ଭୁବନ ୨୨।୫: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସନ୍ତୁଳି ହେଉଛନ୍ତି ଓଡ଼ିଶାବାସୀ । ତାପମାତ୍ର ଏତେ ଯେ ସକାଳୁ ଘରୁ ବାହାରିବା ମୁସକିଲ ହୋଇପଡ଼ୁଛି । ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି ଅସହ୍ୟ ହେଉଛି । ଏଭଳି ସ୍ଥିତିରେ ଅଂଶୁଘାତ ହେଉଥିବା ମଧ୍ୟ ନଜରକୁ ଆସୁଛି । ତେବେ ଅଂଶୁଘାତରେ ଜଣେ ଆରଆଇଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଆରଆଇ ଜଣଙ୍କ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ତହସିଲର କାର୍ଯ୍ୟରତ ଚୈତନ୍ୟ ଦେହୁରୀ ବୋଲି ଜଣାପଡିଛି ।
ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ପାଲା ମଣ୍ଡପ ନିକଟରେ ଏକ ଭଡା ଘରେ ସ୍ତ୍ରୀ ଓ ୭ ବର୍ଷର ଝିଅ ସହିତ ରହୁଥିଲେ ଚୈତନ୍ୟ ଦେହୁରୀ । ଗୁରୁବାର ସକାଳେ ସେ ଶ୍ବଶୁର ଘର କାମାକ୍ଷାନଗର ଯାଇ ଅସୁସ୍ଥ ହୋଇପଡିଥିଲେ । ଅସୁସ୍ଥ ଅନୁଭବ କରିବାରୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାରେ ଉପଶମ ହେବାରୁ ସେ ଭୁବନ ଫେରିଆସିଥିଲେ । କିନ୍ତୁ ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ଦେହ ଖରାପ ହେବାରୁ ତାଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଭୁବନ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଭୁବନ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି । ତେବେ ଅଂଶୁଘାତରୁ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ସୌଜନ୍ୟ Prameya News7

