ନାଗପୁର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର, ଭାରତ ଏବଂ ପାକିସ୍ତାନ ବିଭାଜନ ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ୧୯୪୭ ମସିହାରେ ଯଦି ସଂଘ ଅଧିକ ଶକ୍ତିଶାଳୀ ହୋଇଥାନ୍ତା ତେବେ ଭାରତର ବିଭାଜନ ହୋଇନଥାନ୍ତା। ସେ ଦେଶ ବିଭାଜନକୁ ଭାରତର ଇତିହାସର ସବୁଠାରୁ ଯନ୍ତ୍ରଣାଦାୟକ ଘଟଣାମାନଙ୍କ ମଧ୍ୟରୁ ଗୋଟିଏ ବୋଲି ବର୍ଣ୍ଣନା କରିଛନ୍ତି।
ଆରଏସଏସ କାହାକୁ ଘୃଣା କରେ ନାହିଁ
ଏକ ଅନୌପଚାରିକ ଆଲୋଚନାରେ ଆମ୍ବେକର କହିଥିଲେ ଯେ, ସ୍ୱାଧୀନତା ସମୟରେ ଆରଏସଏସ ଆଜି ପରି ସଂଗଠିତ ଓ ଶକ୍ତିଶାଳୀ ନଥିଲା। ତଥାପି ସେହି କଠିନ ପରିସ୍ଥିତିରେ, ସଂଘ ହିନ୍ଦୁ ସମାଜର ସୁରକ୍ଷା ଓ ପୁନର୍ବାସ ପାଇଁ ବିଭିନ୍ନ ପ୍ରୟାସ କରିଥିଲା।ସେ କହିଥିଲେ ଯେ, ଧର୍ମ ଆଧାରରେ ହୋଇଥିବା ଦେଶ ବିଭାଜନ ଲୋକମାନଙ୍କ ମନରେ ଗଭୀର ଯନ୍ତ୍ରଣା ଓ କ୍ରୋଧ ସୃଷ୍ଟି କରିଥିଲା। ବିଭାଜନ ପରେ ଲକ୍ଷାଧିକ ଲୋକ ବିସ୍ଥାପିତ ହୋଇଥିଲେ ଏବଂ ସାମାଜିକ ଅସ୍ଥିରତା ସୃଷ୍ଟି ହୋଇଥିଲା। ଆରଏସଏସ ବିଷୟରେ ପ୍ରଚାରିତ ମିଥ୍ୟା ସୂଚନା ପ୍ରସଙ୍ଗରେ ଆମ୍ବେକର କହିଥିଲେ ଯେ, ରାଜନୈତିକ ସ୍ୱାର୍ଥ ପାଇଁ ସଂଘ ବିରୋଧରେ ଅନେକ ଭ୍ରାନ୍ତ ଧାରଣା ପ୍ରଚାର କରାଯାଉଛି। ସେ ଦାବି କରିଥିଲେ ଯେ ଆରଏସଏସ କାହାକୁ ଘୃଣା କରେ ନାହିଁ ଏବଂ ସମାଜର ସମସ୍ତ ବର୍ଗ ସହ ଆଲୋଚନା ଓ ସମ୍ପର୍କ ରଖିବାରେ ବିଶ୍ୱାସ କରେ। ବିଜେପିର ଆଦର୍ଶ ସଂଗଠନ ଆରଏସଏସ, ବର୍ତ୍ତମାନ ଡକ୍ଟର ମୋହନ ଭାଗବତଙ୍କ ନେତୃତ୍ୱରେ ପରିଚାଳିତ ହେଉଛି ।
ସୌଜନ୍ୟ ସମ୍ବାଦ

