ୱାସିଂଟନ: ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆମେରିକାର ସେନା ଇରାନ ବନ୍ଦର ଏବଂ ହର୍ମୁଜ୍ ପ୍ରଣାଳୀର ଅବରୋଧ ଜାରି ରଖିବ। ହର୍ମୁଜ୍ ପ୍ରଣାଳୀ ଖୋଲିବା ଏବଂ ଯୁଦ୍ଧ ସମାପ୍ତ କରିବା ପାଇଁ ଇରାନର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଟ୍ରମ୍ପ ଏହି ବିବୃତି ଦେଇଛନ୍ତି। ହର୍ମୁଜ୍ ପ୍ରଣାଳୀର ଅବରୋଧ ଇରାନ ଉପରେ ଚାପ ପକାଇବା ପାଇଁ ଏକ ଅତ୍ୟନ୍ତ ପ୍ରଭାବଶାଳୀ ପଦକ୍ଷେପ ପ୍ରମାଣିତ ହୋଇଛି, ତେଣୁ ଏହାକୁ ବଜାୟ ରଖାଯିବ। ସେ ସ୍ପଷ୍ଟ କରିଛନ୍ତି, ୱାସିଂଟନ ବର୍ତ୍ତମାନ ଆଲୋଚନା ପାଇଁ କୌଣସି ସ୍ଥିତି ଦେଖୁନାହିଁ। ଟ୍ରମ୍ପ କହିଛନ୍ତି, ଇରାନ ପିଞ୍ଜରାରେ ଭର୍ତ୍ତି ଘୁଷୁରି ପରି ଶ୍ୱାସରୁଦ୍ଧ ଅନୁଭବ କରୁଛି। ସେମାନଙ୍କ ପାଇଁ ପରିସ୍ଥିତି ଆହୁରି ଖରାପ ହେବାକୁ ଯାଉଛି। ଇରାନକୁ ନୌସେନା ଅବରୋଧରେ ରଖାଯିବ ଯେପର୍ଯ୍ୟନ୍ତ ଆମେରିକା ସହିତ ଏକ ଶାନ୍ତି ଚୁକ୍ତି ପାଇଁ ରାଜି ନହୋଇଛି।
ଏହି ସମୟରେ, ଏକ ରିପୋର୍ଟରେ ପ୍ରକାଶ ପାଇଛି, ଆମେରିକା କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ ଏକ ଛୋଟ ଏବଂ ଶକ୍ତିଶାଳୀ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଛି। ଯାହା ଦ୍ବାରା ଇରାନକୁ ଏକ ଶାନ୍ତି ଚୁକ୍ତି ଆଡକୁ ଆଗେଇ ନିଆଯିବ। ଆକ୍ରମଣରେ ଭିତ୍ତିଭୂମିକୁ ଟାର୍ଗେଟ କରିବାର ସମ୍ଭାବନା ଅଛି। ମଙ୍ଗଳବାର ଦିନ, ଟ୍ରମ୍ପ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଥିଲେ ଯେଉଁଥିରେ ସେ ଏକ ବନ୍ଧୁକ ଧରିଥିଲେ ଏବଂ ଲେଖାଥିଲା ‘ନୋ ମୋର୍ ମିଷ୍ଟର ନାଇସ୍ ଗାୟ!’। ବର୍ତ୍ତମାନ ପାଇଁ, ଟ୍ରମ୍ପ ଇରାନକୁ ଏକ ଚୁକ୍ତି ଆଡ଼କୁ ଠେଲିବା ପାଇଁ ଅବରୋଧକୁ ଅଧିକ ପ୍ରଭାବଶାଳୀ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଟ୍ରମ୍ପ କହିଛନ୍ତି। ହରମୁଜ୍ ପ୍ରଣାଳୀର ଅବରୋଧ ସିଧାସଳଖ ସାମରିକ କାର୍ଯ୍ୟାନୁଷ୍ଠାନ ଅପେକ୍ଷା ଅଧିକ ପ୍ରଭାବଶାଳୀ। ଇରାନୀମାନେ ଆମ ସହିତ ଆଲୋଚନା କରିବାକୁ ଚାହୁଁଛନ୍ତି। ସେମାନେ ଅବରୋଧ ସମାପ୍ତ କରିବାକୁ ଚାହୁଁଛନ୍ତି, କିନ୍ତୁ ମୁଁ ତାହା କରିବି ନାହିଁ। ସେ କହିଛନ୍ତି, ଇରାନ ଉପରେ ଚାପ ବଢ଼ୁଛି। ସେମାନେ ଆଲୋଚନା କରିବାକୁ ଅଧିକ ଇଚ୍ଛୁକ ହେଉଛନ୍ତି ଏବଂ ଯଥାଶୀଘ୍ର ଏକ ଚୁକ୍ତି ଚାହାଁନ୍ତି। ଇରାନୀମାନେ ଚାହାଁନ୍ତି ନାହିଁ ଯେ ମୁଁ ଅବରୋଧ ଜାରି ରଖେ। କିନ୍ତୁ ମୁଁ ଅବରୋଧ ଉଠାଇବାକୁ ଚାହୁଁନାହିଁ କାରଣ ମୁଁ ଚାହୁଁନାହିଁ ଯେ ଇରାନ ପରମାଣୁ ଅସ୍ତ୍ର ରଖୁ। ଆମର ସ୍ଥିତି ସ୍ପଷ୍ଟ, ଇରାନ ପରମାଣୁ ଅସ୍ତ୍ର ରଖିପାରିବ ନାହିଁ।
କଡ଼ା ଜବାବ ଦେବାକୁ ଚେତାବନୀ ଦେଲା ଆଇଆର୍ଜିସି
ଇରାନ ଏବଂ ଆମେରିକା ମଧ୍ୟରେ ଅସ୍ତ୍ରବିରତି ଜାରି ରହିଛି, କିନ୍ତୁ ଉଭୟ ପକ୍ଷ ମଧ୍ୟରେ ଅଚଳାବସ୍ଥା ଦୂର ହେବା ପରି ମନେ ହେଉନି। ଇରାନ ସମ୍ପ୍ରତି ଆମେରିକାକୁ ଏକ ପ୍ରସ୍ତାବ ଦେଇଥିଲା, ଯେଉଁଥିରେ ହର୍ମୁଜ୍ ଉପରୁ ଅବରୋଧ ହଟାଇବା ଏବଂ ଯୁଦ୍ଧ ବନ୍ଦ କରିବା ପାଇଁ ଆହ୍ୱାନ କରାଯାଇଥିଲା। ଏହି ପ୍ରସ୍ତାବରେ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଆଲୋଚନା ପାଇଁ କୁହାଯାଇଛି। ତେବେ ଆମେରିକା ପ୍ରଥମେ ପରମାଣୁ କାର୍ଯ୍ୟକ୍ରମ ଉପରେ ଏକ ଚୁକ୍ତି କରିବାକୁ ଜିଦ୍ ଧରିଛି। ଟ୍ରମ୍ପ ପ୍ରଶାସନ ଅନୁସାରେ ଅବରୋଧ ମାଧ୍ୟମରେ ଇରାନର ତୈଳ ରପ୍ତାନିକୁ ଅବରୋଧ କରିବା ଦ୍ୱାରା ତେହେରାନର ସ୍ଥିତି ଦୁର୍ବଳ ହେବ ଏବଂ ଇରାନ ଶାସନକୁ ଆମେରିକାର ସର୍ତ୍ତାବଳୀରେ ଏକ ଚୁକ୍ତି ପାଇଁ ରାଜି ହେବାକୁ ବାଧ୍ୟ କରାଯିବ। ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନର କ୍ଷମତା ଯଥେଷ୍ଟ ଦୁର୍ବଳ ହୋଇଯାଇଛି ଏବଂ ଦେଶର ଶାସନ ଖୁବ୍ ଶୀଘ୍ର ଆମେରିକା ନିକଟରେ ଆତ୍ମସମର୍ପଣ କରିବ।
ଅନ୍ୟପକ୍ଷରେ, ଏକ ଇରାନୀ ସୁରକ୍ଷା ସୂତ୍ର କହିଛି ଯେ, ଆମେରିକାର ନୌସେନା ଅବରୋଧର କଡ଼ା ଜବାବ ଦିଆଯିବ। ଇରାନୀ ସେନା ଆଇଆର୍ଜିସି କୂଟନୀତିକୁ ସୁଯୋଗ ଦେଇ ସଂଯମତା ଦେଖାଇଛି, କିନ୍ତୁ ଅବରୋଧ ଜାରି ରହିଲେ ଏହାର ପାଲଟା ଜବାବ ମିଳିବ ବୋଲି ଚେତାବନୀ ଦେଇଛି।
ସୌଜନ୍ୟ ସମ୍ବାଦ

