ରାଜ୍ୟ

CM’s Khurda industrial visit ଶିଳ୍ପ ସଂସ୍ଥା ବୁଲିଲେ, ଶିଳ୍ପାୟନରେ ସହଯୋଗର ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଖୋର୍ଦ୍ଧା ଜିଲ୍ଲାର ଦୁଇଟି ପ୍ରମୁଖ ଶିଳ୍ପ ସଂସ୍ଥା ପରିଦର୍ଶନ କରିଛନ୍ତି। ଏହି ଅବସରରେ ପୁଣିଥରେ ରାଜ୍ୟରେ ଶିଳ୍ପାୟନରେ ସରକାରଙ୍କ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ପ୍ରଥମେ କାଳୀବେଟି ସ୍ଥିତ ଏପିକ ଗ୍ରୁପ୍‌ର ଅତ୍ୟାଧୁନିକ ବସ୍ତ୍ର ଉତ୍ପାଦନ କାରଖାନା ‘ଟ୍ରାଇମେଟ୍ରୋ ଗାର୍ମେଣ୍ଟସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ’ ଯାଇଥିଲେ। ପରେ ମୁଣ୍ଡାଆମ୍ବ ସ୍ଥିତ ପ୍ରତିରକ୍ଷା ଓ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଅଗ୍ରଣୀ ସଂସ୍ଥା ‘ଆନାଡ୍ରୋନ୍ ସିଷ୍ଟମ୍ସ’ ପରିସର ପରିଦର୍ଶନ କରିଥିଲେ।  ଉଭୟ କାରଖାନାର କର୍ମଚାରୀମାନଙ୍କ ସହ ଅତି ନିବିଡ଼ ଭାବେ ଆଲୋଚନା କରି ସେମାନଙ୍କର କାର୍ଯ୍ୟ ପ୍ରଣାଳୀ ଓ କାର୍ଯ୍ୟ ପରିବେଶ ସମ୍ପର୍କରେ ପଚାରି ବୁଝିଥିଲେ।

କର୍ମଚାରୀ ମାନଙ୍କ ସହ କଥା ହୋଇ ମୁଖ୍ୟମନ୍ତ୍ରୀ ଶିଳ୍ପାଞ୍ଚଳରେ ଶ୍ରମିକ ତଥା କର୍ମଚାରୀ ମାନଙ୍କ ପାଇଁ ଆନୁଷଙ୍ଗିକ ସୁବିଧା ସୁଯୋଗର ବିକାଶ ଉପରେ ସବିଶେଷ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକର ପରିଚାଳନା କର୍ତ୍ତୃପକ୍ଷଙ୍କୁ ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେବା ସହ ସ୍ଥାନୀୟ ନିଯୁକ୍ତିକୁ ସର୍ବାଧିକ ଅଗ୍ରାଧିକାର ଦେବାକୁ ପରାମର୍ଶ ଦେଇଥିଲେ । ବିଶେଷ କରି କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ। କର୍ମଚାରୀଙ୍କ ରହିବା ନିମନ୍ତେ ଅତ୍ୟାଧୁନିକ ହଷ୍ଟେଲ ନିର୍ମାଣ କରାଯିବା ସହ ସେମାନଙ୍କ ଦୈନନ୍ଦିନ ଯାତାୟାତକୁ ସହଜ, ସୁରକ୍ଷିତ ଓ ପରିବେଶ ଅନୁକୂଳ କରିବା ପାଇଁ ଇଭି  ବସ୍ ସେବା ପ୍ରଦାନ କରାଯିବ।

ଆଗାମୀ ଦିନରେ ଏହି ଅଞ୍ଚଳରେ ଏଭଳି ଆହୁରି ଅନେକ ନୂତନ ଶିଳ୍ପ ୟୁନିଟ୍ ପ୍ରତିଷ୍ଠା କରାଯିବ, ଯାହା ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ନୂତନ ନିଯୁକ୍ତିର ଦ୍ୱାର ଉନ୍ମୁକ୍ତ କରିବ ଏବଂ ସ୍ଥାନୀୟ ଅର୍ଥନୀତିକୁ ଅଧିକ କ୍ରିୟାଶୀଳ କରିବ। ଏହି ବୃହତ ଶିଳ୍ପଗୁଡ଼ିକୁ ଆଧାର କରି ଏଠାରେ ଏକାଧିକ ଆନୁଷଙ୍ଗିକ ଶିଳ୍ପ ମଧ୍ୟ ଗଢ଼ିଉଠିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ସୂଚନା ଯୋଗ୍ୟ ଯେ ଟ୍ରାଇମେଟ୍ରୋ ଗାର୍ମେଣ୍ଟସ୍ ହେଉଛି ବିଶ୍ୱସ୍ତରୀୟ ବସ୍ତ୍ର ଉତ୍ପାଦନ ସଂସ୍ଥା ଇପିକ୍‌ ଗ୍ରୁପ୍‌ର ଏକ କମ୍ପାନୀ ଏବଂ ପ୍ରଥମ ଥର ପାଇଁ ଭାରତରେ ତାର ଉତ୍ପାଦନ ଆରମ୍ଭ କରିଛି। ସେହିଭଳି, ଆନାଡ୍ରୋନ୍‌ ସିଷ୍ଟମ୍‌ସ ପ୍ରା ଲିଃ ରେ ପ୍ରସ୍ତୁତ ଅପରେସନ୍ ’ସିନ୍ଦୂର’ରେ ଡ୍ରୋନ୍ ଯାନ୍ତ୍ରିକ ସରଞ୍ଜାମର ସଫଳ ବ୍ୟବହାର ହୋଇଥିଲା।

ଏହି ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

 

 

 

 

ସୌଜନ୍ୟ ସମ୍ବାଦ

Show More
Back to top button