Table-Tennis: ବିଶ୍ବ ଟିଟି: ୟୁକ୍ରେନକୁ ହରାଇଲା ଭାରତ

ଲଣ୍ଡନ: ଇଂଲଣ୍ଡର ଲଣ୍ଡନଠାରେ ଚାଲିଥିବା ଆଇଟିଟିଏଫ୍‌ ବିଶ୍ବ ଦଳଗତ ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତାରେ ଭାରତ ରୋମାଞ୍ଚକ ଢଙ୍ଗରେ ୟୁକ୍ରେନ୍‌କୁ ୩-୨ରେ ପରାସ୍ତ କରିଛି। ତା’ ସହିତ ଗ୍ରୁପ୍‌-୬ରେ ନିଜ ସ୍ଥିତିକୁ ପୂର୍ବାପେକ୍ଷା ଆହୁରି ସୁଦୃଢ଼ କରି ନେଇଛି। ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାର ପ୍ରଥମ ମ୍ୟାଚ୍‌ରେ ଅଭିଜ୍ଞ ମନିକା ବାତ୍ରା ପ୍ରତିପକ୍ଷ ତେତୟାନା ବିଲେଙ୍କୋଙ୍କୁ ୧୧-୯, ୭-୧୧, ୧୧-୬, ୧୧-୫ରେ ହରାଇ ଭାରତକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ପରବର୍ତ୍ତୀ ମ୍ୟାଚ୍‌ରେ ୟୁକ୍ରେନ୍‌ର ମାର୍ଗାରିଟା ପେସୋତ୍‌ସ୍କା ଭାରତର ଯଶସ୍ବିନୀ ଘୋରପଡ଼େଙ୍କୁ ହରାଇ ସ୍ଥିତି ୧-୧ କରି ନେଇଥିଲେ। ସେହିଭଳି ଦିୟା ଚିତା‌ଲେ ତୃତୀୟ ମ୍ୟାଚ୍‌ରେ ଭେରୋନିକା ମାତିୟୁନାଙ୍କୁ ହରାଇ ଭାରତକୁ ପୁଣି ଥରେ ୨-୧ରେ ଆଗୁଆ କରି ଦେଇଥିଲେ। ହେଲେ ମନିକା ଦୁର୍ବାଗ୍ୟଜନକ ଚତୁର୍ଥ ମୁକାବିଲାରେ ଭାବେ ମାର୍ଗାରିଟାଙ୍କଠାରୁ ହାରି ଯାଇଥିଲେ। ଏଣୁ ସ୍ଥିତି ୨-୨ରେ ବରାବର ହୋଇଯାଇଥିଲା। ପଞ୍ଚମ ତଥା ନିର୍ଣ୍ଣାୟକ ମୁକାବିଲାରେ ଘୋରପଡ଼େ ଅସୀମ ଧୈର୍ଯ୍ୟ ଓ ଆତ୍ମବିଶ୍ବାସର ପରିଚୟ ଦେଇ ତେତୟାନାଙ୍କୁ ହରାଇବା ସହ ଭାରତକୁ ବିଜୟୀ କରାଇଥିଲେ।

 

 

 

ସୌଜନ୍ୟ ସମ୍ବାଦ