Rupee Hits All Time Low 96 Against US Dollar: ଡଲାର ତୁଳନାରେ ସର୍ବକାଳୀନ ସ୍ତର ୯୬.୨୦ କୁ ଖସିଲା ଭାରତୀୟ ଟଙ୍କା, ଆଗକୁ ଆହୁରି ବଢ଼ିବ କି ସଙ୍କଟ?

ମୁମ୍ବାଇ/ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଜାରି ରହିଥିବା ଅର୍ଥନୈତିକ ଅସ୍ଥିରତା ଏବଂ କ୍ରମାଗତ ବଢ଼ୁଥିବା ଅଶୋଧିତ ତୈଳ ଦର ଯୋଗୁଁ ଭାରତୀୟ ମୁଦ୍ରା ‘ଟଙ୍କା’କୁ ଲାଗିଛି ଏକ ବଡ଼ ଝଟକା। ସୋସିଆଲ ମିଡିଆ ରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋମବାର (ମେ’ ୧୮) ବଜାର ଖୋଲିବା ମାତ୍ରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ସର୍ବକାଳୀନ ସ୍ତର ୯୬.୨୦ କୁ ଖସି ଯାଇଛି। ଇତିହାସରେ ପ୍ରଥମ ଥର ପାଇଁ ଡଲାର ତୁଳନାରେ ଟଙ୍କା ୯୬ ର ସୀମା ପାର୍ କରିଛି।

୨୦୨୬ ର ସବୁଠାରୁ ଦୁର୍ବଳ ଏସୀୟ ମୁଦ୍ରା

ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୦୨୬ ମସିହାରେ ଏସିଆ ମହାଦେଶ ମଧ୍ୟରେ ଭାରତୀୟ ଟଙ୍କା ସବୁଠାରୁ ଖରାପ ପ୍ରଦର୍ଶନ କରିଥିବା ମୁଦ୍ରା ପାଲଟିଛି। ଚଳିତ ବର୍ଷ ଆରମ୍ଭରୁ ଆମେରିକା ଏବଂ ଇରାନ ମଧ୍ୟରେ ଲାଗିଥିବା ଯୁଦ୍ଧ ପରିସ୍ଥିତି ପରଠାରୁ ଭାରତୀୟ ଟଙ୍କା ଡଲାର ତୁଳନାରେ ୫ ପ୍ରତିଶତରୁ ଅଧିକ ଦୁର୍ବଳ ହୋଇସାରିଛି।

କାହିଁକି କ୍ରମାଗତ ଭାବେ ଖସୁଛି ଟଙ୍କାର ମୂଲ୍ୟ?

୧୧୧ ଡଲାର ପାର୍ କଲା ତେଲ ଦର:ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ଆଭିମୁଖ୍ୟ ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୧୧.୨୦ ଡଲାର ଟପିଯାଇଛି। ଭାରତ ନିଜ ଆବଶ୍ୟକତାର ପ୍ରାୟ ୮୦% ତେଲ ଆମଦାନୀ କରୁଥିବାରୁ, ତେଲ କିଣିବା ପାଇଁ ଭାରତକୁ ଅଧିକ ମାତ୍ରାରେ ଡଲାର ପୈଠ କରିବାକୁ ପଡ଼ୁଛି। ଏହାଦ୍ୱାରା ଦେଶରେ ଡଲାରର ଚାହିଦା ବଢ଼ିବା ସହ ଟଙ୍କା ଦୁର୍ବଳ ହେଉଛି।

ମଜବୁତ ହେଉଛି ଆମେରିକୀୟ ଡଲାର: ବିଶ୍ୱବ୍ୟାପୀ ଚାଲିଥିବା ଯୁଦ୍ଧାବସ୍ଥା ଯୋଗୁଁ ନିବେଶକମାନେ ନିଜର ଟଙ୍କାକୁ ସୁରକ୍ଷିତ ରଖିବା ପାଇଁ ସେୟାର ବଜାରରୁ ଟଙ୍କା କାଢ଼ି ଡଲାରରେ ନିବେଶ କରୁଛନ୍ତି। ବ୍ଲୁମବର୍ଗ ଡଲାର ଇଣ୍ଡେକ୍ସ ଅନୁଯାୟୀ, ଡଲାର ବର୍ତ୍ତମାନ ୯୯.୩୨ ର ସର୍ବୋଚ୍ଚ ସ୍ତରରେ ରହିଛି।

ସ୍ଥିତି ନିୟନ୍ତ୍ରଣ ପାଇଁ ଆରବିଆଇ (RBI) ର ବଡ଼ ପଦକ୍ଷେପ

ଟଙ୍କାର ଏହି ଦ୍ରୁତ ପତନକୁ ରୋକିବା ପାଇଁ ଭାରତ ସରକାର ଏବଂ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) କେତେକ କଡ଼ା ନିୟମ ଲାଗୁ କରିଛନ୍ତି। ବିଦେଶକୁ ଡଲାର ଚାଲିଯିବାକୁ ରୋକିବା ପାଇଁ ସୁନା-ରୂପା ଭଳି ମୂଲ୍ୟବାନ ଧାତୁ ଆମଦାନୀ ଉପରେ କଟକଣା ଲଗାଯାଇଛି। ଏହା ସହିତ, ବଜାରରେ କୃତ୍ରିମ ସଙ୍କଟ ସୃଷ୍ଟି କରୁଥିବା ବ୍ୟବସାୟୀଙ୍କ ଉପରେ ରୋକ୍ ଲଗାଇବା ପାଇଁ ଆରବିଆଇ ବ୍ୟାଙ୍କଗୁଡ଼ିକର ନେଟ୍ ଓପନ୍ ରୁପି ପୋଜିସନ୍ ଉପରେ ୧୦୦ ମିଲିୟନ ଡଲାରର କ୍ୟାପ୍ (ସୀମା) ଧାର୍ଯ୍ୟ କରିଛି।

ଆଗକୁ ଆହୁରି ବଢ଼ିବ କି ସଙ୍କଟ?

ମାର୍କେଟ୍ ବିଶେଷଜ୍ଞ ଅମିତ ପାବାରୀଙ୍କ ଅନୁଯାୟୀ, ଆଗାମୀ ଦିନରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୯୬.୦୦ ରୁ ୯୬.୫୦ ମଧ୍ୟରେ ରହିପାରେ। ତେବେ ‘ବ୍ୟାଙ୍କ ଅଫ୍ ଆମେରିକା ଗ୍ଲୋବାଲ ରିସର୍ଚ୍ଚ’ର ଆକଳନ ଅନୁଯାୟୀ, ଯଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ ନହୁଏ, ତେବେ ୨୦୨୬ ଶେଷ ସୁଦ୍ଧା ଭାରତୀୟ ଟଙ୍କା ଆହୁରି ଦୁର୍ବଳ ହୋଇ ୯୮ ଟଙ୍କା ଛୁଇଁପାରେ।

ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ?

ଟଙ୍କା ଦୁର୍ବଳ ହେବା ଦ୍ୱାରା ଭାରତକୁ ବିଦେଶରୁ ସାମଗ୍ରୀ ଆମଦାନୀ କରିବା ମହଙ୍ଗା ପଡ଼ିବ। ଏହାର ସିଧାସଳଖ ପ୍ରଭାବ ସ୍ଥାନୀୟ ବଜାରରେ ପେଟ୍ରୋଲ, ଡିଜେଲ, ଗ୍ୟାସ ସମେତ ଖାଇବା ତେଲ, ମୋବାଇଲ୍, ଲାପଟପ୍ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ପଡ଼ିବ, ଯାହା ଦେଶରେ ମହଙ୍ଗା ଗାଡ଼ିକୁ ଆହୁରି ବଢ଼ାଇ ଦେବାର ଆଶଙ୍କା ରହିଛି।

 

 

 

ସୌଜନ୍ୟ Prameya News7