ନୂଆଦିଲ୍ଲୀ: ଭାରତ ଫ୍ରାନ୍ସରୁ ୧୧୪ଟି ରାଫେଲ ଯୁଦ୍ଧବିମାନ କ୍ରୟ ଲାଗି ଔପଚାରିକ ପ୍ରକ୍ରିୟା ଆରମ୍ଭ କରିଛି। ଏହି କାରବାର ପାଖାପାଖି ୩.୨୫ଲକ୍ଷ କୋଟି ଟଙ୍କାର ବୋଲି କୁହାଯାଉଛି। ଏହା ଦେଶରେ ଏ ପର୍ଯ୍ୟନ୍ତ ହୋଇଥିବା ସବୁଠୁ ବଡ଼ ପ୍ରତିରକ୍ଷା କ୍ରୟ। ପ୍ରତିରକ୍ଷା ମନ୍ତ୍ରାଳୟ ସୂତ୍ର ଅନୁସାରେ ମନ୍ତ୍ରାଳୟର ଅଧିଗ୍ରହଣ ଶାଖା ଗତ ସପ୍ତାହରେ ଫରାସୀ ସରକାରଙ୍କୁ ଲେଟର ଅଫ ରିକ୍ୱେଷ୍ଟ (ଏଲଓଆର) ପଠାଇ ଥିଲା। ଏହା ସହିତ ସରକାରରୁ ସରକାର (ଜି-ଟୁ-ଜି) ଆଧାରରେ ହେବାକୁ ଥିବା ଏହି ପ୍ରତିରକ୍ଷା ଡିଲ ଔପଚାରିକ ରୂପେ ଆରମ୍ଭ ହୋଇଯାଇଛି।
କୁହାଯାଉଛି ଫ୍ରାନ୍ସରୁ ଏ ବାବଦେ ଆଗାମୀ ୨ରୁ ୩ ମାସ ମଧ୍ୟରେ ଜବାବ ମିଳିଯିବ, ଏହା ପରେ ଆଲୋଚନା ଶେଷ କରି ବର୍ଷକ ମଧ୍ୟରେ ବୁଝାମଣାକୁ ଚୂଡ଼ାନ୍ତ ରୂପ ଦିଆଯିବ। ଏହି କ୍ରୟ ଭାରତୀୟ ବାୟୁସେନାର ମଲ୍ଟିରୋଲ ଫାଇଟର ଏୟାରକ୍ରାଫ୍ଟ କାର୍ଯ୍ୟକ୍ରମର ଅଂଶ ବିଶେଷ। ଭାରତୀୟ ବାୟୁ ସେନା ଦୀର୍ଘ ସମୟ ହେଲା ହ୍ରାସ ହେଉଥିବା ଫାଇଟର ସ୍କ୍ୱାଡ୍ରନ ସମସ୍ୟା ଭୋଗି ଆସୁଛି। ଏବେ ବାୟୁସେନାରେ ପାଖାପାଖି ୨୯ଟି ସ୍କ୍ୱାଡ୍ରନ ଅଛି। ତେବେ ୪୨.୫ ଟି ସ୍କ୍ୱାଡ୍ରନ ବାୟୁ ସେନାର ଏବେକା ଆବଶ୍ୟକତା।
ପୂର୍ବରୁ ଭାରତ ୨୦୧୬ ବୁଝାମଣାରେ ବାୟୁସେନାରେ ୩୬ଟି ରାଫେଲ ବିମାନ ମିସାଇ ସାରିଛି। ଏବେ ପ୍ରସ୍ତାବିତ ନୂଆ ଡିଲ ଅନୁସାରେ ଅଧିକାଂଶ ବିମାନ ଭାରତରେ ନିର୍ମିତ ହେବ। ଫରାସୀ କମ୍ପାନୀ ଡାସଲ୍ଟ ଏଭିଏସନ ଏକ ଭାରତୀୟ କମ୍ପାନୀ ଭାଗିଦାରୀରେ ୯୦ରୁ ୯୪ଟି ବିମାନ ଭାରତରେ ନିର୍ମାଣ କରିବ ଓ ବାକି ବିମାନ ସିଧାସଳଖ ଫ୍ରାନ୍ସରୁ ଆମଦାନୀ କରିବାକୁ ଯୋଜନା ରହିଛି।
ପ୍ରତିରକ୍ଷା ଅଧିକାରୀଙ୍କ ଅନୁସାରେ ଏହି ପ୍ରକଳ୍ପରେ ପାଖାପାଖି ୫୦ ପ୍ରତିଶତ ଲୋକାଲାଇଜେସନ ହାସଲ କରିବା ପାଇଁ ଲକ୍ଷ୍ୟ ରଖା ଯାଇଛି। ଏହା ରାଫେଲ କାର୍ଯ୍ୟକ୍ରମ ଲାଗି ମଧ୍ୟ ଏକ ବଡ଼ ପଦକ୍ଷେପ ହେବ। କାରଣ ପ୍ରଥମ ଥର ଏହି ବିମାନର ନିର୍ମାଣ ଫ୍ରାନ୍ସ ବାହାରେ ହେବ। ଅଧିକାରୀମାନେ କହିଛନ୍ତି ଯେ ଏହି ବୁଝାମଣାରେ ଭାରତକୁ ରାଫେଲ ବିମାନରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ଯୋଡିବାକୁ ସୁବିଧା ମିଳିବ। ଏହା ଛଡା ସମ୍ପୂର୍ଣ୍ଣ କ୍ରୟ ପ୍ରକ୍ରିୟାକୁ ପାରଦର୍ଶିତାର ସହ ଓ ମଧ୍ୟସ୍ଥ ମୁକ୍ତ ରଖିବାକୁ ଜୋର ଦିଆଯାଇଛି।
ସୌଜନ୍ୟ Prameya News7

