Breaking News

କ୍ବାର୍ଟର୍ସରେ ପଶି ଠିକାଦାରଙ୍କ ଗୁଣ୍ଡାଗିରି: ଅଧୀକ୍ଷଣ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼

0

ଫୁଲବାଣୀ : ଠିକା କାମକୁ କେନ୍ଦ୍ରକରି କନ୍ଧମାଳ ଜିଲ୍ଲାର ଜଣେ ଠିକାଦାର ଦାଦାଗିରି କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଠିକାଦାର ସୂର୍ଯ୍ୟକାନ୍ତ ପଟ୍ଟନାୟକ ତାଙ୍କର ପାଞ୍ଚରୁ ଛଅ ଜଣ ସହଯୋଗୀଙ୍କ ସହ ମିଶି ଫୁଲବାଣୀ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ କ୍ବାର୍ଟର୍ସରେ ବଳପୂର୍ବକ ପଶି ମାଡ଼ ମାରିଛନ୍ତି। ଠିକାଦାର ସୂର୍ଯ୍ୟକାନ୍ତ ନିଜ ସହଯୋଗୀଙ୍କ ସହ ଅଧୀକ୍ଷଣ ଯନ୍ତ୍ରୀଙ୍କ ସରକାରୀ ବାସଭବନରେ ଥିବା ସ୍କର୍ପିଓ କାର୍‌ ଏବଂ ସିସିଟିଭି କ୍ୟାମେରାକୁ ମଧ୍ୟ ଭାଙ୍ଗି ଦେଇଛନ୍ତି।

ଏ ନେଇ ଅଧୀକ୍ଷଣ ଯନ୍ତ୍ରୀ ପ୍ରିୟବ୍ରତ ସାମନ୍ତରାୟ ଏବଂ କନିଷ୍ଠଯନ୍ତ୍ରୀ ଶାନ୍ତନୁ କୁମାର ସ୍ବାଇଁ ଫୁଲବାଣୀ ଟାଉନ୍‌ ଥାନାରେ ପୃଥକ୍‌ ଏତଲା ଦେଇଛନ୍ତି। ଏତଲା ଅନୁସାରେ, ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ସାମନ୍ତରାୟ ନିଜ ସରକାରୀ ବାସଭବନରେ ଥିଲାବେଳେ ଠିକାଦାର ସୂର୍ଯ୍ୟକାନ୍ତ ଦଳବଳ ଧରି ହଠାତ୍‌ ତାଙ୍କ ଘରକୁ ପଶି ମାଡ଼ ମାରିବା ସହ ଘରର ସିସିଟିଭି ଏବଂ ସ୍କର୍ପିଓ ଗାଡ଼ି ଭାଙ୍ଗିଥିଲେ। ଏହିସମୟରେ କୌଣସି କାମରେ ପୂର୍ତ୍ତ କନିଷ୍ଠ ଯନ୍ତ୍ରୀ ଶ୍ରୀ ସ୍ବାଇଁ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ପହଞ୍ଚିବାରୁ ତାଙ୍କୁ ମଧ୍ୟ ସମ୍ପୃକ୍ତ ଠିକାଦାର ଓ ତାଙ୍କ ସହଯୋଗୀ ମାଡ଼ ମାରିଥିଲେ। ଏହାସହ ଠିକାଦାର ଜଣଙ୍କ ଉଭୟ ଅଧିକାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଚାଲି ଯାଇଥିଲେ।

ଏତଲା ପାଇବା ପରେ ଫୁଲବାଣୀ ଟାଉନ୍‌ ଥାନା ପୁଲିସ ଦୁଇଟି ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଫେରାର ଠିକାଦାରଙ୍କୁ ଖୋଜା ଚାଲିଛି ଏବଂ ଖୁବଶୀଘ୍ର ଗିରଫ କରାଯିବ ‌ବୋଲି ଫୁଲବାଣୀ ଏସ୍‌ଡିପିଓ ମହେନ୍ଦ୍ର ନାଥ ମୁର୍ମୁ ସୂଚନା ଦେଇଛନ୍ତି। ଅପରପକ୍ଷେ, ସମ୍ପୃକ୍ତ ଠିକାଦାରଙ୍କ ଏଭଳି ଗୁଣ୍ଡାଗିରିକୁ ଫୁଲବାଣୀ ଠିକାଦାର ସଂଘ ତୀବ୍ର ନିନ୍ଦା କରିଛି। ସଂପୃକ୍ତ ଠିକାଦାରଙ୍କୁ ତୁରନ୍ତ ଗିରଫ କରିବାକୁ ସଂଘ ସଭାପତି ଅଭୟ ପଟ୍ଟନାୟକ ଦାବି କରିଛନ୍ତି। ଘଟଣାକୁ ବିଜେପି ପକ୍ଷରୁ ମଧ୍ୟ କଡ଼ା ନିନ୍ଦା କରାଯାଇଛି।

Leave A Reply

Your email address will not be published.