ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଦେଶକୁ ତେଲ ଓ ଗ୍ୟାସ୍ ଯୋଗାଣ ପ୍ରଭାବିତ ହୋଇଛି। ଏଥି ସହିତ ଦେଶରେ ତରଳୀକୃତ ପେଟ୍ରୋଲିୟମ୍ ଗ୍ୟାସ୍ (ଏଲ୍ପିଜି) ବ୍ୟବହାର ୫ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି। ପେଟ୍ରୋଲିୟମ୍ ଯୋଜନା ଓ ବିଶ୍ଳେଷଣ ପ୍ରକୋଷ୍ଠ (ପିପିଏସି) ତଥ୍ୟ ଅନୁଯାୟୀ ଚଳିତ ବର୍ଷ ମେ ମାସରେ ଗତବର୍ଷ ତୁଳନାରେ ଏଲ୍ପିଜି ବ୍ୟବହାର ୧୯ ପ୍ରତିଶତ ହ୍ରାସ ପାଇ ୨.୧୨ ନିୟୁତ ଟନ୍କୁ ଖସିଆସିଛି। ଗତ ୫ ବର୍ଷ ୨ ମାସ ମଧ୍ୟରେ ଏହା ହେଉଛି ସର୍ବନିମ୍ନ ଏଲ୍ପିଜି ବ୍ୟବହାର। ଏହା ପୂର୍ବରୁ ୨୦୧୯ ଏପ୍ରିଲ୍ରେ ୧.୯ ନିୟୁତ ଟନ୍, ୨୦୨୦ ଏପ୍ରିଲ୍ରେ ୨.୧୧ ନିୟୁତ ଟନ୍ ଓ ୨୦୨୧ ଏପ୍ରିଲ୍ରେ ୨.୧୦ ନିୟୁତ ଟନ୍ ଭଳି କମ୍ ଏଲ୍ପିଜି ବ୍ୟବହାର ହୋଇଥିଲା। ଗ୍ରୀଷ୍ମ ଋତୁରେ ସାଧାରଣତଃ ଏଲ୍ପିଜି ବ୍ୟବହାର ହ୍ରାସ ପାଏ। ଭାରତର ହାରାହାରି ଦୈନିକ ଏଲ୍ପିଜି ଚାହିଦା ହେଉଛି ୮୦,୦୦୦ ଟନ୍। କିନ୍ତୁ ଏବେ ପ୍ରତିଦିନ ୭୨ ହଜାର ଟନ୍ ଏଲ୍ପିଜି ବ୍ୟବହାର ହେଉଛି। ୨୦୨୩-୨୪, ୨୦୨୪-୨୫ ଓ ୨୦୨୫-୨୬ର ହାରାହାରି ଦୈନିକ ବ୍ୟବହାର ତୁଳନାରେ ଏହା ଯଥେଷ୍ଟ କମ୍। ୨୦୨୪-୨୫ରେ ଦୈନିକ ହାରାହାରି ବ୍ୟବହାର ୯୦,୯୯୧ ନିୟୁତ ଟନ୍ରେ ପହଞ୍ଚିଥିଲା।
ଭାରତ ଏହାର ଆବଶ୍ୟକତାର ୬୦ ପ୍ରତିଶତ ଏଲ୍ପିଜି ଆମଦାନି କରୁଛି। ସେଥିରୁ ୯୦ ପ୍ରତିଶତ ଯୁଦ୍ଧ ଦ୍ବାରା ପ୍ରଭାବିତ ମଧ୍ୟପ୍ରାଚ୍ୟ ଦେଶରୁ ଆସୁଛି। ଚଳିତ ବର୍ଷ ଫେବ୍ରୁଆରି ୨୮ରୁ ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଗୁରୁତର ପ୍ରଭାବିତ ହୋଇଛି। ସେଥିପାଇଁ ଦେଶକୁ ଠିକ୍ ଭାବେ ତେଲ ଓ ଗ୍ୟାସ୍ ଆସିପାରୁନାହିଁ। ଗ୍ୟାସ୍ ଆସୁନଥିବାରୁ ଘରୋଇ ଗ୍ରାହକ, ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ ଓ ପରିବହନ କ୍ଷେତ୍ରକୁ ଗ୍ୟାସ୍ ଯୋଗାଣରେ ପ୍ରାଥମିକତା ଦିଆଯାଉଛି। ଶିଳ୍ପ କ୍ଷେତ୍ରକୁ ଏଲ୍ପିଜି ଯୋଗାଣ ୨୦-୩୦ ପ୍ରତିଶତ ହ୍ରାସ କରାଯାଇଛି।
ଅନ୍ୟ ପକ୍ଷରେ ଏଲ୍ପିଜି ଦରକୁ ତୈଳ କମ୍ପାନିଗୁଡ଼ିକ ନିୟମିତ ଭାବେ ବଢ଼ାଉଛନ୍ତି। ବିଶେଷ କରି ବାଣିଜ୍ୟିକ ଏଲ୍ପିଜି ଓ ୫ କେଜିଆ ଏଲ୍ପିଜି ସିଲିଣ୍ଡର ଦାମ୍ରେ ନିୟମିତ ବୃଦ୍ଧି ଘଟୁଛି। ବାଣିଜ୍ୟିକ ଏଲ୍ପିଜି ଦାମ୍ ୧୫୦୦ ଟଙ୍କାରୁ ଅଧିକ ବୃଦ୍ଧି ପାଇ ସିଲିଣ୍ଡର ପିଛା ୩୦୦୦ ଟଙ୍କାରୁ ଅଧିକ ହୋଇଛି। ୫ କେଜିଆ ଏଲ୍ପିଜି ସିଲିଣ୍ଡର ଦାମ୍ ମଧ୍ୟ ୮୦୦ ଟଙ୍କାରୁ ଅଧିକ ହୋଇଛି। ଗ୍ୟାସ୍ ଅଭାବ ଓ ଦରବୃଦ୍ଧି ପରେ ହୋଟେଲ୍, ରେସ୍ତୋରାଁ ଓ କ୍ୟାଟରିଂ ସଂସ୍ଥାଗୁଡ଼ିକ ବିକଳ୍ପ ଇନ୍ଧନ ବିଷୟରେ ବିଚାର କରୁଛନ୍ତି। ଦରବୃଦ୍ଧି ମଧ୍ୟ ଏଲ୍ପିଜି ବ୍ୟବହାର ହ୍ରାସର ଅନ୍ୟତମ କାରଣ କୁହାଯାଉଛି। ତେବେ ଦେଶରେ ଏଲ୍ପିଜି ଉତ୍ପାଦନ ବଢ଼ାଇବା ଉପରେ ଜୋର ଦିଆଯାଉଛି। ଦୈନିକ ଏଲ୍ପିଜି ଉତ୍ପାଦନ ୫୨ ହଜାର ଟନ୍ରେ ପହଞ୍ଚିଛି।