ପାଣିପାଗରାଜ୍ୟ

Monsoon Update : ଆଉ ୨ରୁ ୩ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ, ଘଡ଼ଘଡ଼ି ସହ ବର୍ଷା ନେଇ ୧୦ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର ୦୯।୦୬ : ଆସନ୍ତା ୨ରୁ ୩ ଦିନରେ ଓଡ଼ିଶାରେ ପହଞ୍ଚିବ ମୌସୁମୀ । ରାଜ୍ୟକୁ ଅଗ୍ରସର ହେବାକୁ ପାଗ ଅନୁକୂଳ ଅଛି । ୧୧ ତାରିଖ ସୁଦ୍ଧା ଓଡ଼ିଶା ସମେତ ଛତିଶଗଡ଼, ପଶ୍ଚିମବଙ୍ଗ ଓ ସିକିମରେ ମୌସୁମୀ ପହଞ୍ଚିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି ) ଆକଳନ କରିଛି ।

ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବଙ୍ଗୋପସାଗରରେ ସ୍ଥିତି ସୁଧୁରିଛି । ମୌସୁମୀ ବାୟୁର ଅଗ୍ରଗତି ହୋଇଛି। ବଙ୍ଗୋପସାଗରରେ ମୌସୁମୀ ଧୀରେ ଧୀରେ ଆଗଉଥିଲା। କିନ୍ତୁ ଏବେ ଏହାର ଗତି ବଢ଼ିଛି। ସପ୍ତାହ ପୂର୍ବର ସ୍ଥିତି ଭିନ୍ନ ଥିଲା। କିନ୍ତୁ ଏବେକାର ବାୟୁମଣ୍ଡଳୀୟ ପରିବେଶ ମୌସୁମୀ ଅଗ୍ରଗତି ପାଇଁ ଅଧିକ ଅନୁକୂଳ ହେଉଛି । ୧୦ରୁ ୧୩ ତାରିଖ ଭିତରେ ଓଡ଼ିଶାରେ ମୌସୁମୀ ପ୍ରବେଶ କରିପାରେ । ଆସନ୍ତା କିଛି ଦିନ ଯାଏ ଉପକୂଳ ଓଡ଼ିଶା ତୁଳନାରେ ପଶ୍ଚିମ ଓଡ଼ିଶାରେ ଅଧିକ ଗରମ ରହିବ। ୬ ରୁ ୧୦ ତାରିଖ ଯାଏ ସାମୟିକ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ। ତେବେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ୧୦ ରୁ ୧୩ ତାରିଖ ଭିତରେ ବାୟୁମଣ୍ଡଳର ଆର୍ଦ୍ରତା ବଢ଼ିବ। ଘନ ମେଘମାଳା ଯୋଗୁ ପାଗ ପରିବର୍ତ୍ତନ ହେବ। ପଶ୍ଚିମ ଓଡ଼ିଶାରେ ୧୨ରୁ ୧୬ ତାରିଖ ଭିତରେ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ଅଛି ବୋଲି ସେ ଆକଳନ କରିଛନ୍ତି।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ୧୧ ତାରିଖ ବେଳକୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ହୋଇପାରେ । ୧୪ ତାରିଖରେ ମୌସୁମୀ ପହଞ୍ଚିବାର ସମ୍ଭାବନା ଅଛି। ୯ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏଥିପାଇଁ ୧୦ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହୋଇପାରେ । ମଙ୍ଗଳବାର ଟିଟିଲାଗଡ଼ର ତାପମାତ୍ରା ସର୍ବାଧିକ ୪୨ ଡିଗ୍ରୀ ରେକର୍ଡ ହୋଇଛି । ବୌଦ୍ଧର ଦିନ ତାପମାତ୍ରା ୪୧.୫ ଡିଗ୍ରୀ, ଭବାନୀପାଟଣାରେ ୪୧, ବଲାଙ୍ଗୀରରେ ୪୦.୧, ତାଳଚେରରେ ୪୦ ଡିଗ୍ରୀ ରେକର୍ଡ ହୋଇଛି ।

 

 

 

ସୌଜନ୍ୟ Prameya News7

Show More
Back to top button