
ନୂଆଦିଲ୍ଲୀ: ଖାଦ୍ୟ ବ୍ୟବସାୟୀମାନେ ବ୍ୟବହାର କରୁଥିବା ଛୁରି ସମସ୍ତ ପ୍ରକାର ସଫା ସୁତୁରା ମାନଦଣ୍ଡ ପୂରଣ କରୁଥିବା ଆବଶ୍ୟକ। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ପକ୍ଷରୁ ଏହି ମର୍ମରେ ସମସ୍ତ ଖାଦ୍ୟ ବ୍ୟବସାୟୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେଥିରେ କୁହାଯାଇଛି ଯେ ଖାଦ୍ୟ ପ୍ରସ୍ତୁତି, ପ୍ୟାକେଜିଂ, ଗଚ୍ଛିତ ରଖିବା ଏବଂ ପରିଚାଳନାରେ ବ୍ୟବହାର ହେଉଥିବା ସମସ୍ତ ଉପକରଣ, ବାସନକୁସନ, ଖାଦ୍ୟ ରଖାଯାଉଥିବା ବା ଘୋଡ଼ାଯାଉଥିବା ପାତ୍ର ଆଦି ଖାଦ୍ୟ-ଗ୍ରେଡ୍, ଅଣବିଷାକ୍ତ ଏବଂ କ୍ଷୟ ପ୍ରତିରୋଧୀ ସାମଗ୍ରୀରେ ପ୍ରସ୍ତୁତ ହୋଇଥିବା ଆବଶ୍ୟକ। ଏଥିସହିତ ଖାଦ୍ୟ ସଂକ୍ରମଣକୁ ରୋକିବା ଲାଗି ସ୍ବାସ୍ଥ୍ୟକର ପରିବେଶ ବଜାୟ ରଖିବା ପାଇଁ ଥିବା ନିୟମକୁ ନିଶ୍ଚିତ କରିବା ଉଚିତ।
ଖାଦ୍ୟ ସୁରକ୍ଷା ଓ ମାନକ ( ଖାଦ୍ୟ ବ୍ୟବସାୟ ପଞ୍ଜୀକରଣ ଓ ଲାଇସେନ୍ସିଂ) ନିୟମ ୨୦୧୧ର ଅନୁଚ୍ଛେଦ ୪ ଅନୁଯାୟୀ, ଖାଦ୍ୟ ସଂସ୍ପର୍ଶରେ ଆସୁଥିବା ସମସ୍ତ ଉପକରଣକୁ ନିୟମିତ ବ୍ୟବଧାନରେ ଜୀବାଣୁମୁକ୍ତ କରାଯିବା ସହ ପର୍ଯ୍ୟାପ୍ତ ଭାବେ ସଫା କରାଯିବା ନେଇ ନିୟମ ରହିଛି। ଏହା ସତ୍ତ୍ବେ କେତେକ ଖାଦ୍ୟ ବ୍ୟବସାୟୀ କଳଙ୍କି ଲାଗିଥିବା, ଭାଙ୍ଗିରୁଜି ଯାଇଥିବା, ରଙ୍ଗ ଲାଗିଥିବା ଏବଂ ଅନ୍ୟାନ୍ୟ ଦୃଷ୍ଟିରୁ ଅନୁପଯୁକ୍ତ ଥିବା ଛୁରି, ବ୍ଲେଡ୍ ଓ ଅନ୍ୟାନ୍ୟ କାଟିବା ଉପକରଣ ଖାଦ୍ୟ ପ୍ରସ୍ତୁତି ଓ ପରିଚାଳନାରେ ବ୍ୟବହାର କରୁଛନ୍ତି। ଏଭଳି ଛୁରି ଖାଦ୍ୟର ଭୌତିକ, ରାସାୟନିକ ଏବଂ ସୂକ୍ଷ୍ମ ଜୈବିକ ସଂକ୍ରମଣ କରିବା ସମ୍ଭାବନା ରହିଛି। ଅନୁପଯୁକ୍ତ ଛୁରିକୁ ତୁରନ୍ତ ଏଭଳି କାର୍ଯ୍ୟରୁ ବାଦ୍ ଦିଆଯିବା ଆବଶ୍ୟକ। ନିୟମ ପାଳନରେ ବିଫଳ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ଉପରେ କଡ଼ା ନଜର ରଖିବା ଲାଗି କର୍ତ୍ତୃପକ୍ଷ କମିସନର ଓ ଇନ୍ସପେକ୍ଟରମାନଙ୍କୁ କହିଛନ୍ତି।
ସୌଜନ୍ୟ ସମ୍ବାଦ




