମାନଙ୍କୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଥିବା ମମତାଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି।
ବିଜେପିକୁ ପଶ୍ଚିମବଙ୍ଗରେ ଟିଏମ୍ସିର ବିକଳ୍ପ ଭାବେ ପ୍ରଦର୍ଶିତ କରି ଶାହ କହିଛନ୍ତି, ବିଜେପିକୁ ସରକାର ଗଢ଼ିବାକୁ ଥରେ ସୁଯୋଗ ଦିଅ, ଆମେ ଏମିତି ବଙ୍ଗ ଗଠନ କରିବୁ ଯେଉଁଠାରେ ରାତି ୧ଟାରେ ବି ଜଣେ ଛୋଟ ଝିଅ ସ୍କୁଟରରେ ବାହାରକୁ ବାହାରି ପାରିବ। ସନ୍ଦେଶଖାଲି, ଆର୍ଜି କର, ଦୁର୍ଗାପୁର ଆଇନ କଳେଜ ପରି ଘଟଣା ଘଟିବ ନାହିଁ। ମମତାଙ୍କ ଉପରେ ଆକ୍ରମଣକୁ ଅଧିକ ଶାଣିତ କରି ଶାହ କହିଥିଲେ, ମମତା ଦିଦି ଏଠାରେ ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟକୁ ଦେଖାଇ ଲୋକଙ୍କୁ ଭୟଭୀତ କରି କହୁଥିଲେ ଯେ, ଯଦି ଟିଏମ୍ସି ନାହିଁ, ତେବେ ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟ ବଞ୍ଚିପାରିବ ନାହିଁ। ସେମାନଙ୍କ ଶାସନ ସମୟରେ ମୁର୍ଶିଦାବାଦରେ ଦଙ୍ଗା ହୋଇଥିଲା, ରାମନବମୀରେ ଆକ୍ରମଣ ହୋଇଥିଲା, ସରସ୍ୱତୀ ପୂଜା ଉପରେ ପ୍ରତିବନ୍ଧକ ଥିଲା ସେତେବେଳେ ସେ କୁଆଡ଼େ ଯାଇଥିଲେ?
ଆଗାମୀ ବିଧାନସଭା ନିର୍ବାଚନ ରାଜ୍ୟରେ ପରିବର୍ତ୍ତନର ମୁହୂର୍ତ୍ତ ସୃଷ୍ଟି କରିବ। ଟିଏମ୍ସି ଗୁଣ୍ଡା ପଶ୍ଚିମବଙ୍ଗର ଲୋକଙ୍କୁ ଆଉ ଧମକାଇ ପାରିବେ ନାହିଁ। ଏପ୍ରିଲ ୨୯ ପରେ ଟିଏମ୍ସି ଗୁଣ୍ଡା ନିଜ ଘରେ ନିଜକୁ ବନ୍ଦ କରି ରହିବେ, ନ ହେଲେ ମେ ୪ ପରେ ସେମାନଙ୍କୁ ଉଠାଇ ନେଇ ଜେଲରେ ଭର୍ତ୍ତି କରାଯିବ। ଅମିତ ଶାହ ଆହୁରି ଅଭିଯୋଗ କରିଥିଲେ ଯେ, ସୀମାରେ ବାଡ଼ ଦେବା ପାଇଁ ଟିଏମ୍ସି ବିଏସ୍ଏଫ୍କୁ ଜମି ଦେଉନାହିଁ। ପଶ୍ଚିମବଙ୍ଗରେ ଆମ ସରକାର ଗଠନ ହେବା ପରେ ୪୫ ଦିନ ମଧ୍ୟରେ ରାଜ୍ୟ ସୀମାରେ ବାଡ଼ ଦେବା ପାଇଁ ଜମି ଦିଆଯିବ। ଆମେ କେବଳ ପଶ୍ଚିମବଙ୍ଗରୁ ନୁହେଁ ବରଂ ସମଗ୍ର ଦେଶରୁ ଅନୁପ୍ରବେଶକାରୀଙ୍କୁ ହଟେଇବୁ। ବିଜେପି କ୍ଷମତାକୁ ଆସିଲେ ପଶ୍ଚିମବଙ୍ଗରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ କରିବ ବୋଲି ମଧ୍ୟ ଶାହ କହିଥିଲେ। ସୂଚନାଯୋଗ୍ୟ, ୨୯୪ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ପାଇଁ ଆସନ୍ତା ଏପ୍ରିଲ ୨୩ ଓ ୨୯ରେ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ ଏବଂ ମେ ୪ରେ ଫଳାଫଳ ଆସିବ।
ସୌଜନ୍ୟ ସମ୍ବାଦ

