ଆସ୍କା ୦୧।୦୬ : ଖାକିରେ ପୁଣି କଳଙ୍କ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୋଲିସ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଥାନାରେ ଅଟକ ରଖିଥିବା ଯୁବକଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ଆସିଛି । ମୃତ ଯୁବକ ହେଲେ ସୁବୁଳିଆ ଗାଁର ସୁଶାନ୍ତ ସାହୁ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ସୁଶାନ୍ତ ସାହୁ ସୁବୁଳିଆର ଏକ ପଥର ଖାଦାନରେ କାମ କରୁଥିଲେ l ସେଠାରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା l ଗତ ୨୫ ତାରିଖ ଦିନ ଏହି ଘଟଣାରେ କବିସୂର୍ଯ୍ୟନଗର ପୋଲିସ ସୁଶାନ୍ତ ସହ ଅନ୍ୟ ଜଣକୁ ଉଠାଇ ଆଣିଥିଲେ l ହେଲେ ସୁଶାନ୍ତକୁ ଗତ ୨୫ ତାରିଖ ଠାରୁ ୩୧ ତାରିଖ ଯାଏଁ ଥାନାରେ ଅଟକ ରଖିଥିଲେ । ଏହି ସମୟରେ ତଦନ୍ତ ଆଳରେ ନିସ୍ତୁକ ମାଡ଼ ମାରିବା ସହ ଦେହରେ ଗରମ ପାଣି ଢାଳି ଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି l ରବିବାର ପୋଲିସ ସୁଶାନ୍ତକୁ ପରିବାର ଲୋକକୁ ହସ୍ତାନ୍ତର କରିଥିଲେ । ସୁଶାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି l ଆଉ ଏବେ ନ୍ୟାୟ ଦାବିରେ ପରିବାର ଲୋକେ ଥାନା ଆଗରେ ଧାରଣାରେ ବସିଛନ୍ତି ।
ସୌଜନ୍ୟ Prameya News7

