
ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିକୁ ନେଇ ସହମତି ହୋଇଥିବା ଖବର ପ୍ରଚାର ହେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଶସ୍ତା ହୋଇଛି। ଏଥି ସହିତ ବିଶ୍ବର ପ୍ରମୁଖ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ବାଭାବିକ ହେବାର ମଧ୍ୟ ସମ୍ଭାବନା ଦେଖାଦେଇଛି। ଏହି ଦୁଇ ଖବର ପ୍ରଭାବରେ ଅଶୋଧିତ ତୈଳର ବ୍ୟାରେଲ ପ୍ରତି ୮୨.୮୪ ଡଲାରକୁ ହ୍ରାସ ପାଇଛି। ଯୁଦ୍ଧ ବନ୍ଦ କରିବାକୁ ମଧ୍ୟସ୍ଥତା କରୁଥିବା ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ ଚଳିତ ମାସ ୧୯ରେ ସ୍ବିଜରଲ୍ୟାଣ୍ଡରେ ଶାନ୍ତି ଚୁକ୍ତି ସ୍ବାକ୍ଷର ହେବାକୁ ଯାଉଛି। ଯୁଦ୍ଧ ବନ୍ଦ ହେବାର ଆଶା ଭାରତ ପାଇଁ ଏକ ବଡ଼ ଆଶସ୍ତି ହେବ ଯାହା ଦରଦାମ୍ ଚାପ ଦେଇ ଗତି କରୁଛି। ଶାନ୍ତି ଚୁକ୍ତି ପ୍ରଭାବରେ ଯଦି ଦୀର୍ଘଦିନ ପର୍ଯ୍ୟନ୍ତ ତେଲ ଦର କମ୍ ରହିବ ତେବେ ତୈଳ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର କମ୍ କରିବା ବିଷୟରେ ଚିନ୍ତା କରିପାରିବେ।
ଚଳିତ ବର୍ଷ ଫେବ୍ରୁଆରିରୁ ଯୁଦ୍ଧ ଆରମ୍ଭ ହେବା ପରେ ଅଶୋଧିତ ତୈଳ ଦର ୧୦୦ ଡଲାର ଉପରେ ରହିଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ତାହା ସେହି ସ୍ତରରେ ରହିବା ପରେ ଭାରତ ସରକାର ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇବାକୁ ଅନୁମତି ଦେଇଥିଲେ। ତେଲ କମ୍ପାନିଗୁଡ଼ିକ ଚାରି ଥରରେ ଉଭୟ ଇନ୍ଧନ ମୂଲ୍ୟରେ ୮ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ୨୦୨୨ରେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାର ଦୀର୍ଘ ଚାରି ବର୍ଷ ପର୍ଯ୍ୟନ୍ତ ଏହି ଦୁଇ ଇନ୍ଧନ ମୂଲ୍ୟ ସ୍ଥିର ରହିଥିଲା। କିନ୍ତୁ ଇରାନ ଯୁଦ୍ଧ ସୃଷ୍ଟି କରିଥିବା ସ୍ଥିତିକୁ ତେଲ କମ୍ପାନିଗୁଡ଼ିକ ଅଧିକ ଦିନ ସହ୍ୟ କରିପାରିନଥିଲେ। ତେଲ ଦର ନ ବଢ଼ାଇବା ପ୍ରୟାସରେ ସରକାର ୭୮ ଦିନ ସଫଳ ହୋଇଥିଲେ। କିନ୍ତୁ ତେଲ କମ୍ପାନିଗୁଡ଼ିକର ଦୈନିକ କ୍ଷତି ୧୦୦୦ କୋଟି ଡଲାରରୁ ଅଧିକ ରହିବା ପରେ ନିଜ ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହୋଇଥିଲେ। ଭାରତ ହେଉଛି ଏଭଳି ଏକ ଦେଶ ଯାହା ନିଜ ଆବଶ୍ୟକତାର ୮୫ ପ୍ରତିଶତ ତେଲ ଏବଂ ସିଂହଭାଗ ଗ୍ୟାସ ଆମଦାନି ଜରିଆରେ ପୂରଣ କରୁଛି। ତାହାର ଅଧା ମଧ୍ୟପ୍ରାଚ୍ୟ ଯୁଦ୍ଧ ଦ୍ବାରା ପ୍ରଭାବିତ ହୋଇଥିବା ଅଞ୍ଚଳରୁ ଆସୁଛି।
ସୌଜନ୍ୟ ସମ୍ବାଦ




