ମହାନଗରରାଜ୍ୟ

The kingdom: ସ୍ମାର୍ଟ ଜନପଥରେ ଅନ୍ଧାରର ରାଜୁତି

ଭୁବନେଶ୍ବର: ଅନ୍ଧାରରେ ସ୍ମାର୍ଟ ଜନପଥ। ପୂର୍ବରୁ ମେଡିଆନ୍‌ ଲାଇଟ୍‌ ଅଚଳ ହେବାରୁ ଅନ୍ଧକାରମୟ ପରିବେଶ ସୃଷ୍ଟି ହୋଇଥିଲା। ଏବେ ବି ଏହି ଅବ୍ୟବସ୍ଥାରେ ସୁଧାର ଆସିନି, ସେପଟେ ରାସ୍ତାପାର୍ଶ୍ବ ଲାଇଟ୍‌ ସବୁ ଅଚଳ ହୋଇଗଲାଣି। ଦୁର୍ଭାଗ୍ୟର କଥା, ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖ ବି ଏଥିରୁ ବାଦ୍‌ ପଡ଼ିନି। ରାଜଧାନୀ ଭୁବନେଶ୍ବରର ସବୁଠୁ ଉନ୍ନତ ଏହି ମଡେଲ୍‌ ରାସ୍ତାର ଏଭଳି ଅନ୍ଧକାରମୟ ପରିବେଶ ଦୁର୍ଘଟଣା ସାଙ୍ଗକୁ ଚୋରି, ରାହାଜାନି ଭୟ ବଢ଼ାଇ ଦେଲାଣି।

ଭୁବନେଶ୍ବର ସ୍ମାର୍ଟସିଟି ଜନପଥ ମେଡିଆନ୍‌ରେ ଗଛ ଲଗାଇବାକୁ ମାଟି ବଦଳାଉଥିବାରୁ ମାସାଧିକ ହେଲାଣି ମେଡିଆନ୍‌ର ଲାଇଟ୍‌ ଠିକ୍‌ରେ ଜଳୁନି। ଯେଉଁଠି ଲୋକ ଲଗାଇ ମାଟି ଖୋଳିବା କଥା ସେଠି ଜେସିବି ଲଗାଇ ମାଟି ଖୋଳିବାରୁ ମେଡିଆନ୍‌ ତଳେ ଥିବା ବିଜୁଳି ତାର ସବୁ ଛିଣ୍ଡି ଏଭଳି ଅବସ୍ଥା ହୋଇଛି। କେଉଁଠି ଲାଇଟ୍‌ର ଗୋଟିଏ ପାର୍ଶ୍ବ ଜଳୁଛି ତ କେଉଁଠି ସଂପୂର୍ଣ୍ଣ ଜଳୁନି। ଏଭଳି ସ୍ଥିତିରେ ୪ରୁ ୫ ଦିନ ହେବ ଜନପଥର ରାସ୍ତାପାର୍ଶ୍ବ ଲାଇଟ୍‌ ନ ଜଳିବା ସଂପୂର୍ଣ୍ଣ ଜନପଥକୁ ଅନ୍ଧାର କରିଦେଇଛି। ଏଭଳି ସ୍ଥିତି ଭୁବନେଶ୍ବରର ସ୍ମାର୍ଟ ସହର ଆଖ୍ୟାକୁ ଉପହାସ କରୁଛି। ଏହି ଲାଇଟ୍‌ ରାସ୍ତା ଦୁଇପାର୍ଶ୍ବ ଆଲୋକୀକରଣ ପାଇଁ ଲଗାଯାଇଛି। କିନ୍ତୁ ୪ରୁ ୫ ଦିନ ହେବ ରୁପାଲି ଛକରୁ ମାଷ୍ଟରକ୍ୟାଣ୍ଟିନ୍‌ ପର୍ଯ୍ୟନ୍ତ ରାସ୍ତାପାର୍ଶ୍ବ ଲାଇଟ୍‌ ଆଦୌ ଜଳୁନି। ଏଣୁ ଦୁଇପାର୍ଶ୍ବରେ ଥିବା ସାଇକେଲ୍‌ ଜୋନ୍‌, ପେଡେଷ୍ଟ୍ରିଆନ୍‌ ଜୋନ୍‌, ବିଶ୍ରାମ ପାଇଁ ଚେୟାର ପଡ଼ିଥିବା ସ୍ଥାନ ସବୁ ଅନ୍ଧକାର ହୋଇଯାଇଛି। ଯେହେତୁ ଏହା ସଂପୂର୍ଣ୍ଣ ଅନ୍ଧକାର ରହୁଛି, ଯେଉଁଠି ସଂଧ୍ୟା ହେଲେ ଲୋକଙ୍କ ଆସର ଜମୁଥିଲା, ସେଠି କାଉକୋଇଲି ବି ଉଡ଼ୁନାହାନ୍ତି। ଅନ୍ଧାର ଥିବାରୁ ଲୋକେ ବି ଏଠାରେ ବସିବାକୁ ଭୟ କରୁଛନ୍ତି।

ସେପଟେ ଯାତ୍ରୀମାନେ ନିୟମିତ ଆମ ବସ୍‌ଷ୍ଟପ୍‌ରେ ଆସି ‌ଅପେକ୍ଷା କରନ୍ତି। କିନ୍ତୁ ସତ୍ୟନଗର ଶ୍ମଶାନ ସମ୍ମୁଖ ଆମ ବସ୍‌ଷ୍ଟପ୍‌ ସହ ଅନ୍ୟାନ୍ୟ ବସ୍‌ଷ୍ଟପ୍‌ ଲାଇଟ୍‌ ଜଳୁନି। ସଂଧ୍ୟା ହେଲେ ଏଠାରେ ଅନ୍ଧାର ରାଜୁତି କରୁଛି। ଏଣୁ ଲୋକେ ବି ଏଠି ‘ଆମ ବସ୍‌’କୁ ଅପେକ୍ଷା କରିବାକୁ ଡରିଲେଣି। ସଂଧ୍ୟାରୁ ଏହି ବସ୍‌ଷ୍ଟପ୍‌ ସବୁ ଖାଲି ପଡ଼ୁଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More
Back to top button