No Arrest: ଖାନ୍ ସାରଙ୍କୁ ଆଶ୍ୱସ୍ତି: ଗିରଫଦାରି ଉପରେ କୋର୍ଟଙ୍କ ରୋକ୍

ପାଟନା: ବିଶିଷ୍ଟ ଶିକ୍ଷାବିତ୍ ତଥା ପ୍ରସିଦ୍ଧ ୟୁଟ୍ୟୁବର ଫୈଜଲ ଖାନ ଓରଫ୍ ‘ଖାନ୍ ସାର୍’ଙ୍କୁ ମିଳିଛି ଏକ ବଡ଼ ଆଶ୍ବସ୍ତି। ହତ୍ୟା ଉଦ୍ୟମ ମାମଲାରେ ପାଟନାର ଏକ ଅଦାଲତ ଆଜି ମଙ୍ଗଳବାର ଦିନ ଶୁଣାଣି କରି ଆଗାମୀ ନିର୍ଦ୍ଦେଶ କିମ୍ବା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି ପ୍ରକାରର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାଟନାର ମୁସଲ୍ଲାପୁର ଅଞ୍ଚଳରେ ଥିବା ଖାନ୍ ଗ୍ଲୋବାଲ୍ ଷ୍ଟଡିଜ୍ କୋଚିଂ ସେଣ୍ଟର ବାହାରେ ଘଟିଥିବା ଏକ ହିଂସାକାଣ୍ଡ ଘଟଣାରେ ଖାନ୍ ସାରଙ୍କ ପକ୍ଷରୁ ଦାୟର କରାଯାଇଥିବା ଅଗ୍ରୀମ ଜାମିନ ଆବେଦନ ଉପରେ କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ଆଦେଶ ପ୍ରଦାନ କରିଛନ୍ତି।
ତଦନ୍ତକାରୀ ଅଧିକାରୀଙ୍କ ସାମ୍ନାରେ ପ୍ରକାଶ କରିଥିଲେ
ସୂଚନାଯୋଗ୍ୟ ଯେ, ଗତ ଜୁନ୍ ୨ ତାରିଖ ବିଳମ୍ବିତ ରାତିରେ କୋଚିଂ ଇନଷ୍ଟିଚ୍ୟୁଟ୍ ବାହାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ସମୟରେ ଖାନ୍ ସାର୍ ନିଜ ସୁରକ୍ଷାକର୍ମୀଙ୍କୁ ଭିଡ଼ ଉପରକୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିବା ଏବଂ ପରିସ୍ଥିତି ସେ ନିଜେ ସମ୍ଭାଳି ନେବେ ବୋଲି କହିଥିବା ନେଇ ସୁରକ୍ଷାକର୍ମୀମାନେ ତଦନ୍ତକାରୀ ଅଧିକାରୀଙ୍କ ସାମ୍ନାରେ ପ୍ରକାଶ କରିଥିଲେ। ଏହାକୁ ଆଧାର କରି ଗତ ଜୁନ୍ ୪ ତାରିଖ ଦିନ ଭାରତୀୟ ନ୍ୟାୟ ସଂହିତା (ବିଏନଏସ୍) ର ହତ୍ୟା ଉଦ୍ୟମ ଧାରା ଏବଂ ଆର୍ମସ୍ ଆକ୍ଟ ଅଧୀନରେ ଖାନ୍ ସାର୍, ତାଙ୍କର ଦୁଇ ଜଣ ସୁରକ୍ଷାକର୍ମୀ ଓ ଅନ୍ୟମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା। ଅନ୍ୟପଟେ ଏହି ଘଟଣା ସହ ଜଡ଼ିତ ଏକ ପାଲଟା ମାମଲାରେ ଖାନ୍ ସାରଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ଜ୍ଞାନ ବିନ୍ଦୁ କୋଚିଂ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ରୌଶନ ଆନନ୍ଦଙ୍କୁ ଗିରଫ କରାଯାଇଥିବା ବେଳେ କୋର୍ଟ ତାଙ୍କ ଜାମିନ ଆବେଦନ ଉପରେ ନିଜର ରାୟ ସଂରକ୍ଷିତ ରଖିଛନ୍ତି ।
ସୌଜନ୍ୟ ସମ୍ବାଦ




