ଦେଶ ବିଦେଶବାଣିଜ୍ୟ

Miss-selling: ମିସ୍‌ ସେଲିଂ ପାଇଁ ବ୍ୟାଙ୍କ ଗଣିବେ କ୍ଷତିପୂରଣ: ୨୦୨୭ ଜାନୁଆରିରୁ ନୂଆ ଫ୍ରେମ୍‌ୱର୍କ

ବ୍ୟାଙ୍କ ଶାଖାରେ ହେଉଥିବା ବ୍ୟାପକ ମିସ୍‌-ସେଲିଂ ଉପରେ ଲଗାମ କଷିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ କଠୋର ନିୟମ ଲାଗୁ କରିବାକୁ ଯାଉଛି। ମିସ୍‌-ସେଲିଂ ପ୍ରମାଣିତ ହେଲେ ଗ୍ରାହକଙ୍କୁ ବ୍ୟାଙ୍କ କ୍ଷତିପୂରଣ ଗଣିବ।

ମୁମ୍ବାଇ: ବ୍ୟାଙ୍କ ଶାଖାରେ ହେଉଥିବା ବ୍ୟାପକ ମିସ୍‌-ସେଲିଂ ଉପରେ ଲଗାମ କଷିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ କଠୋର ନିୟମ ଲାଗୁ କରିବାକୁ ଯାଉଛି।  ମିସ୍‌-ସେଲିଂ ପ୍ରମାଣିତ ହେଲେ ଗ୍ରାହକଙ୍କୁ ବ୍ୟାଙ୍କ କ୍ଷତିପୂରଣ ଗଣିବ। ରିଜର୍ଭ ବ୍ୟାଙ୍କ ଏହାର ଗ୍ରାହକ ସୁରକ୍ଷା ଫ୍ରେମ୍‌ୱର୍କକୁ ଚୂଡ଼ାନ୍ତ କରିଛି। ସେଥିରେ ବ୍ୟାଙ୍କଗୁଡ଼ିକର ଦାୟିତ୍ବ ନିର୍ଦ୍ଧାରଣ କରାଯାଇଛି। ଗ୍ରାହକଙ୍କୁ ଆର୍ଥିକ ଉତ୍ପାଦ କିମ୍ବା ସେବା ପ୍ରଦାନ କରିବା ପୂର୍ବରୁ ତାଙ୍କ ଅନୁମତି ନେବାକୁ କୁହାଯାଇଛି। କାଗଜପତ୍ରରେ ଦସ୍ତଖତ ହେଉ କିମ୍ବା ଇଲେକ୍ଟ୍ରୋନିକ୍ସ ମାଧ୍ୟମ ଓ ଓଟିପି ଅନୁମୋଦନ ଜରିଆରେ ଅନୁମତି ହାସଲ କରିବାକୁ ପରାମର୍ଶ ଦିଆଯାଇଛି। ଗ୍ରାହକମାନଙ୍କୁ ‘ନାହିଁ’ କିମ୍ବା ‘ମୁଁ ଏଥିରେ ସହମତ ନୁହେଁ’ ଭଳି ବିକଳ୍ପ ଦେବାକୁ କୁହାଯାଇଛି। ଆର୍ଥିକ ଉତ୍ପାଦର ଗୁରୁତ୍ବପୂର୍ଣ୍ଣ ବିଷୟ ଯଥା ସୁଧ, ଫି, ବିପଦ, ଲକ୍‌-ଇନ୍‌ ଅବଧି, ସ୍କିମ୍‌ରୁ ଆଗୁଆ ବାହାରିଲେ ଗଣିବାକୁ ଥିବା ଜରିମାନା ଆଦି ବିଷୟରେ ଗ୍ରାହକଙ୍କୁ ସ୍ପଷ୍ଟ ଭାବେ ବୁଝାଇବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି।

ମିସ୍‌-ସେଲିଂ ଅର୍ଥ ହେଉଛି ଗ୍ରାହକଙ୍କୁ ଦରକାର ନଥିବା ଆର୍ଥିକ ସେବା ତାଙ୍କୁ ବିଭିନ୍ନ ପ୍ରକାରରେ ବୁଝାଇ ବିକ୍ରି କରିବା। ପ୍ରକୃତରେ ସେହି ଉତ୍ପାଦ ତାଙ୍କୁ ଦରକାର ନଥାଏ। କମିସନ ପାଇବା ଓ ବିକ୍ରି ବଢ଼ାଇବା ଆଶାରେ ବ୍ୟାଙ୍କରେ ବସୁଥିବା ଅନ୍ୟ ସଂସ୍ଥାର ଏଜେଣ୍ଟମାନେ ଏଭଳି ଉତ୍ପାଦ ବିକ୍ରି କରିଥାନ୍ତି। ବିଶେଷ କରି ମ୍ୟୁଚୁଆଲ ଫଣ୍ଡ୍‌, ବୀମା ପଲିସିରେ ଅଧିକ ମିସ୍‌-ସେଲିଂର ଅଭିଯୋଗ ହେଉଛି। ନୂଆ‌ ଫ୍ରେମ୍‌ୱର୍କ ଅନୁସାରେ କୌଣସି ଉତ୍ପାଦ ବା ସେବା ହାସଲ କରିବାର ୩୦ ଦିନ ମଧ୍ୟରେ ଯଦି ଗ୍ରାହକଙ୍କୁ ଲାଗିବ ଯେ ତାହା ତାଙ୍କ ପାଇଁ ଉପଯୁକ୍ତ ନୁହେଁ, ତେବେ ସେ ଅଭିଯୋଗ ଦାଖଲ କରିପାରିବେ। ଅଭିଯୋଗ ପ୍ରମାଣିତ ହେଲେ ବ୍ୟାଙ୍କ ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ କରିବ ଓ କ୍ଷତିପୂରଣ ମଧ୍ୟ ଦେବ। ଆସନ୍ତା ୨୦୨୭ ଜାନୁଆରିରୁ ଏହି ଫ୍ରେମ୍‌ୱର୍କ ଲାଗୁ ହେବ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button