Abhijeet Seeks: ୬ରେ ଜନ୍ତରମନ୍ତରରେ ପ୍ରତିବାଦ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବେ ଅଭିଜିତ ଦୀପକେ, ସାଥ୍ ଦେବେ ସୋନମ ୱାଙ୍ଗଚୁକଢ଼

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ନୀଟ୍ ପ୍ରଶ୍ନପତ୍ର ଲିକ୍ ବିବାଦକୁ କେନ୍ଦ୍ର କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଆସନ୍ତା ଜୁନ୍ ୬ ତାରିଖରେ ନୂଆଦିଲ୍ଲୀର ଜନ୍ତରମନ୍ତରଠାରେ ଏକ ବଡ଼ ଧରଣର ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯିବ। ”କକରୋଚ୍ ଜନତା ପାର୍ଟି” (ସିଜେପି) ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆସନ୍ତା ଜୁନ୍ ୬ ତାରିଖରେ ଆମେରିକାରୁ ଭାରତ ଫେରିବା ପରେ ଏହି ଆନ୍ଦୋଳନର ନେତୃତ୍ୱ ନେବେ। ବୋଷ୍ଟନରୁ ଏକ ଜାତୀୟ ଗଣମାଧ୍ୟମକୁ ଟେଲିଫୋନ୍ ଯୋଗେ ଦେଇଥିବା ସାକ୍ଷାତକାରରେ ୩୦ ବର୍ଷୀୟ ଅଭିଜିତ କହିଛନ୍ତି ଯେ, ସେ ଦେଶର ଜନସାଧାରଣ ଓ ବିଶେଷ କରି ଯୁବପିଢ଼ିଙ୍କ ସମର୍ଥନ ଉପରେ ସମ୍ପୂର୍ଣ୍ଣ ଭରସା ରଖିଛନ୍ତି। ନୀଟ୍ ପେପର ଲିକ୍, ସିୟୁଇଟି ଏବଂ ସିବିଏସଇ ପରୀକ୍ଷା ପରିଚାଳନାରେ ହୋଇଥିବା ବିଭ୍ରାଟ ଯୋଗୁଁ ଯୁବ ସମାଜ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ପ୍ରସିଦ୍ଧ ଜଳବାୟୁ ସଂଗ୍ରାମୀ ତଥା ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକ ମଧ୍ୟ ଜୁନ୍ ୬ରେ ଦିଲ୍ଲୀରେ ପହଞ୍ଚି ଅଭିଜିତଙ୍କ ସହ ଏହି ପ୍ରତିବାଦରେ ସାମିଲ ହେବେ ବୋଲି ସ୍ପଷ୍ଟ କରିଛନ୍ତି।
କକରୋଚ୍ ଜନତା ପାର୍ଟି” (ସିଜେପି) ର ପ୍ରତିଷ୍ଠାତା ଅଭିଜିତ ଦୀପକେ
ଅଭିଜିତ ଦୀପକେଗତ ଦୁଇ ବର୍ଷ ହେବ ବୋଷ୍ଟନରେ ରହି ପବ୍ଲିକ ରିଲେସନସ୍ ଉପରେ ପାଠ ପଢ଼ୁଥିବା ବେଳେ ମାସେ ପୂର୍ବରୁ ସେ ଏହି “ଯୁବ ପ୍ରେସର ଗ୍ରୁପ୍” ବା ସଂଗଠନର ଗଠନ କରିଥିଲେ। ଭାରତ ଫେରିବା ନିଷ୍ପତ୍ତିକୁ ନେଇ ସେ ପ୍ରଥମେ ସାମାନ୍ୟ ଚିନ୍ତିତ ଥିଲେ ହେଁ, ଏବେ ଦେଶର ଯୁବପିଢ଼ିଙ୍କ ସ୍ୱାର୍ଥ ପାଇଁ ସେ ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି। ସେ ଦିଲ୍ଲୀ ବିମାନବନ୍ଦରରେ ଓହ୍ଲାଇବା ପରେ ସର୍ବପ୍ରଥମେ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ପୋଲିସ ଷ୍ଟେସନକୁ ଯାଇ ଧାରଣା ପାଇଁ ଅନୁମତି ମାଗିବେ। ଯଦି ପୋଲିସ ତାଙ୍କୁ ୬ ମାସ କିମ୍ବା ବର୍ଷେ ପାଇଁ ଗିରଫ କରେ, ତେବେ ସେଥିପାଇଁ ମଧ୍ୟ ସେ ନିଜକୁ ପ୍ରସ୍ତୁତ ରଖିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରୁ ଏହି ପ୍ରତିବାଦରେ ସାମିଲ ହେବା ପାଇଁ ଯୁବକମାନଙ୍କୁ ଏକତ୍ରିତ କରାଯାଉଛି ଏବଂ ଏଥିପାଇଁ ଏକ ବ୍ୟବସ୍ଥିତ ସଂଗଠନ ପ୍ରସ୍ତୁତ ହୋଇସାରିଛି ବୋଲି ସେ ସୂଚନା ଦେଇଛନ୍ତି।
ଅନ୍ୟପଟେ, ସୋନମ ୱାଙ୍ଗଚୁକ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ, ସେ ପ୍ରଥମେ ଏହି କକରୋଚ୍ ଜନତା ପାର୍ଟି ପଛରେ କୌଣସି ବିଦେଶୀ ଶକ୍ତିର ହାତ ଅଛି କି ନାହିଁ ସେ ନେଇ ସନ୍ଦେହ ପ୍ରକାଶ କରିଥିଲେ। ମାତ୍ର ଅଭିଜିତ ତାଙ୍କ ସହ ସମ୍ପର୍କ କରି ସଂଗଠନର ସମସ୍ତ ତଥ୍ୟ ଓ ଆଭିମୁଖ୍ୟ ଉପସ୍ଥାପନ କରିବା ପରେ, ସେ ଏହି ଯୁବକମାନଙ୍କ ଦେଶପ୍ରେମ ଓ ସ୍ୱାର୍ଥହୀନ ତ୍ୟାଗ ଦେଖି ଅତ୍ୟନ୍ତ ପ୍ରଭାବିତ ହୋଇଛନ୍ତି। ୱାଙ୍ଗଚୁକ କହିଛନ୍ତି ଯେ ସେ ବିଗତ ୪ ଦଶନ୍ଧି ଧରି ଦେଶର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଚେଷ୍ଟା କରୁଛନ୍ତି, ମାତ୍ର କୌଣସି ବଡ଼ ପରିବର୍ତ୍ତନ ନଦେଖି ସେ ନିରାଶ ହୋଇଛନ୍ତି। ଯଦି ଆସନ୍ତା ଜୁନ୍ ୫ ତାରିଖ ମଧ୍ୟରେ ଶିକ୍ଷା ମନ୍ତ୍ରୀ ନିଜ ପଦରୁ ଇସ୍ତଫା ନଦିଅନ୍ତି କିମ୍ବା ବ୍ୟବସ୍ଥାରେ ପରିବର୍ତ୍ତନ ନଆସେ, ତେବେ ବାଧ୍ୟ ହୋଇ ସେ ଜୁନ୍ ୬ (ଶନିବାର) ଦିନ ଦିଲ୍ଲୀ ଯାଇ ଜନ୍ତରମନ୍ତରରେ ସମସ୍ତ ”ଜେନ ଜି” ବା ଯୁବ ସମର୍ଥକଙ୍କ ସହ ଧାରଣାରେ ବସିବେ। ଭାରତରେ ସଂସ୍କାର ଆଣିବା ପାଇଁ “ଯଦି ଏବେ ନୁହେଁ, ତେବେ କେବେ? ଯଦି ଆମେ ନୁହେଁ, ତେବେ କିଏ?” ବୋଲି ପ୍ରଶ୍ନ କରି ସେ ସାରା ଦେଶର ଜନସାଧାରଣଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




