ରାଜ୍ୟ

raurkela-kalabaishakhi କାଳବୈଶାଖୀ କ୍ଷୟକ୍ଷତି ରିପୋର୍ଟ: ମାଟିରେ ମିଶିଲା-ଭାଙ୍ଗିଲା ୨୦୩ ଘର

ରାଉରକେଲା: ମଇ ୨୫ ତାରିଖର କାଳବୈଶାଖୀର ତାଣ୍ଡବରୁ ମୁକୁଳିପାରିନି ଇସ୍ପାତ ସହର। ଅବଶ୍ୟ, ବହୁମାତ୍ରାରେ ସମସ୍ୟାର ସୁଧାର ଆସିଛି; କିନ୍ତୁ ଆଜି ପଞ୍ଚମ ଦିନରେ ମଧ୍ୟ କେତେକ ସ୍ଥାନୀୟ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସେବା ନିୟମିତ ହୋଇପାରିନି। ଅପରପକ୍ଷରେ, କ୍ଷତିପୂରଣ ଓ ତତ୍କାଳ ସହାୟତା ପ୍ରଦାନରେ ପ୍ରଭାବିତଙ୍କୁ ଶତ ପ୍ରତିଶତ ନ୍ୟାୟ ମିଳିପାରିନଥିବା ଅଭିଯୋଗ ହେଉଛି।

ସରକାରୀ ତଥ୍ୟ ଅନୁଯାୟୀ, ଏହି ଝଡ଼ବାତ୍ୟା ଯୋଗୁ ସହରରେ ୨୦୩ଟି ଘର କ୍ଷୟକ୍ଷତି ହୋଇଛି। ଏଥିମଧ୍ୟରୁ ୩୦ ଘର ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯାଇଥିବାବେଳେ ୧୭୩ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଏ ସମସ୍ତ ଘର ରାଉରକେଲା ଇସ୍ପାତ କାରଖାନା ଓ ରେଳବାଇ ଜମିରେ ଗଢ଼ିଉଠିଛି। ତେବେ ସର୍ବାଧିକ କ୍ଷୟକ୍ଷତି ସେକ୍ଟର-୨ ଖରିଆବାହାଲ ବସ୍ତିରେ ହୋଇଥିବା ଜଣାପଡ଼ିଛି।

କାଳବୈଶାଖୀରେ ୩ ଜଣ ବ୍ୟକ୍ତି ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏଥିମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଜଣେ ଆହତ ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପ୍ରଭାବିତ ପରିବାରକୁ ପ୍ରଶାସନ ପକ୍ଷରୁ ପଲିଥିନ୍ ସିଟ୍ ବଣ୍ଟାଯାଇଛି। ବାସ୍ତବରେ, ଏହି କାଳବୈଶାଖୀ କ୍ଷୟକ୍ଷତି ଢେର୍‌ ଅଧିକ ହେବ। କେବଳ ଖରିଆବାହାଲ ବସ୍ତିରେ ଶତାଧିକ ଘର ଉପୁଡ଼ିବା ସହ ଘର ଭାଙ୍ଗିଯାଇଛି। କିନ୍ତୁ ସମସ୍ତ କ୍ଷତିଗ୍ରସ୍ତଙ୍କ ଘରେ ପ୍ରଶାସନ ସର୍ଭେ ପାଇଁ ପହଞ୍ଚିନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏବେ ବି ବହୁ ଘରର ଛାତ ସଜଡ଼ା ଯାଇପାରିନି।

ଘର ଉପରେ ଭୁଶୁଡ଼ିପଡ଼ିଥିବା ଗଛକୁ କଟାଯାଇଛି ସତ, କିନ୍ତୁ ପରିସର ସଫା କରାଯାଇପାରିନି। ଟିଣ ଓ ଆଜବେଷ୍ଟସ ଛାତ ଉଡ଼ିଯାଇଥିବାରୁ ଏକାଧିକ ପରିବାର ଖୋଲା ଆକାଶ ତଳେ, ସମ୍ପର୍କୀୟଙ୍କ ଘରେ ଅସ୍ଥାୟୀ ଆଶ୍ରୟ ନେଇଛନ୍ତି। ସେହିଭଳି ଇସ୍ପାତ ସହରାଞ୍ଚଳର ବହୁ ପୁରୁଣା ଗଛଗୁଡ଼ିକ ଉପୁଡ଼ି ପଡ଼ିଥିଲା। ପାଖାପାଖି ୨୫୦ରୁ ଅଧିକ ବିଶାଳ ବୃକ୍ଷ ଉପୁଡ଼ିଥିବାବେଳେ ସହଶ୍ରାଧିକ ଗଛ ଭାଙ୍ଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଦୁର୍ଦ୍ଦଶାଗ୍ରସ୍ତ ବାସିନ୍ଦା ତୁରନ୍ତ ସରକାରୀ ହସ୍ତକ୍ଷେପ, ଆର୍ଥିକ କ୍ଷତିପୂରଣ, କ୍ଷତିଗ୍ରସ୍ତ ସମ୍ପତ୍ତିର ପୁନଃନିର୍ମାଣ ତଥା ପ୍ରଭାବିତ ଅଞ୍ଚଳରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ଜରୁରୀ ସହାୟତା ଦାବି କରୁଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button