ଭୁବନେଶ୍ୱର:କଳାହାଣ୍ଡି ଜିଲ୍ଲାର ଗୌଡ଼ କର୍ଲାଖୁଣ୍ଟା ଗାଁରେ ନିର୍ମାଣାଧୀନ ସେପ୍ଟିକ୍ ଟ୍ୟାଙ୍କରେ ବିଷାକ୍ତ ଗ୍ୟାସ୍ ଯୋଗୁଁ ୬ ଜଣଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ସ୍ୱତଃସଂଜ୍ଞାନ ନେଇଛନ୍ତି।
ଘଟଣାକୁ ଗୁରୁତର ମାନବାଧିକାର ଉଲ୍ଲଂଘନ ଭାବେ ଦେଖି କମିଶନ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବ ଓ କଳାହାଣ୍ଡି ପୁଲିସ ଅଧୀକ୍ଷକଙ୍କୁ ନୋଟିସ ଜାରି କରିଛନ୍ତି।
କମିଶନ ଦୁଇ ସପ୍ତାହ ମଧ୍ୟରେ ଏକ ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟରେ ଘଟଣାର ତଦନ୍ତ ସ୍ଥିତି, ଆହତ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ଏବଂ ପୀଡ଼ିତ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ ସମ୍ପର୍କିତ ସୂଚନା ଦେବାକୁ କୁହାଯାଇଛି।
ସୂଚନାନୁସାରେ, ଗତ ୨୬ ମେ ତାରିଖରେ ଏକ ନିର୍ମାଣାଧୀନ ସେପ୍ଟିକ୍ ଟ୍ୟାଙ୍କରେ କାମ କରୁଥିବା ବେଳେ ଜଣେ ରାଜମିସ୍ତ୍ରୀ ଅସାବଧାନତାବଶତଃ ଟ୍ୟାଙ୍କ ଭିତରକୁ ପଡ଼ିଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଘରମାଲିକ, ତାଙ୍କ ପୁଅ ଓ ଅନ୍ୟ ଶ୍ରମିକମାନେ ଟ୍ୟାଙ୍କ ଭିତରକୁ ଯାଇଥିଲେ। କିନ୍ତୁ ଟ୍ୟାଙ୍କ ଭିତରେ ଥିବା ବିଷାକ୍ତ ଗ୍ୟାସ୍ ଯୋଗୁଁ ସେମାନେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ। ଏହି ଅଘଟଣାରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି।
ସୌଜନ୍ୟ ସମ୍ବାଦ

