ତେହେରାନ:: ମଧ୍ୟପ୍ରାଚ୍ୟରୁ ଏକ ବଡ଼ ଖବର ଆସିଛି। ଆମେରିକା ସହିତ ଯୁଦ୍ଧର ବଢୁଥିବା ଆଶଙ୍କା ମଧ୍ୟରେ, ଇରାନ ହଠାତ୍ ନିଜର ପଶ୍ଚିମ ଆକାଶ ସୀମାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ଇରାନର ଏହି ହଠାତ୍ ନିଷ୍ପତ୍ତି ସାରା ବିଶ୍ୱକୁ ଆଚମ୍ବିତ କରିଛି, ଏବଂ ଏହି ଅଞ୍ଚଳରେ ଯେକୌଣସି ସମୟରେ ଏକ ବଡ଼ ସାମରିକ ଆକ୍ରମଣ ହୋଇପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏହି ଉତ୍ତେଜନା ୱାସିଂଟନ ଉପରେ ମଧ୍ୟ ସିଧାସଳଖ ପ୍ରଭାବ ପକାଉଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇତିମଧ୍ୟରେ ସମସ୍ତ ସରକାରୀ ଯାତ୍ରା ଏବଂ କାର୍ଯ୍ୟ ବାତିଲ କରିଛନ୍ତି। ଏପରିକି ସେ ତାଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିଅରଙ୍କ ବିବାହରେ ଯୋଗ ଦେବା ପରିବର୍ତ୍ତେ ଜରୁରୀକାଳୀନ ପରିସ୍ଥିତିକୁ ସମ୍ଭାଳିବା ପାଇଁ ହ୍ୱାଇଟ୍ ହାଉସକୁ ଫେରି ଆସିଛନ୍ତି।
ଇରାନର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଏନେଇ ମେ’ ୨୫ ପର୍ଯ୍ୟନ୍ତ ନୋଟାମ୍ ଜାରି କରିଛନ୍ତି। ସମ୍ବେଦନଶୀଳ ଅଞ୍ଚଳର ଆଠଟି ପ୍ରମୁଖ ବିମାନବନ୍ଦର ଏବେ କେବଳ ଦିବାଲୋକରେ କାର୍ଯ୍ୟ କରିବ। ଏହା ବ୍ୟତୀତ, ପୂର୍ବରୁ ଅନୁମୋଦିତ ସମସ୍ତ ଉଡ଼ାଣ ଅନୁମତିକୁ ତୁରନ୍ତ ବାତିଲ କରାଯାଇଛି। ଇରାନ ଆକାଶପଥକୁ ବନ୍ଦ କରିବାର କୌଣସି ସରକାରୀ କିମ୍ବା ଠୋସ୍ କାରଣ ଦେଇନାହିଁ, କିନ୍ତୁ ପ୍ରତିରକ୍ଷା ବିଶେଷଜ୍ଞମାନଙ୍କ ଅନୁସାରେ ଏହା ଏକ ବଡ଼ ଆକ୍ରମଣ କିମ୍ବା ଗୁପ୍ତ ସାମରିକ ଅଭ୍ୟାସ ପାଇଁ ସୁରକ୍ଷା ପ୍ରସ୍ତୁତିର ଏକ ଅଂଶ ହୋଇପାରେ। ଫ୍ଲାଇଟ୍ ଟ୍ରାକିଂ ତଥ୍ୟ ଏବଂ ସ୍ଥାନୀୟ ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଇରାନର ମେହରାବାଦ ବିମାନବନ୍ଦରରେ ସନ୍ଦେହଜନକ ଲଢୁଆ ବିମାନ ଏବଂ ବାୟୁସେନା କାର୍ଯ୍ୟକଳାପ ରେକର୍ଡ କରାଯାଇଛି। ତେହେରାନର ଆକାଶ ଉପରେ ଲଢୁଆ ବିମାନଗୁଡ଼ିକ ନିରନ୍ତର ଉଡୁଛନ୍ତି। ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ହୋଇଥିବା ସମ୍ପ୍ରତି ଆକ୍ରମଣ ଯୋଗୁଁ ଏହି ଉତ୍ତେଜନା ସୃଷ୍ଟି ହୋଇଛି। ଫଳରେ ଅସ୍ଥାୟୀ ଅସ୍ତ୍ରବିରତି ସଙ୍କଟରେ ପଡ଼ିଛି। ୟୁରୋପୀୟ ବିମାନ ଚଳାଚଳ କର୍ତ୍ତୃପକ୍ଷ ସମସ୍ତ ବାଣିଜ୍ୟିକ ବିମାନ କମ୍ପାନିଗୁଡ଼ିକୁ ଏହି ଅଞ୍ଚଳରୁ ଦୂରେଇ ରହିବା ପାଇଁ ଏକ ସତର୍କ ସୂଚନା ଜାରି କରାଯାଇଛି।
ଇରାନର ଏହି ପଦକ୍ଷେପ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ କରିଛି। ବାଣିଜ୍ୟିକ ବିମାନ କମ୍ପାନିଗୁଡ଼ିକ ଏବେ ଇରାନ ଏବଂ ଏହାର ପଡ଼ୋଶୀ ଦେଶ ଇରାକର ଆକାଶପଥକୁ ସମ୍ପୂର୍ଣ୍ଣ ଭାବରେ ଏଡ଼ାଉଛନ୍ତି। ଫଳରେ ଦୁବାଇ, ଆବୁଧାବି ଏବଂ ଭାରତକୁ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଦୁବାଇ ଏବଂ ଆବୁଧାବି ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏମିରେଟ୍ସ ଏୟାରଲାଇନ୍ସ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିଛି। ଯାତ୍ରୀମାନଙ୍କୁ ଉଡ଼ାଣ ସମୟର ଅତି କମରେ ୩ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚିବାକୁ ଏବଂ ୬୦ ମିନିଟ୍ ପୂର୍ବରୁ ବୋର୍ଡିଂ ଗେଟରେ ରିପୋର୍ଟ କରିବାକୁ କୁହାଯାଇଛି। ବିମାନବନ୍ଦର ପରିସରରେ ପ୍ରବଳ ଟ୍ରାଫିକ ଜାମ୍ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି, ଯାତ୍ରୀମାନଙ୍କୁ ସଡ଼କ ପରିବହନ ପରିବର୍ତ୍ତେ ଦୁବାଇ ମେଟ୍ରୋ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ମେ’ ୩୧ ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ବୁକିଂ କରିଥିବା ଯାତ୍ରୀମାନେ ସେମାନଙ୍କର ବିମାନ ଯାତ୍ରା ପୁନଃନିର୍ଦ୍ଧାରିତ କରିପାରିବେ କିମ୍ବା ଜୁନ୍ ୧୫ ପର୍ଯ୍ୟନ୍ତ ଟଙ୍କା ଫେରସ୍ତ ଦାବି କରିପାରିବେ ବୋଲି ଅପରେଟରଙ୍କ ପକ୍ଷରୁ କୁହାଯାଇଛି।
ଅସ୍ଥାୟୀ ଅସ୍ତ୍ରବିରତି ସଙ୍କଟରେ ପଡ଼ିଛି
ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ୨୩ ମେ’ରେ ପଶ୍ଚିମ ଏସିଆ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ସେମାନଙ୍କର ନିର୍ଦ୍ଧାରିତ ଏବଂ ଅଣ-ସୂଚୀବଦ୍ଧ ବିମାନ ଉଡ଼ାଣ ଜାରି ରଖିବେ। ତଥାପି, ଏହି ଉଡ଼ାଣଗୁଡ଼ିକ ସ୍ଥାନୀୟ ନିୟାମକ କର୍ତ୍ତୃପକ୍ଷଙ୍କ ଅନୁମୋଦନ ଏବଂ ସ୍ଲଟ୍ ଉପଲବ୍ଧତା ଉପରେ ନିର୍ଭର କରିବ। ଇରାନର ଠିକ୍ ପାଖରେ ଅବସ୍ଥିତ ଇରାକର ଆକାଶପଥ ମଧ୍ୟ ଏହି ସମୟରେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। କାରଣ କୌଣସି ବିମାନ କମ୍ପାନି ଏହି ଯୁଦ୍ଧଗ୍ରସ୍ତ ରେଡ୍ ଜୋନ୍ରେ ନିଜର ଉପସ୍ଥିତିକୁ ବିପଦରେ ପକାଇବାକୁ ଚାହୁଁନାହାନ୍ତି। ବିଶ୍ୱ ତୈଳ ଏବଂ ଗ୍ୟାସ୍ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବା ସହିତ ଆକାଶପଥର ଏହି ହଠାତ୍ ବନ୍ଦ ହେବା ସୂଚାଇ ଦେଉଛି ଯେ, କିଛି ବଡ଼ ଧରଣର ଘଟଣା ଘଟିବା ନେଇ ଯୋଜନା କରାଯାଉଛି।
ସୌଜନ୍ୟ ସମ୍ବାଦ

