The Kalbaisakhi storm: କାଳବୈଶାଖୀ ନେଲା ଶତାଧିକ ଜୀବନ: ଉତ୍ତରପ୍ରଦେଶରେ ତାଣ୍ଡବ, ୧୧୭ ମୃତ, ଗଙ୍ଗା ନଦୀରେ ଭୁଶୁଡ଼ି ପଡ଼ିଲା ପୋଲ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଗତ ୩୬ ଘଣ୍ଟା ମଧ୍ୟରେ ଘନଘନ ବଜ୍ରପାତ ସାଙ୍ଗକୁ ପ୍ରବଳ ବର୍ଷା ଓ ଝଡ଼ତୋଫାନ ତାଣ୍ଡବ ରଚିଛି। ଏହି ବିପର୍ଯ୍ୟୟରେ ରାଜ୍ୟରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ୧୯ ଜିଲ୍ଲାରେ ବହୁ ଗଛ, ବିଦ୍ୟୁତ୍‌ଖୁଣ୍ଟ ଉପୁଡ଼ି ପଡ଼ିଥିବାବେଳେ ଅନେକ ଘର ଧରାଶାୟୀ ହୋଇଛି। ଏଥିରେ ୧୧୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି।  ପ୍ରୟାଗରାଜରେ ସର୍ବାଧିକ ୨୧ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଭଦୋହିରେ ୧୮, ମିର୍ଜାପୁରରେ ୧୫, ଫତେପୁରରେ ୧୦, ଉନ୍ନାଓ ଏବଂ ବଦାଉଁରେ ୧୨ ଜଣ, ପ୍ରତାପଗଡ଼ ଓ ବରେଲିରେ ୮ ଜଣ, ସୀତାପୁର, ରାଏବରେଲି ଓ ଚନ୍ଦୌଲିରେ ୨ଜଣଙ୍କର ମୃତ୍ୟୁ ହୋଇଛି।

ସେହିପରି କାନପୁର ଦେହତ, ହର୍ଦୋଇ, ସମ୍ଭଲରେ ୨ ଜଣ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ କୌଶମ୍ବି, ଶାହଜାହାନପୁର, ସୋନଭଦ୍ରା ଓ ଲକ୍ଷ୍ମୀପୁରରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ବର୍ଷାପବନ ଯୋଗୁଁ ପ୍ରଥମେ ମୃତ୍ୟୁସଂଖ୍ୟା ୮୯ ଥିବାବେଳେ ପରେ ଏହା ବଢ଼ି ୧୧୭ରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉକ୍ତ ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।

ଉତ୍ତରପ୍ରଦେଶରେ ତାଣ୍ଡବ, ୧୧୭ ମୃତ
୫୦ ଫୁଟ ଉପରକୁ ଉଡ଼ିଗଲେ ବ୍ୟକ୍ତି
ଗଙ୍ଗା ନଦୀରେ ଭୁଶୁଡ଼ି ପଡ଼ିଲା ପୋଲ
ଉଲ୍ଲେଖଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଉତ୍ତରପ୍ରଦେଶରେ ହଠାତ ପାଗରେ ପରିବର୍ତ୍ତନ ହୋଇଥିଲା। ଆକାଶ ଅନ୍ଧାର ହୋଇଯିବା ସହ ପ୍ରବଳ ପବନ ଓ ଧୂଳିଝଡ଼ ହୋଇଥିଲା। ପବନର ବେଗ ବଢ଼ିବାରୁ ଆଖି ପିଛୁଳାକେ ଅନେକ ଘରର ଟିଣ, ଆଜ୍‌ବେଷ୍ଟସ୍‌ ଛାତ ଉଡ଼ିଯାଇଥିଲା। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଓ ହୋର୍ଡିଂ ଭାଙ୍ଗିପଡ଼ିବା ଫଳରେ ଅନେକ ମୃତାହତ ହୋଇଛନ୍ତି। ଗଛ ପଡ଼ି ଅନେକ ରାସ୍ତା ବନ୍ଦ ହୋଇଯାଇଛି। ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ପାଖାପାଖି ୧୩୦ ପ୍ରାଣୀଙ୍କର ମୃତ୍ୟୁ ହୋଇଥିବାବେଳେ ୯୮ରୁ ଅଧିକ ଘର ଭାଙ୍ଗି ଯାଇଛି।

ବରେଲିର ବମିୟାନା ଗ୍ରାମରୁ ଏକ ଭିଡିଓ ଜାରିି ହୋଇଛି, ଯେଉଁଥିରେ ଅତି ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ଭିଡିଓରେ ଦେଖିବାକୁ ମିଳିଛି ‌ଯେ ଏକ ଛୋଟ ଟିଣ ଚାଦର ସହ ଜଣେ ବ୍ୟକ୍ତି ଉଡ଼ିଯାଇ ପ୍ରାୟ ୫୦ ଫୁଟ ଦୂରରେ ପଡ଼ୁଛନ୍ତି। ଭଦୋହିର ରାମପୁରରେ ଅନ୍ୟ ଏକ ଘଟଣାରେ ଏକ ପୋଲ ଭୁଶୁଡ଼ି ପଡ଼ିବା ଫଳରେ କିଛି ଲୋକ ଗଙ୍ଗା ନଦୀକୁ ଖସି ପଡ଼ିଥିଲେ। ବିପର୍ଯ୍ୟୟପ୍ରବଣ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଉତ୍ତରପ୍ରଦେଶ ରିଲିଫ କମିସନର ହୃଷୀକେଶ ଭାସ୍କର କହିଛନ୍ତି।

 

 

 

ସୌଜନ୍ୟ Prameya News7