ଚିଲିକା/ବାଲୁଗାଁ: ଚିଲିକାର ଚିଙ୍ଗୁଡ଼ି ମାଫିଆଙ୍କ ଉପରେ ଆଜି ହୋଇଛି କଡ଼ା ପ୍ରହାର। ହଜାର ହଜାର ଏକର ଜଳାଶୟକୁ ଜାଲରେ ଘେରି ବେଧଡ଼କ ଚିଙ୍ଗୁଡ଼ି ଚାଷ କରୁଥିଲେ। ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଚିଲିକା ରାଜସ୍ବ ବିଭାଗ ଛଅ ଘଣ୍ଟାର କସରତ କରି ବାଲୁଗାଁ ଅଞ୍ଚଳରେ ଥିବା ଚିଲିକାର ଜଳରାଶିକୁ ଅଧା ଘେରିମୁକ୍ତ କରିଛି। ଗୋଟିଏ ଦିନରେ ପ୍ରଶାସନ ପ୍ରାୟ ୯୦୦ ଏକର ଜମିରୁ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରିଥିବା ବେଳେ ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ଘେରି ଉଚ୍ଛେଦ ବାକି ଥିବା ଜଣାପଡ଼ିଛି।
ସୂଚନା ମୁତାବକ, ଏ ଘେରି କଳିଯୁଗେଶ୍ବର ପାହାଡ଼ଠୁ ଆରମ୍ଭ କରି ଲମ୍ବୋଦରପୁର ଖଣ୍ଡୁଆଳକୋଟ ପାହାଡ଼ ଯାଏ ଥିଲା। ଏ ସମ୍ପର୍କିତ ଖବର ‘ଚିଙ୍ଗୁଡ଼ି ମାଫିଆଙ୍କ କବଜାରେ ଚିଲିକା’ ୨୧ତାରିଖରେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଆଜି ପୁଲିସ, ରାଜସ୍ବ ବିଭାଗ ମିଳିତ ଭାବେ ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ କରିଥିଲେ। ଏଥିରେ ୪୦ଜଣ ଶ୍ରମିକଙ୍କ ସମେତ ସରକାରୀ ବାବୁ ବି ସାମିଲ୍ ହୋଇଥିଲେ। ଅତିରିକ୍ତ ତହସିଲ୍ଦାର ବିଷ୍ଣୁପ୍ରିୟା ବେହେରାଙ୍କ ନେତୃତ୍ବରେ ଗୋଟିଏ ଟିମ୍ କଳିଯୁଗେଶ୍ବର ପାହାଡ଼ ଆଡ଼କୁ ଯାଇଥିବା ବେଳେ ଦ୍ବିତୀୟ ଟିମ୍ ରାଜସ୍ବ ସୁପରଭାଇଜର୍ ଅମୀର ରଞ୍ଜନ ନାୟକଙ୍କ ନେତୃତ୍ବରେ ସିଡିଏ ପଟକୁ ଯାଇଥିଲେ। ପ୍ରତ୍ୟେକ ଟିମ୍ ତିନି ତିନିଟା ଲେଖାଏ ଡଙ୍ଗାକୁ ବ୍ୟବହାର କରିଛନ୍ତି। ପ୍ରାୟ ୯ଘଣ୍ଟାର କସରତ ପରେ କଳିଯୁଗେଶ୍ବର ଓ ସିଡିଏ ଚିଙ୍ଗୁଡ଼ି ଘେରିର ପ୍ରାୟ ୯୦୦ ଏକର ଭାଙ୍ଗିବାରେ ଆମେ ସକ୍ଷମ ହୋଇଛୁ ବୋଲି ଅତିରିକ୍ତ ତହସିଲ୍ଦାର ଶ୍ରୀମତୀ ବେହେରା ପ୍ରକାଶ କରିଛନ୍ତି। ଦୁଇଟା ଘେରିର
ବିଶେଷ କରି କଳିଯୁଗେଶ୍ବରଠାରୁ ଖଣ୍ଡୁଆଳକୋଟ୍ ଯାଏ ଥିବା ଘେରିର ବଡ଼ ଅଂଶ ଭଙ୍ଗା ଯିବା ଅପେକ୍ଷାରେ ରହିଛି। ଦୁଇଟା ଘେରିରୁ ଯଦି ୯୦୦ ଏକର ଜଳାଶୟକୁ ମୁକ୍ତ କରାଯାଇପାରିଛି, ତେବେ ଚିଲିକାର କେତେ ବଡ଼ ଅଂଶକୁ ଏ ମାଫିଆମାନେ ମାଡ଼ି ବସିଥିଲେ, ତାହା ସହଜେ ଅନୁମାନ କରାଯାଉଛି। ଜାଲ ସବୁ ଚିଲିକା ତହସିଲ୍ କାର୍ଯ୍ୟାଳୟକୁ ନିଆଯାଇଛି। ଆସନ୍ତାକାଲି ଏହାର ଦ୍ବିତୀୟ ପର୍ଯ୍ୟାୟ ଉଚ୍ଛେଦ ଜାରି ରହିବ ବୋଲି ଅତିରିକ୍ତ ତହସିଲ୍ଦାର ଶ୍ରୀମତୀ ବେହେରା ପ୍ରକାଶ କରିଛନ୍ତି।
ସୌଜନ୍ୟ ସମ୍ବାଦ

