Norway’s highest honour: ମୋଦୀଙ୍କୁ ନରୱେର ସର୍ବୋଚ୍ଚ ସମ୍ମାନ: ୪୩ ବର୍ଷ ପରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱିଡେନ ଗସ୍ତ ଶେଷ କରିବା ପରେ ୩ୟ ଭାରତ-ନର୍ଡିକ୍ ଶିଖର ସମ୍ମିଳନୀରେ ଯୋଗଦେବା ଓ ଦ୍ୱିପାକ୍ଷିକ ଆଲୋଚନା ପାଇଁ ସୋମବାର ନରୱେର ଓସ୍‌ଲୋରେ ପହଞ୍ଚିଛନ୍ତି। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ନରୱେ ଗସ୍ତ ଏବଂ ୪୩ ବର୍ଷ ପରେ ଭାରତରୁ ଜଣେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗହର ଷ୍ଟୋରଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକ୍ରମ ହୋଇଛି। ଏହାକୁ ନର୍ଡିକ ଦେଶଗୁଡ଼ିକ ସହିତ ଭାରତର ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଦେଖାଯାଉଛି। ନରୱେରେ ପହଞ୍ଚିବା ପରେ ମୋଦୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କର ଏହି ଗସ୍ତ କାର୍ଯ୍ୟକ୍ରମ ଆହୁରି ଆଗରୁ ହେବାର ଥିଲା। କିନ୍ତୁ ପହଲଗାମ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଏହା ବିଳମ୍ବିତ ହୋଇଛି। ଆତଙ୍କବାଦ ବିରୋଧରେ ଭାରତ ସହ ଛିଡ଼ା ହୋଇଥିବାରୁ ଏବଂ ପ୍ରକୃତ ବନ୍ଧୁତା ଦେଖାଇଥିବାରୁ ନରୱେ ସରକାରଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଓସ୍‌ଲୋରେ ନରୱେର ସର୍ବୋଚ୍ଚ ସମ୍ମାନ ଗ୍ରାଣ୍ଡ କ୍ରସ୍‌ ଅଫ୍‌ ଦି ରୟାଲ୍‌ ନରୱେ ଅର୍ଡର୍‌ ଅଫ୍‌ ମେରିଟ୍‌ ପ୍ରଦାନ କରାଯାଇଥିଲା। ଏହା ସହିତ ଭାରତର ପ୍ରଧାନମନ୍ତ୍ରୀ ବର୍ତ୍ତମାନ ବିଶ୍ୱର ବିଭିନ୍ନ ଦେଶରୁ ତାଙ୍କର ୩୨ତମ ଅନ୍ତର୍ଜାତୀୟ ସମ୍ମାନ ପାଇଛନ୍ତି।

ଆତଙ୍କବାଦ ବିରୋଧରେ ଭାରତ ସହ ଛିଡ଼ା ହୋଇଥିବାରୁ ଓସ୍‌ଲୋକୁ ପ୍ରଶଂସା

ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗହର ଷ୍ଟୋରଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଦିଆଯାଇଥିବା ଭବ୍ୟ ସ୍ୱାଗତ ପାଇଁ କୃତଜ୍ଞତା ଜଣାଇବା ସହ ଆସନ୍ତାକାଲି ଦେଶର ସମ୍ବିଧାନ ଦିବସ ଉତ୍ସବରେ ନରୱେର ଲୋକଙ୍କୁ ଅଭିନନ୍ଦନ ଜଣାଇବାକୁ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ଓ ନରୱେ ସେମାନଙ୍କ ସମ୍ପର୍କକୁ ଏକ ‘ସବୁଜ ରଣନୈତିକ ଭାଗୀଦାରି’ ଆଡକୁ ନେଉଛନ୍ତି, ଯାହାର ଉଦ୍ଦେଶ୍ୟ ଭବିଷ୍ୟତ-କେନ୍ଦ୍ରିତ ପ୍ରମୁଖ କ୍ଷେତ୍ରରେ ସହଯୋଗକୁ ବିସ୍ତାର କରିବା।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ସ୍ୱଚ୍ଛ ଶକ୍ତିଠାରୁ ଆରମ୍ଭ କରି ଜଳବାୟୁ ସହନଶୀଳତା ଏବଂ ନୀଳ ଅର୍ଥନୀତିଠାରୁ ଆରମ୍ଭ କରି ସବୁଜ ଜାହାଜ ଚଳାଚଳ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଏହି ଭାଗୀଦାରି ଭାରତର ବ୍ୟାପକତା, ଗତି ଓ ପ୍ରତିଭା ସହ ନରୱେର ଜ୍ଞାନକୌଶଳ ଓ ପୁଞ୍ଜିର ମିଶ୍ରଣରେ ଗଢି ଉଠୁଛି। ଭାରତର ମେରୁ ଗବେଷଣା କେନ୍ଦ୍ର ‘ହିମାଦ୍ରି’ର କାର୍ଯ୍ୟକୁ ସମର୍ଥନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ନରୱେକୁ କୃତଜ୍ଞତା ଜଣାଇବା ସହ ଏହାକୁ ଦୁଇ ଦେଶ ମଧ୍ୟରେ ବୈଜ୍ଞାନିକ ସହଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ବୋଲି କହିଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଓ ନରୱେ ମହାକାଶ ଏଜେନ୍ସି ମଧ୍ୟରେ ଏକ ନୂତନ ଚୁକ୍ତିନାମା ଉପରେ ଆଲୋକପାତ କରି ସେ କହିଛନ୍ତି ଯେ, ଏହା ମହାକାଶ କ୍ଷେତ୍ରରେ ସହଯୋଗର ନୂତନ ରାସ୍ତା ଖୋଲିବ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ନୂତନ ଦିଗ ଦେବ।

 

 

 

ସୌଜନ୍ୟ ସମ୍ବାଦ