Young Man Death: ପୁଲିସ ମାଡ଼ରେ ଦିବ୍ୟାଙ୍ଗ ଯୁବକ ମୃତ, ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ

ବ୍ରହ୍ମପୁର: ଗଞ୍ଜାମଜିଲ୍ଲା କବିସୂର୍ଯ୍ୟନଗର ଥାନା ହାଜତରେ ପୁଲିସର ନିର୍ଘାତ ମାଡ଼ରେ ଜଣେ ଦିଵ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ ଅଭିଯୋଗକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ମୃତକ ଜଣକ ହେଲେ ସୁବଳୟା ଗ୍ରାମର ସୁଶାନ୍ତ ସାହୁ (୩୨)। ଘଟଣାକୁ ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର ଗୁରୁତ୍ଵର ସହ ନେଇ ତଦନ୍ତ ପାଇଁ ଗଞ୍ଜାମ ଏସପି ହରିଶ ଵିସିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୋଗ ଅନୁସାରେ, ଗତ ୨୫ ତାରିଖରେ ବେଆଇନ ପଥର ଫଟା ମାମଲାରେ ସୁଶାନ୍ତଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଥିଲା। ଏହାପୂର୍ବରୁ ଏହି ମାମଲାରେ ୨ ଜଣ ଗିରଫ ହୋଇଥିଲେ। ତେବେ ସୁଶାନ୍ତଙ୍କ ସଂପୃକ୍ତି ପ୍ରମାଣିତ ହୋଇ ନଥିଲା। ୭ ଦିନ କାଳ ଥାନା ହାଜତରେ ସୁଶାନ୍ତଙ୍କୁ ଥାର୍ଡ ଡିଗ୍ରୀ ଦିଆଯାଇଥିଲା। ଗତକାଲି ତାଙ୍କୁ ଗୁରୁତର ଅବସ୍ଥାରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଆସିକା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣ କରିଥିଲେ।

ଥାନା ଆଗରେ ଗ୍ରାମବାସୀ ମେଳି ବାନ୍ଧିଛନ୍ତି

ଖବର ମିଳିଵା ସୁଦ୍ଧା, ଘଟଣାକୁ ନେଇ ସୁବଳୟା ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି। ଥାନା ଆଗରେ ଗ୍ରାମବାସୀ ମେଳି ବାନ୍ଧିଛନ୍ତି।‌ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ତେବେ ଘଟଣାକୁ ରଫାଦଫା କରିବାକୁ ଉଦ୍ୟମ ହେଉଥିବା ପରିବାରବର୍ଗ ଅଭିଯୋଗ ଆଣିଛନ୍ତି।

 

 

ସୌଜନ୍ୟ ସମ୍ବାଦ