ରାଜ୍ୟ

Handicraft Hub in Pipili: ପିପିଲିରେ ଚାନ୍ଦୁଆ ହସ୍ତଶିଳ୍ପ ହବ୍‌ର ଶିଳାନ୍ୟାସ: ‘ପିପିଲି ଚାନ୍ଦୁଆକୁ ବିଶ୍ୱ ବଜାର ସହ ଯୋଡ଼ିବା ଆମର ଲକ୍ଷ୍ୟ’

ପିପିଲି: ପିପିଲି ତହସିଲ ଅନ୍ତର୍ଗତ ଜଗନ୍ନାଥପୁର ମୌଜାରେ ୫ ଏକରରୁ ଅଧିକ ଜମି ଉପରେ ତିଆରି ହେବ ଅତ୍ୟାଧୁନିକ ‘ପିପିଲି ଚାନ୍ଦୁଆ ହସ୍ତଶିଳ୍ପ ହବ୍’। ଏହାର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପ୍ରାୟ ୮୦ କୋଟି ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ। ଏହି ଅବସରରେ  ମୁଖ୍ୟମନ୍ତ୍ରୀ କହିଛନ୍ତି, ପିପିଲି ଚାନ୍ଦୁଆ କେବଳ ଏକ ହସ୍ତଶିଳ୍ପ ନୁହେଁ, ଏହା ଓଡ଼ିଆ ଜାତିର ସ୍ୱାଭିମାନ ଓ ‘ଓଡ଼ିଆ ଅସ୍ମିତା’ର ପରିଚୟ। ଏହି କଳା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ଓ ରଥଯାତ୍ରା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ।ପିପିଲିବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ପ୍ରକଳ୍ପ ଦ୍ୱାରା ପିପିଲି ଓ ଆଖପାଖ ଅଞ୍ଚଳର ୬ ହଜାରରୁ ଅଧିକ କାରିଗର ଉପକୃତ ହେବେ। କାରିଗରମାନଙ୍କୁ ସୁଲଭ ମୂଲ୍ୟରେ କଞ୍ଚାମାଲ ଯୋଗାଇବା ପାଇଁ ଏଠାରେ ଏକ ‘ର ମ୍ୟାଟେରିଆଲ୍‌ ବ୍ୟାଙ୍କ’ ସ୍ଥାପନ କରାଯିବ। ଏହାସହ ଇ-କମର୍ସ ଯୁଗକୁ ଲକ୍ଷ୍ୟ କରି କାରିଗର, ବିଶେଷ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମାଆ ଓ ଭଉଣୀମାନଙ୍କୁ ଡିଜିଟାଲ୍ ମାର୍କେଟିଂ ଏବଂ ପ୍ୟାକେଜିଂର ପ୍ରଶିକ୍ଷଣ ଦିଆଯାଇ ସଶକ୍ତ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଭୋକାଲ ଫର ଲୋକାଲ’ ମନ୍ତ୍ରରେ ଅନୁପ୍ରାଣିତ ହୋଇ ପିପିଲି ଚାନ୍ଦୁଆକୁ ବିଶ୍ୱ ବଜାର ସହ ଯୋଡ଼ିବା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଚାନ୍ଦୁଆ ଶିଳ୍ପୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସମ୍ମାନିତ କରିଥିଲେ।

‘ପିପିଲି ଚାନ୍ଦୁଆକୁ ବିଶ୍ୱ ବଜାର ସହ ଯୋଡ଼ିବା ଆମର ଲକ୍ଷ୍ୟ’ 
୮୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବ ୫ ମହଲା ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାର

ଅନ୍ୟତମ ଅତିଥି ଭାବେ ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ, ପିପିଲି ଚାନ୍ଦୁଆ ହେଉଛି ଓଡ଼ିଶାର ଗର୍ବ ଓ ଗୌରବ। ଏହି ଚାନ୍ଦୁଆ ହବ୍ ପିପିଲିର ଅର୍ଥନୀତିକୁ ନୂଆ ଶକ୍ତିଦେବ। ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର ପିପିଲିବାସୀଙ୍କର ବହୁ ଦିନର ଆଶା ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରି ପିପିଲିବାସୀଙ୍କୁ ଏହି ଅମୂଲ୍ୟ ଭେଟି ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ। ପୁରୀ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ବିଭାଗର କମିସନର୍‌ ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଏବଂ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ନିର୍ମାଣ ହେବାକୁ ଥିବା ପାଞ୍ଚ ମହଲା ବିଶିଷ୍ଟ ଏହି ସମନ୍ୱିତ ‘କ୍ରାଫ୍ଟ, କଲ୍ଚର ଆଣ୍ଡ ଟୁରିଜମ୍ ହବ୍‌’ର ୫୦ଟି ବ୍ୟାବସାୟିକ ଦୋକାନ, ୬ଟି ସରକାରୀ ସୋ-ରୁମ୍, ଲାଇଭ୍ ଡେମୋନଷ୍ଟ୍ରେସନ୍ କେନ୍ଦ୍ର, ଟ୍ରେନିଂ ସେଣ୍ଟର, ଅଡିଓ-ଭିଜୁଆଲ୍ ଗ୍ୟାଲେରି, ମୁକ୍ତ ଆକାଶ ରଙ୍ଗମଞ୍ଚ, ଓଡ଼ିଆ ଫୁଡ୍ କୋର୍ଟ ଭଳି ସମସ୍ତ ଅତ୍ୟାଧୁନିକ ସୁବିଧା ରହିବ। ଏଠାରେ ଚାନ୍ଦୁଆ ସମେତ ଓଡ଼ିଶାର ସମସ୍ତ ୬୪ଟି ଅନୁମୋଦିତ ହସ୍ତଶିଳ୍ପ ଏବଂ ୬ଟି ଜିଆଇ ମାନ୍ୟତାପ୍ରାପ୍ତ କଳାର ପ୍ରଦର୍ଶନ ଓ ବିକ୍ରୟ କରାଯିବ।

 

 

 

 

ସୌଜନ୍ୟ ସମ୍ବାଦ

Show More
Back to top button